ଚନ୍ଦ୍ରଶେଖରପୁର: ବର୍ଷେ କି ଦୁଇ ବର୍ଷ ନୁହେଁ। ଦୀର୍ଘ ୩୨ ବର୍ଷ ହେଲା ଚନ୍ଦ୍ରଶେଖରପୁର ନାଲକୋ ନଗରରେ ବେପାର କରୁଥିଲେ। ‌ଛୋଟ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ତେବେ କ’ଣ ହେଲା କେଜାଣି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ର ଉତ୍ତର ମଣ୍ଡଳ କାର୍ଯ୍ୟାଳୟର ବାବୁମାନଙ୍କ କୋପ ଦୃଷ୍ଟି ଏହି ଗରିବ ବ୍ୟବସାୟୀଙ୍କ ଉପରେ ପଡ଼ିଲା। ଫଳରେ ତିନି ଦଶନ୍ଧି ଧରି ବେପାର କରୁଥିବା ବ୍ୟବସାୟୀଙ୍କ ପେଟକୁ ବୁଧବାର ଲାତ ମାରିଛନ୍ତି। ବିନା ନୋଟିସ୍‌ରେ ଦୋକାନଗୁଡ଼ିକୁ ଭାଙ୍ଗି ଦିଆଯାଇଛି। ଯେଉଁଥିପାଇଁ ୧୫ରୁ ଅଧିକ ପରିବ‌ାର ଏବେ ଖୋଲା ଆକାଶ ତଳେ ରାତି କାଟୁଛନ୍ତି। ବିଏମ୍‌ସି ଓ ବିଡିଏର ମିଳିତ ଟିମ୍‌ ଦୋକାନଗୁଡ଼ିକ ଭାଙ୍ଗି ଦେଇ ଥିବାରୁ ସେମାନେ ଏବେ ରାତି ଅନିଦ୍ରା ହୋଇ ସାମଗ୍ରୀଗୁଡିକୁ ଜଗି ବସିଛନ୍ତି।

Advertisment

ଯଦି ନ୍ୟାୟ ନ ମିଳେ ତେବେ ସମୂହ ଆତ୍ମହୁତି ଦେବେ ବୋଲି କ୍ଷତିଗ୍ରସ୍ତ ବ୍ୟବସାୟୀମାନେ ଧମକ ଦେଇଛନ୍ତି। ବ୍ୟବସାୟୀଙ୍କ କହିବା କଥା ହେଉଛି ଯେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ବଡ଼ ବଡ଼ିଆ ସରକାରୀ ବାବୁମାନେ ଏକର ଏକର ଜମି ମାଡ଼ିବସିଛନ୍ତି। ସେମାନଙ୍କର ଉଚ୍ଛେଦ ହେଉନି। ହେଲେ ଆମମାନଙ୍କ ପ୍ରତି ଅନ୍ୟାୟ କରାଯାଉଛି। ଦୋକାନ ଖଣ୍ଡେ କଲେ ବି ତାହାକୁ ଭାଙ୍ଗି ଦେଉଛନ୍ତି। ଯେଉଁଠାରେ ଦୋକାନ ହୋଇଥିଲା ସେହି ସ୍ଥାନକୁ ବିଏମ୍‌ସି ହିଁ ଦେଇଥିଲା। ୨୦୧୬-୧୭ ମସିହାରେ ଫର୍ଚ୍ୟୁନ ଟାୱାରରୁ-ମୈତ୍ରୀ ବିହାର ରାସ୍ତାର ପ୍ରଶସ୍ତୀକରଣ ପାଇଁ ଭୁବ‌ନେଶ୍ବର ମହାନଗର ନିଗମ(ବିଏମ୍‌ସି), ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଓ ପୂର୍ତ୍ତ ବିଭାଗ ମିଳିତ ଭାବେ ଉଚ୍ଛେଦ କରିଥିଲେ। ଏହି ସମୟରେ ହାଇକୋର୍ଟଙ୍କ ରହିତାଦେଶ ଯୋଗୁଁ ବିଏମ୍‌ସି ନାଲକୋ କଲୋନି ନିକଟରେ ୨୦ ଜଣ ବ୍ୟବସାୟୀଙ୍କୁ ଥଇଥାନ କରାଯାଇଥିଲା। ତେବେ ବୁଧବାର ବିନା ନୋଟିସ୍‌ରେ ଘରଗୁଡ଼ିକୁ ଭାଙ୍ଗି ଦିଆଯାଇଛି। ଭଙ୍ଗାଯାଇଥିବା ଘରଗୁଡ଼ିକ ରାସ୍ତା ଓ ଡ୍ରେନ୍‌ଠାରୁ ୧୦ ଫୁଟ୍‌ ଦୂରରେ ରହିଥିଲା। କାହାର କିଛି ଅସୁବିଧା ନ ଥିଲା। ତେବେ ବିଏମ୍‌ସିର ଅଧିକାରୀମାନେ ଉଦ୍ଦେଶ୍ୟମୂଳକ ଭାବେ ଦୋକାନ ଘରଗୁଡ଼ିକ ଭାଙ୍ଗି ଦେଇଛନ୍ତି। ଯେତେ ପ୍ରତିବାଦ କଲେ ମଧ୍ୟ କେହି ଶୁଣୁନାହାନ୍ତି। ବିଏମ୍‌ସି ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକୁ ଆଗାମୀ ଦିଗରେ ପ୍ରବଳ ବିରୋଧ କରାଯିବ। ଯଦି ବ୍ୟବସାୟୀଙ୍କୁ ତୁରନ୍ତ ଥଇଥାନ କରା ନ ଯାଏ ତେବେ ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ସମୂହ ଆତ୍ମହୁତି ‌ଦେବୁ ବୋଲି କ୍ଷତିଗ୍ରସ୍ତ ବ୍ୟବସାୟୀ ମୁରଲିଧର ବାରିକ, ଭୂତନାଥ ଦେ, ଏସ୍‌. ଶାନ୍ତି, ବେଙ୍ଗଲତା ବେହେରା, କବୀନ୍ଦ୍ର ବେହେରା, ଉମିଲା ରାଉତ, ଜଗବନ୍ଧୁ ବେହେରା ପ୍ରମୁଖ ଲିଖିତ ଆକାରରେ ‘ସମ୍ବାଦ’କୁ ଜଣାଇଛନ୍ତି।