ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଧୀନକୁ ଆସିବ ସିଜୁଆ ଗ୍ରାମ। ଏହି ଅଞ୍ଚଳରେ ଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ଅଞ୍ଚଳରେ ପରିମଳ, ଷ୍ଟ୍ରିଟ୍ ଲାଇଟ୍ ଏବଂ ସିଟି ବସ୍ ସେବା ପ୍ରଚଳନ ପାଇଁ ବିଏମ୍ସି ପକ୍ଷରୁ ବ୍ୟବସ୍ଥା କରାଯିବ। ଏନେଇ ଥିବା ପ୍ରସ୍ତାବକୁ ଆଜି ବିଏମ୍ସି କାଉନସିଲ୍ ବୈଠକରେ ମଞ୍ଜୁରି ମିଳିଛି। ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳର ବିକାଶ କରାଯାଇପାରିବ। ଲୋକଙ୍କ ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇ ଦିଆଯିବ ବୋଲି ବିଏମ୍ସି ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି।
ନିଷ୍ପତ୍ତି ଅନୁଯାୟୀ ସିଜୁଆ ଗ୍ରାମ ଏବଂ ଏହାର ସଂଲଗ୍ନ ୪୩୬ ଏକର ଜାଗା ବିଏମ୍ସିର ପରିସରଭୁକ୍ତ ହେବ। ବୁଧବାର ବିଏମ୍ସି ଅଧିକାରୀଙ୍କ ଏକ ପ୍ରତିନିଧିଦଳ ସମ୍ପୃକ୍ତ ଅଞ୍ଚଳ ପରିଦର୍ଶନ କରି ବିସ୍ତୃତ ବିବରଣୀ ପ୍ରସ୍ତୁତ କରିବେ। ନଭେମ୍ବର ପ୍ରଥମ ସପ୍ତାହରେ ଏମ୍ସ ଅଞ୍ଚଳର ପରିମଳ ସୁବିଧା, ବର୍ଜ୍ୟବସ୍ତୁ ପରିଚାଳନା, ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ସଂକ୍ରାନ୍ତରେ ସମୀକ୍ଷା କରିବେ ବିଏମ୍ସି କମିସନର କ୍ରିଷନ୍ କୁମାର।
ଲୋକଙ୍କ ଅଭିଯୋଗ ଶୁଣିବା ଏବଂ ଏହାର ଶୀଘ୍ର ସମାଧାନ ପାଇଁ ବିଏମ୍ସି ନୂତନ ନିଷ୍ପତ୍ତି ନେଇଛି। ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଫିଲ୍ଡସ୍ତରରେ ଅଧିକାରୀମାନେ ପହଞ୍ଚିବେ। ଏଥିପାଇଁ ବିଭିନ୍ନ ୱାର୍ଡକୁ ନେଇ କ୍ଲଷ୍ଟର୍ ଗଠନ କରାଯିବ। ଏହି ସବୁ କ୍ଲଷ୍ଟର୍ରେ ନିର୍ଦ୍ଧାରିତ ଦିବସକୁ ଜନସେବା ଦିବସ ଭାବେ ଘୋଷଣା କରାଯାଇ ଉକ୍ତ ଦିବସରେ ଅଭିଯୋଗ ଶୁଣାଣି କରାଯିବାକୁ ସ୍ଥିର ହୋଇଛି। ଏନେଇ ବିଏମ୍ସି କମିସନର ଡ. କୁମାର ବୈଠକରେ ଘୋଷଣା କରିଛନ୍ତି।
ଏହାଛଡ଼ା ପ୍ରାଥମିକ ପର୍ଯ୍ୟାୟରେ ମାସର ପ୍ରଥମ ଏବଂ ୧୬ ତାରିଖକୁ ଜନସେବା ଦିବସ ଭାବେ ସ୍ଥିର କରିବାକୁ ଆଲୋଚନା ହୋଇଛି। ଉକ୍ତ ଦିନ ସରକାରୀ କାର୍ଯ୍ୟ ଦିବସ ହୋଇ ନ ଥିଲେ ଏହାର ପରବର୍ତର୍ୀ କାର୍ଯ୍ୟ ଦିବସକୁ ଅଭିଯୋଗ ଶୁଣାଣି ପାଇଁ ଧାର୍ଯ୍ୟ କରାଯିବ। ସେହିପରି ବିଏମ୍ସିର ୬୭ଟି ୱାର୍ଡକୁ ନେଇ ୧୨ଟି ସବ୍ ଜୋନ୍ ଗଠନ କରାଯାଇଛି। ସମସ୍ତ ସବ୍ ଜୋନ୍ଗୁଡ଼ିକର ପ୍ରତ୍ୟେକ ୧୫ ଦିନରେ ଥରେ କାର୍ଯ୍ୟର ସମୀକ୍ଷା କରାଯିବ ବୋଲି ସ୍ଥିର ହୋଇଛି। ଜନ ସେବା ଦିବସରେ ସରକାରଙ୍କ ମଧୁବାବୁ ପେନ୍ସନ୍ ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା ଭଳି ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକ ସହ ସମ୍ପର୍କିିତ ଅଭିଯୋଗର ଶୁଣାଣି ହେବ। ଏହି ବୈଠକରେ ଜୋନାଲ୍ ଡେପୁଟି କମିସନର, ୱାର୍ଡ ଅଧିକାରୀ, କମ୍ୟୁନିଟି ଅର୍ଗାନାଇଜର୍ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେବେ।