ଧିମେଇ ଯାଇଛି ବିଏମ୍‌ସିର କାର୍ଯ୍ୟ: ୫୦୦ ପ୍ରକଳ୍ପ ପାଇଁ ମାଷ୍ଟରପ୍ଲାନ୍‌

ଭୁବନେଶ୍ୱର,: ଆର୍ଥିକ ବର୍ଷ ଅଧାରୁ ଅଧିକ ସରି ଯାଇଥିଲେ ହେଁ ବିଏମ୍‌ସିର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଯୋଜନା ଅନୁଯାୟୀ ଆଗେଇପାରିନି। କେଉଁଠି ଜବରଦଖଲ ଯୋଗୁଁ ରାସ୍ତା, ଡ୍ରେନ୍‌ ନିର୍ମାଣ ହୋଇପାରୁନି ତ କେଉଁଠି ଟେଣ୍ଡର ପାଇଥିବା ସଂସ୍ଥା କାମ କରୁନି। ଆଉ କେତେକ ପ୍ରକଳ୍ପ ଜିଏସ୍‌ଟି ଲାଗୁ ହେବା ପରେ ଅଧାରେ ଅଟକିଛି। ଏହିପରି ବିଏମ୍‌ସିର ୫୦୦ରୁ ଅଧିକ ପ୍ରକଳ୍ପ ଚଳିତ ଆର୍ଥିକ ବର୍ଷରେ ଶେଷ ହେବାକୁ ଥିଲେ ହେଁ ଆଖିଦୃଶିଆ ଆଗେଇ ପାରିନି। ତେଣୁ ୬୭ଟି ଯାକ ଓ୍ଵାର୍ଡରେ ସମସ୍ତ ପ୍ରକଳ୍ପ କାର୍ଯ୍ୟ କିପରି ଶୀଘ୍ର ଆରମ୍ଭ ହେବ, ପ୍ରକଳ୍ପ ଆରମ୍ଭ ନେଇ ଥିବା ସମସ୍ୟା ଦୂର ହେବ ସେଥିପାଇଁ ଆଜି ମେୟର ଅନନ୍ତ ନାରାୟଣ ଜେନାଙ୍କ ଅଧ୍ୟକ୍ଷତାରେ ୫୦୦ରୁ ଅଧିକ ପ୍ରକଳ୍ପର ସମୀକ୍ଷା ହୋଇଛି।

ଏଥିରେ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ସଂପୃକ୍ତ ଇଂଜିନିୟର, ବରିଷ୍ଠ ଅଧିକାରୀ, ଜୋନାଲ୍‌ ଡେପୁଟି କମିସନର, ଅର୍ଥ ବିଭାଗର ଅଧିକାରୀ, ଏପରିକି କର୍ପୋରେଟର ଏବଂ ଷ୍ଟାଣ୍ଡିଂ କମିଟିର ଅଧକ୍ଷ୍ୟମାନେ ଉପସ୍ଥିତ ରହି ବିସ୍ତୃତ ଆଲୋଚନା କରିଥିଲେ। କିପରି ସମସ୍ତ ପ୍ରକଳ୍ପ ଠିକ୍‌ ସମୟରେ ଶେଷ ହେବ ସେନେଇ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ ହୋଇଛି। ସମସ୍ତ ପ୍ରକଳ୍ପ ବିଷୟରେ ୭ଦିନ ମଧ୍ୟରେ ସବିଶେଷ ରିପୋର୍ଟ ଦେବାକୁ ବିଏମ୍‌ସିର ୧୨ଟି ସବ୍‌ଜୋନ୍‌ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିରେ ସମସ୍ତ ପ୍ରକଳ୍ପର ଟେଣ୍ଡର୍‌ ସ୍ଥିତି, ଆକଳନ ସ୍ଥିତି, ପ୍ରକଳ୍ପର ଆରମ୍ଭ ତଥା ଶେଷ ହେବାର ଅବଧି, ଜବରଦଖଲର ନେଇ ରହିଥିବା ସମସ୍ୟା ଇତ୍ୟାଦି ସଂକ୍ରାନ୍ତରେ ଆଲୋଚନା କରିବା ସହ ସମସ୍ତ ବିଳମ୍ବିତ କାର୍ଯ୍ୟକୁ ୭ ଦିନ ମଧ୍ୟରେ ତ୍ୱରାନ୍ଵିତ କରିବାକୁ ମେୟର ଅନନ୍ତ ନାରାୟଣ ଜେନା ନିର୍ଦ୍ଦେଶ ଦେଇଛନ୍ତି।ଏହି ୫୦୦ ପ୍ରକଳ୍ପରେ ବିଭିନ୍ନ ଅଞ୍ଚଳକୁ ଷ୍ଟ୍ରିଟ ଲାଇଟ୍‌, ଡ୍ରେନ୍‌ ମରାମତି ଓ ନୂଆ ନିର୍ମାଣ, ରାସ୍ତା ମରାମତି ଓ ନୂଆ ରାସ୍ତା, ପୋଖରୀ ପୁନରୁଦ୍ଧାର, ଭେଣ୍ଡିଂ ଜୋନ୍‌ ନିର୍ମାଣ ଆଦି ରହିଛି। ସେହିପରି ହଜ ପୋଖରୀ ପୁନରୁଦ୍ଧାର ଏବଂ ଫିସେରି ଟ୍ୟାଙ୍କ୍‌ର ନବୀକରଣ କାର୍ଯ୍ୟ ତ୍ୱରାନ୍ଵିତ କରିବାକୁ ସ୍ୱତନ୍ତ୍ର ଭାବେ କୁହାଯାଇଛି। ପ୍ରକଳ୍ପ ନିର୍ମାଣରେ ଜବରଦଖଲ ଯେପରି ବାଧକ ନ ସାଜିବ ସେଥିପାଇଁ ଜିରୋ ଟଲରାନ୍ସ ନୀତି ଆପଣାଇବାକୁ ମେୟର ନିର୍ଦ୍ଦେଶ ଦେଇଛନ୍ତି।
ଆଜିର ବୈଠକରେ ବିଭିନ୍ନ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, କର୍ପୋରେଟର, ଅତିରିକ୍ତ କମିସନର ଶୁଭମ୍‌ ସକ୍‌ସେନା, ସିଟି ଇଂଜିନିୟର ଦ୍ୱୀପାୟନ ପଟ୍ଟନାୟକ, ବିତ୍ତ ଅଧିକାରୀ ଲାବଣ୍ୟ ସବର, ବିଭିନ୍ନ ଜୋନ୍‌ର ଡେପୁଟି କମିସନରମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର