ନୋ ହୋର୍ଡିଂ ଜୋନ୍‌ରେ ଲାଗିବନି ଦଳୀୟ ପତାକା

ବେଆଇନ ହୋର୍ଡିଂ ରୋକିବାକୁ ବିଏମ୍‌ସିର ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ନୋ ହୋର୍ଡିଂ ଜୋନ୍‌ ଏଣିକି ସାଧାରଣ ଲୋକ, ବ୍ୟବସାୟୀ ଏବଂ ରାଜନୈତିକ ଦଳଙ୍କ ପାଇଁ ସମାନ ହେବ। କେହି ବି ନୋ ହୋର୍ଡିଂ ଜୋନ୍‌ରେ ଆଉ ଦଳୀୟ ପତାକା, ଫ୍ଲେକ୍ସ, ବ୍ୟାନର୍‌ ଲଗାଇ ପାରିବେନି। ଏପରିକି ରାଜଧାନୀର କେଉଁ ସ୍ଥାନରେ ରାଜନୈତିକ ଦଳ କେତେ ପତାକା, ବ୍ୟାନର ଲଗାଇବେ, କେତେ ଦିନ ପାଇଁ ଲଗାଇବେ ସେନେଇ ଅନୁମତି ନେବେ।

ବିଏମ୍‌ସି ପକ୍ଷରୁ ଏହି ନିୟମ ନୂଆ ବର୍ଷରୁ କଡ଼ାକଡ଼ି ଭାବେ ଲାଗୁ ହେବ। ପୂର୍ବରୁ ଏହି ନିୟମ ଥିଲେ ହେଁ ରାଜନୈତିକ ଦଳଗୁଡ଼ିକ ବିଭିନ୍ନ ସମାବେଶ ଓ ବୈଠକ ପୂର୍ବରୁ ପୂରା ରାଜଧାନୀକୁ ଦଳୀୟ ପତାକା, ଦଳ ନେତାଙ୍କ ଫଟୋ ଛାଇ ଦେଉଥିଲେ। ଏହାଦ୍ୱାରା ରାଜଧାନୀର ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବା ଅଭିଯୋଗ ହେବା ପରେ ଆଜି ବିଏମ୍‌ସି ପକ୍ଷରୁ ସର୍ବଦଳୀୟ ବୈଠକ ଡାକି ଆଲୋଚନା ହୋଇଛି। ଏଥିରେ ରାଜ୍ୟର ପ୍ରାୟ ସମସ୍ତ ଦଳର ପ୍ରତିନିଧିମାନେ ଯୋଗଦେଇ ଆଲୋଚନା କରିଥିଲେ। ଏହାପରେ ନୂଆବର୍ଷରୁ ନୂଆ ନିୟମ ଲାଗୁ କରିବା ନେଇ ନିଷ୍ପତ୍ତି ହୋଇଛି।
ବିଏମ୍‌ସି କମିସନର୍‌ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ସର୍ବଦଳୀୟ ବୈଠକରେ ରାଜଧାନୀର ବିଭିନ୍ନ ଅଞ୍ଚଳକୁ ନୋ-ହୋର୍ଡିଂ ଜୋନ୍‌ ଘୋଷଣା କରାଯାଇଥିବା ବେଳେ ଏହାର ସଫଳ କାର୍ଯ୍ୟକାରିତା ପାଇଁ ଆଲୋଚନା କରାଯାଇଥିଲା।

ଏହି ଆଲୋଚନା ବେଳେ ବିଭିନ୍ନ ଦଳର ପ୍ରତିନିଧିମାନେ କହିଥିଲେ, ହୋର୍ଡିଂ ପାଇଁ ନିଆଯାଉଥିବା ଅନୁମତି, କେଉଁ ସ୍ଥାନ ପାଇଁ ଏବଂ କେତେ ସଂଖ୍ୟକ ହୋର୍ଡିଂ ପାଇଁ ଅନୁମତି ପ୍ରଦାନ କରାଯାଉଛି ସେନେଇ ଏକ ସବିଶେଷ ବିବରଣୀ ଦିଆଯାଉ। ଖୁବ୍‌ ଶୀଘ୍ର ଏହି ସମସ୍ତ ତଥ୍ୟ ବିଏମ୍‌ସି େଓ୍ଵବସାଇଟରେ ଉପଲବ୍ଧ ହେବ ବୋଲି କମିସନର କହିଥିଲେ। ରାଜନୈତିକ ଦଳଗୁଡ଼ିକ ହୋର୍ଡିଂ ଲଗାଇବା ପୂର୍ବରୁ ଅନୁମତି ନେବେ, ସେଥିପାଇଁ ରହିଥିବା ଆବେଦନ ଫର୍ମକୁ ସରଳ କରି ପ୍ରସ୍ତୁତ କରାଯିବ। ଏଥିରେ ଗୋଟିଏ ଦଳ ହୋର୍ଡିଂ ଲଗାଇବାକୁ ନେଇଥିବା ସମସ୍ତ ବିବରଣୀ ଆଗୁଆ ସୂଚନା ଦେବେ।

ବିଏମ୍‌ସିର ପୂର୍ବରୁ ୪ଟି ନୋ ହୋର୍ଡିଂ ଜୋନ୍‌ ରହିଥିବା ବେଳେ ଏବେ ଐତିହ୍ୟ ଅଞ୍ଚଳ ବା ପୁରୁଣା ଭୁବନେଶ୍ୱରର କିଛି ଅଞ୍ଚଳକୁ ନୋ-ହୋର୍ଡିଂ ଜୋନ୍‌ ଭାବେ ଘୋଷଣା କରିବାକୁ ସ୍ଥିର ହୋଇଛି। ସେହିପରି ବିମାନ ବନ୍ଦରରୁ ପିଏମ୍‌ଜି ଦେଇ ହାଉସିଂ ବୋର୍ଡ ଛକ, ଶିଶୁ ଭବନ ଛକରୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଛକ, ଏଜିରୁ ରାଜମହଲ, ରାଜମହଲରୁ ପାୱାର୍‌ ହାଉସ୍‌ ଦେଇ ଏସ୍‌ବିଆଇ ଛକ, ପିଏମ୍‌ଜିରୁ ଜନପଥ ଏବଂ ରବୀନ୍ଦ୍ର ମଣ୍ଡପ ଛକରୁ ୧୨୦ ବାଟାଲିଅନ୍‌ ଯାଏ ରାସ୍ତାକୁ ନୋ-ହୋର୍ଡିଂ ଜୋନ୍‌ ଘୋଷଣା କରାଯାଇଛି। ତେବେ ରାଜନୈତିକ ଦଳଗୁଡ଼ିକ ବିଭିନ୍ନ ନୋ-ହୋର୍ଡିଂ ଅଂଚଳରେ ଦଳୀୟ ପତାକା ଏବଂ ହୋର୍ଡିଂ ଲଗାଉଛନ୍ତି। ଏହାଦ୍ୱାରା ସହରର ସୌନ୍ଦର୍ଯ୍ୟ ପ୍ରଭାବିତ ହେବା ସହ ଟ୍ରାଫିକ୍‌ ଜନିତ ସମସ୍ୟା ସୃଷ୍ଟି ହେଉଛି।

ରାଜନୈତିକ ଦଳଗୁଡ଼ିକ ସହମତିରେ ଏହାର ସମାଧାନ କରିବା ପାଇଁ ବିଏମ୍‌ସି ପକ୍ଷରୁ ସମନ୍ଵୟ ବୈଠକ ଡକାଯାଇଥିଲା। ଆଇନର ଖିଲାଫ କଲେ ବିଏମ୍‌ସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦଳୀୟ ପ୍ରତିନିଧିମାନେ ସହମତି ଦେଇଛନ୍ତି। ଆଇନ ଅନୁସାରେ ଦଳମତ ନିର୍ବିଶେଷରେ ବିଏମ୍‌ସି ପକ୍ଷରୁ ନୋ-ହୋର୍ଡିଂ ଜୋନ୍‌ ଅଞ୍ଚଳରେ ବିଜ୍ଞାପନ ବା ଦଳୀୟ ପତାକା ଲଗାଇଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସେହିପରି ଏହାର ସଫଳ କାର୍ଯ୍ୟକାରିତା ପାଇଁ ବିଏମ୍‌ସି ପକ୍ଷରୁ ଏକ ସେଣ୍ଟ୍ରାଲ୍‌ ସ୍କ୍ଵାଡ୍‌ ଗଠନ କରାଯାଇଛି। ଏହି ସ୍କ୍ଵାଡ୍‌ର କାମ ରହିବ ନୋ-ହୋର୍ଡିଂ ଜୋନ୍‌ ଅଞ୍ଚଳ ତଦାରଖ କରିବା ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା। ଆଜିର ବୈଠକରେ ଭୁବନେଶ୍ୱର ଏଡିଏମ୍‌, ପୁଲିସ ଡିସିପି, ବିଏମ୍‌ସିର ଅତିରିକ୍ତ କମିଶନର, ସମସ୍ତ ଜୋନାଲ୍‌ ଡେପୁଟି କମିସନର ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର