ଭୁବନେଶ୍ବର: ବାତ୍ୟା ଅମ୍ଫାନ ଓଡ଼ିଶାରେ ମାଡ଼ ନହେଲେ ବି ଏହାର ପ୍ରଭାବ ପଡ଼ିବ। ଏହି ପୂର୍ବାନୁମାନ ଭାରତୀୟ ପାଣିପାଗ କରିଥିଲା। ମଙ୍ଗଳବାର ଦିନତମାମ୍ କୋହଲା ପାଗ ଥିବାବେଳେ ଝିପିଝିପି ବର୍ଷା ମଝିରେ ମଝିରେ ହେଉଥିଲା। ସଂଧ୍ୟାରୁ ବର୍ଷା ଆରମ୍ଭ ହୋଇଥିଲା। କିନ୍ତୁ ରାତି ସାଢ଼େ ୧୧ଟା ପରେ ପବନ ବହିବା ଆରମ୍ଭ କରିଥିଲା। ରାତି ତମାମ୍ ବର୍ଷା ସହ ୩୦ରୁ ୪୦କିମି ବେଗରେ ପବନ ବହୁଥିବାରୁ ସକାଳେ ଜୋର୍ରେ ବାତ୍ୟା ହେବ ବୋଲି ରାଜଧାନୀବାସୀ ଭାବି ନେଇଥିଲେ। ବାତ୍ୟା ଭୟରେ ଲୋକଙ୍କୁ ନିଦ ହୋଇନଥିବାବେଳେ ସକାଳୁ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଯାଇଥିଲା। ତୁହାକୁ ତୁହା ବର୍ଷା ହେଉଥିଲା। ଦିନ ଯେତିକି ବଢ଼ୁଥିଲା ପବନ ବି ସେତିକି ବଢ଼ୁଥିଲା। ପୂର୍ବାହ୍ନ ୮ଟାରୁ ୯ଟା ପର୍ଯ୍ୟନ୍ତ ଜୋର୍ରେ ପବନ ବହିଥିଲା। ଏପରିକି ପବନ ଘଣ୍ଟା ପ୍ରତି ୩୦ରୁ ୫୬କିମି ପର୍ଯ୍ୟନ୍ତ ବହିଥିଲା। ବାତ୍ୟା ଅମ୍ଫାନ ପାରାଦୀପ ଅତିକ୍ରମ କରିନଥିବାରୁ ଲୋକଙ୍କ ମନରେ ଭୟ ଥିଲା। ବର୍ଷା ଅଧିକ ବଢ଼ୁଥିବାରୁ ଏହି ଭୟ ଛାଡ଼ୁ ନଥିଲା। ହେଲେ ମଧ୍ୟାହ୍ନ ବେଳକୁ ପବନ କମିଯାଇଥିଲା। କେବଳ ବର୍ଷା ହେଉଥିଲା। ମଧ୍ୟାହ୍ନରେ ରାଜଧାନୀବାସୀ ବାତ୍ୟା ହେବନି ବୋଲି ଆଶ୍ବସ୍ତ ହୋଇଥିଲେ। କିନ୍ତୁ ଫନି ବାତ୍ୟାରେ ଯେପରି ପବନ କିଛି ସମୟ ବନ୍ଦ ହୋଇ ପୁଣି ଫେରିଥିଲା ଓ ପ୍ରଳୟ ରଚିଥିଲା ତାହାକୁ ମନେ ପକାଇ ଲୋକ ଭୟଭୀତ ହେଉଥିଲେ। ହେଲେ ଅପରାହ୍ନ ୨ଟା ପରେ ରାଜଧାନୀରେ ପବନ ପୂରା କମିଯିବା ଏବଂ ପାଣିପାଗ ବିଭାଗ ଏବେ ରାଜଧାନୀକୁ ବାତ୍ୟା ଭୟ ନଥିବା ନିଶ୍ଚିତ କରିବା ପରେ ଲୋକ ଆଶ୍ବସ୍ତ ହୋଇଥିଲେ।ଗତକାଲି ରାତି ସାରା ଓ ଆଜି ପୂର୍ବାହ୍ନରେ ବାତ୍ୟା ଭୟରେ ଦିନ କାଟିଥିବା ରାଜଧାନୀବାସୀ ଅପରାହ୍ଣରେ ସଫା ଆକାଶରେ ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ନିଶ୍ଚିତ ହୋଇଥିଲେ ଯେ ଆଉ ବର୍ଷା ପବନ ହେବନି।
ଅପରପକ୍ଷେ ଆଜି ରାଜଧାନୀରେ ବର୍ଷା ପବନ ଯୋଗୁଁ ବିଶେଷ କ୍ଷୟକ୍ଷତି ହୋଇନି। ବିଦ୍ୟୁତ ଖୁଣ୍ଟ ଉପୁଡ଼ିନି କି ତାର ଛିଣ୍ଡିନି। ଯାହା ବି ସମସ୍ୟା ଥିଲା ତାହାକୁ ସେସୁ କର୍ତ୍ତୃପକ୍ଷ ତୁରନ୍ତ ମରାମତି କରିଦେଇଛନ୍ତି। ଭୁବନେଶ୍ବରର ସମସ୍ତ ସ୍ଥାନରେ ବିଦ୍ୟୁତ୍ ସେବା ସ୍ବାଭାବିକ ହୋଇଛି। ଯେଉଁ କେତେକ ସ୍ଥାନରେ ଗଛ ଉପୁଡ଼ିଥିଲା କି ଡାଳ ଭାଙ୍ଗି ପଡ଼ିଥିଲା ସେଗୁଡ଼ିକୁ ବିଏମ୍ସି ଓ ଅଗ୍ନିଶମ ବିଭାଗ ଉଠାଇ ଦେଇଛି। ବିଭିନ୍ନ ସଫେଇ ସଂସ୍ଥାକୁ ଲଗାଇ ରାସ୍ତା ସଫା କରାଯାଇଛି। ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆଜି ରାଜଧାନୀରେ ଘଣ୍ଟାପ୍ରତି ମୁଖ୍ୟତଃ ୩୦ରୁ ୫୬କିମି ବେଗରେ ପବନ ବହିଥିଲା। ୩୩ଘଣ୍ଟା ଭିତରେ ୮୬.୨ମିମି ବର୍ଷା ହୋଇଛି।
ବଡ଼ ବର୍ଷା ହେଲାନି ବିଏମ୍ସି ରକ୍ଷା ପାଇଗଲା
ବିଏମ୍ସି ପକ୍ଷରୁ ବାତ୍ୟା ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥିଲା। ୨୬ଟି ସମ୍ବେଦନଶୀଳ ଅଞ୍ଚଳରେ ୧୨ଟି ପାଣି ପମ୍ପ ପ୍ରସ୍ତୁତ କରି ରଖାଯାଇଥିଲା। ଯେଉଁଠି ପାଣି ଜମୁଥିଲା ସେଠାରୁ ପମ୍ପ ଲଗାଇ ପାଣି ନିଷ୍କାସନ କରାଯାଇଥିଲା। ୬ଟି ସ୍ବତନ୍ତ୍ର ଟିମ୍ ପୂରା ଭୁବନେଶ୍ବରରେ ବୁଲିବା ସହ ଯେଉଁଠି ଯାହା ସମସ୍ୟା ହେଉଥିଲା ତାହାର ତୁରନ୍ତ ସମାଧାନ କରୁଥିଲା। ରାଜଧାନୀରେ ୩୩ଘଣ୍ଟାରେ ୮୬.୨ମିମି ବର୍ଷା ହୋଇଥିବାବେଳେ ସକାଳ ୮ଟା ୩୦ସୁଦ୍ଧା ୨୪ଘଣ୍ଟାରେ ୫୦.୮ମିମି ଏବଂ ସକାଳ ୮ଟା ୩୦ରୁ ଅପରାହ୍ନ ୫ଟା ୩୦ ସୁଦ୍ଧା ୩୫.୪ମିମି ବର୍ଷା ହୋଇଥିଲା। କିନ୍ତୁ ଝିପିଝିପି ବର୍ଷା ହୋଇଥିଲା। ବଡ଼ ଅସରାଏ ବର୍ଷା ନହେବାରୁ ବହୁ ଅଞ୍ଚଳ ଜଳବନ୍ଦୀ ହେବାରୁ ରକ୍ଷା ପାଇଗଲା। ବିଏମ୍ସି କର୍ତ୍ତୃପକ୍ଷ ବି ଅପବାଦରୁ ବର୍ତ୍ତିଗଲେ। ବିଏମ୍ସି ଜଳବନ୍ଦୀର ମୁକାବିଲା ପାଇଁ ମେ’ ଫେୟାର ଜ୍ୟୋତ୍ସ୍ନା ଆପାର୍ଟମେଣ୍ଟ, ପବିତ୍ର ଗେଷ୍ଟ ହାଉସ୍ ନିକଟ, ନୂଆପଲ୍ଲୀ ବେହେରା ସାହି, ଲକ୍ଷ୍ମୀସାଗର ମଳିଅନ୍ତା ଟ୍ୟାଙ୍କ, ଶତାବ୍ଦୀ ନଗର, ମଲ୍ଲିକ କମ୍ପ୍ଲେକ୍ସ, ସବ୍ ଇଣ୍ଡଷ୍ଟ୍ରି, ଗ୍ୟାେରଜ୍ ଛକ ନିକଟରେ ପାଣି ପମ୍ପ ପ୍ରସ୍ତୁତ କରି ରଖାଯାଇଥିଲା। ଏଠାରେ ଯେଉଁଠି ପାଣି ଜମିଥିଲା ସେଗୁଡ଼ିକୁ ନିଷ୍କାସନ କରି ଡ୍ରେନ୍ରେ ଛଡ଼ା ଯାଇଥିଲା। ବଡ଼ ବର୍ଷା ନହେବାରୁ ଅନେକ ଅଞ୍ଚଳ ଜଳବନ୍ଦୀ ସମସ୍ୟାରୁ ରକ୍ଷା ପାଇଯାଇଥିଲା।
ଡ୍ରେନ୍ ପଙ୍କ ଡ୍ରେନ୍କୁ ଗଲା
ପୁରୁଣା ଭୁବନେଶ୍ବର: ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା। ଡ୍ରେନ ସଫେଇ କରାଯାଇ ବାହାର କରାଯାଇଥିବା ପଙ୍କ ବର୍ଷା ପାଣିରେ ଭାସିଯାଇ ପୁଣି ଡ୍ରେନରେ ମିଶିଗଲା। ବାତ୍ୟା ଅମ୍ଫାନ୍ ଯୋଗୁଁ ପୁରୁଣା ଭୁବନେଶ୍ବର ଅଞ୍ଚଳରେ ବିଶେଷ କ୍ଷତି ହୋଇନଥିଲେ ମଧ୍ୟ ଏହା ବିଏମ୍ସିକୁ ସମସ୍ୟାରେ ପକାଇ ଦେଇଛି। ଡ୍ରେନ୍ରୁ ବାହାର କରାଯାଇଥିବା ପଙ୍କ ପୁଣି ଡ୍ରେନ୍ ଭିତରକୁ ପଶି ଯାଇଛି। ଫଳରେ ଏଥିପାଇଁ ବ୍ୟୟ ଅର୍ଥ ପାଣିରେ ବୋହିଗଲା ବୋଲି ଚର୍ଚ୍ଚା ହେଉଛି। ସୂଚନାନୁସାରେ ସାମନ୍ତରାପୁର ଅଞ୍ଚଳରେ ଗତ କିଛି ଦିନ ପୂର୍ବେ ଡ୍ରେନ୍ ସଫେଇ କରାଯାଇଥିଲା। ଡ୍ରେନ୍ରୁ ପଙ୍କ ବାହାର କରାଯାଇଥିଲା ସିନା କିନ୍ତୁ ସେଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ନ ଥିଲା। ଉକ୍ତ ପଙ୍କ ସେମିତି ଡ୍ରେନ୍ କଡ଼ରେ ଗଦା ହୋଇ ରହିଥିଲା। ଫଳରେ ଗତକାଲି ଓ ଆଜିର ଲଗାଣ ବର୍ଷାରେ ପୁଣି ସବୁତକ ପଙ୍କ ଡ୍ରେନ୍ ଭିତରକୁ ବୋହି ଯାଇଛି। ସେହିଭଳି ଶ୍ରୀଲିଙ୍ଗରାଜ ମନ୍ଦିର ନିକଟ ସୌନ୍ଦର୍ଯ୍ୟ ପାଇଁ ରଖାଯାଇଥିବା ବହୁ ଫୁଲ କୁଣ୍ଡ ସବୁ ପବନ ଓ ବର୍ଷାରେ ଭାଙ୍ଗି ଉଜୁଡ଼ି ଯାଇଛି। ଗତକାଲି ରାତିରେ ପୋଖରିପୁଟରୁ ଗଣ୍ଡମୁଣ୍ଡା ରାସ୍ତାରେ ବହୁ ଗଛର ଡାଳ ଭାଙ୍ଗି ଯାଇ ରାସ୍ତା ଉପରେ ପଡ଼ିଥିଲା। ଫଳରେ ଆଜି ସକାଳୁ ଲୋକଙ୍କ ଯାତାୟାତରେ ସମସ୍ୟା ହୋଇଥିଲା। ବିଏମ୍ସି ପକ୍ଷରୁ ବୁଲ୍ଡୋଜର ସାହାଯ୍ୟରେ ରାସ୍ତା ସଫା କରାଯିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ଗଣ୍ଡମୁଣ୍ଡା ନିକଟ ବସ୍ତିରେ କିଛି ଲୋକଙ୍କ ଘରେ ପାଣି ପଶିଯିବାରୁ ସେମାନେ ଗଣ୍ଡମୁଣ୍ଡା ହାଟ ପିଣ୍ଡିରେ ରାତି କଟାଇଥିଲେ।