ଭୁବନେଶ୍ବର: ବିଏମ୍ସି ପକ୍ଷରୁ ବିଦ୍ୟୁତ୍ମାର୍ଗସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା (ସିଆଇବି) କାର୍ଯ୍ୟାଳୟ ଏବଂ ସତ୍ୟନଗରସ୍ଥିତ କ୍ବାର୍ଟର୍ସ ଅଞ୍ଚଳକୁ ସିଲ୍ କରାଯାଇଛି। ଏହି କାର୍ଯ୍ୟାଳୟକୁ ଏପ୍ରିଲ ୬ରୁ ୧୯ତାରିଖ ପର୍ଯ୍ୟନ୍ତ ସିଲ୍ କରାଯାଇଥିବା ନେଇ ବିଏମ୍ସି ପକ୍ଷରୁ କୁହାଯାଇଛି। ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, କେନ୍ଦ୍ରୀୟ ଗୁଇନ୍ଦା କାର୍ଯ୍ୟାଳୟର ଜଣେ ଅଧିକାରୀ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ନେଇ ସ୍ପଷ୍ଟ ହେବା ପରେ ସିଆଇବି କାର୍ଯ୍ୟାଳୟକୁ ସିଲ୍ କରି ବିଶୋଧନ କରାଯାଇଛି। ଏହାସହ ସମସ୍ତ କର୍ମଚାରୀଙ୍କୁ ୧୪ଦିନିଆ ସଙ୍ଗରୋଧରେ ରହିବାକୁ କୁହାଯାଇଛି। ଏପ୍ରିଲ ୨୦ରେ ସିଆଇବି କାର୍ଯ୍ୟାଳୟ ଖୋଲିବ। ସେହିପରି ଜନପଥ ନିକଟସ୍ଥ ସତ୍ୟନଗରରେ ପ୍ଲଟ୍ ନଂ-୧୧/ଏରେ ସିଆଇବିର ୪୮ଜଣ କର୍ମଚାରୀ ରହୁଥିବା ବେଳେ ସମସ୍ତଙ୍କୁ ସଙ୍ଗରୋଧ ଭାବେ ରଖାଯାଇଛି। ଏହାକୁ ବି ଏପ୍ରିଲ ୬ରୁ ୧୯ ତାରିଖ ପର୍ଯ୍ୟନ୍ତ ସିଲ୍ କରାଯାଇଛି।
କେନ୍ଦ୍ରୀୟ ଗୁଇନ୍ଦା କାର୍ଯ୍ୟାଳୟ ସିଲ୍ କଲା ବିଏମ୍ସି
/sambad/media/post_attachments/wp-content/uploads/2020/04/f98h7f98sh7s98fhsfhsfhsfhshhsfhsfhsfhhsh.jpg)