ରାଜଧାନୀରରେ ଘରୋଇ ହସ୍ପିଟାଲ ଯାଞ୍ଚ କଲା ବିଏମ୍‌ସି

ଭୁବନେଶ୍ବର : କୋଭିଡ୍‌-୧୯ କଟକଣା ମାନି ନଥିବାରୁ ଏବଂ ଚାରି ଦିନରେ ୨୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ବିଏମ୍‌ସି କର୍ତ୍ତୃପକ୍ଷ ମଞ୍ଚେଶ୍ବରରେ ଥିବା ବ୍ଲୁ ହୁଇଲ୍‌ ହସ୍ପିଟାଲକୁ ବୁଧବାର ସିଲ୍‌ କରିଥିଲେ। ଏହାପରେ ଆଜି ବିଏମ୍‌ସିର ତିନିଟି ଜୋନ୍‌ର ଜୋନାଲ ଡେପୁଟି କମିସନରମାନେ ରାଜଧାନୀର ୧୦ଟି ଘରୋଇ ହସ୍ପିଟାଲରେ ସ୍ଥିତି ଯାଞ୍ଚ କରିଛନ୍ତି।

ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର ଚୌଧରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ତିନି ଜେଡ୍‌ଡିସିଙ୍କ ନେତୃତ୍ବରେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ, ବିଏମ୍‌ସି ଓ ବିଡିଏର ଏନଫୋର୍ସମେଣ୍ଟ ଟିମ୍‌, କମିସନରେଟ୍‌ ପୁଲିସକୁ ନେଇ ଗଠନ ହୋଇଥିବା ସ୍କ୍ବାଡ୍‌ କର କ୍ଲିନିକ୍‌, ନୀଳାଚଳ ହସ୍ପିଟାଲ୍‌, ମୋହନ ଡାଇବେଟିକ୍ ସେଣ୍ଟର୍‌, କଳିଙ୍ଗ ହସ୍ପିଟାଲ୍‌, କେୟାର୍ ହସ୍ପିଟାଲ୍‌, ଆପୋଲୋ ହସ୍ପିଟାଲ୍‌, ଉସ୍ତି ହସ୍ପିଟାଲ୍‌, ହେଲ୍‌ଥ ଭିଲେଜ ହସ୍ପିଟାଲ୍‌, ବିବେକାନନ୍ଦ ହସ୍ପିଟାଲ୍‌ ଏବଂ ରୁଚିକା ନର୍ସିଂ ହୋମ୍‌ ପରିଦର୍ଶନ କରି ଯାଞ୍ଚ କରିଥିଲେ।

କୋଭିଡ୍‌-୧୯ କଟକଣା ଅନୁଯାୟୀ ଘରୋଇ ହସ୍ପିଟାଲରେ ରୋଗ ନିଦାନ, ଚିକିତ୍ସା, ଅସ୍ତ୍ରୋପ୍ରଚାର, କୋଭିଡ୍‌ ପାଇଁ ସ୍କ୍ରିନିଂ, ବିଶୋଧନ, ରୋଗୀଙ୍କ ବିବରଣୀ, ସନ୍ଦିଗ୍ଧଙ୍କ ବାବଦରେ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା, ସାମାଜିକ ଦୂରତା, ବର୍ଜ୍ୟ ପରିଚାଳନା, ପାରିପାର୍ଶ୍ବିକ ସ୍ବଚ୍ଛତା ଏବଂ ବିଶୋଧନ ଇତ୍ୟାଦି କରୁଛନ୍ତି କି ନାହିଁ ତାହା ଯାଞ୍ଚ କରିଥିଲେ। କେତେକ ହସ୍ପିଟାଲ କର୍ତ୍ତୃପକ୍ଷ କୋଭିଡ୍‌-୧୯ କଟକଣା ମାନୁନଥିବା ଜଣାପଡ଼ିଛି। କିନ୍ତୁ କୌଣସି ହସ୍ପିଟାଲକୁ ସିଲ୍‌ କରାଯାଇନି। ଜେଡ୍‌ଡିସିଙ୍କ ଯାଞ୍ଚ ରିପୋର୍ଟକୁ ତର୍ଜମା କରିବା ପରେ ଆବଶ୍ୟକ ନୋଟିସ୍‌ ଜାରି ହେବ ବୋଲି ବିଏମ୍‌ସିର ଡେପୁଟି କମିସନର (ପରିମଳ) ଶୁଭେନ୍ଦୁ କୁମାର ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର