ଭୁବନେଶ୍ୱର: ୨୦୧୭ ମସିହା ଅଗଷ୍ଟ ମାସ। ଓ୍ଵାର୍ଡ ନମ୍ବର-୧୮ରେ ଉପନିର୍ବାଚନର ସମ୍ଭାବନା ଦେଖାଦେଲା। ସଙ୍ଗେସଙ୍ଗେ ବିକାଶ ପାଇଁ କୋଟିଏ ଟଙ୍କାର ଅର୍ଥ ବରାଦ ହେଲା। ମାରାଥନ୍ ଶିଳାନ୍ୟାସ କରାଗଲା। ହଠାତ୍ ଅଦାଲତି କଟକଣା ଯୋଗୁଁ ଉପନିର୍ବାଚନ ଆଶଙ୍କା ଟଳିଗଲା। ତାହା ସହ ଦୋହଲିଗଲା ବିକାଶମୂଳକ ପ୍ରକଳ୍ପର ଭାଗ୍ୟ। କେବଳ ଶିଳାନ୍ୟାସରେ ଅଟକିଗଲା କୋଟିଏ ଟଙ୍କାର ପ୍ରକଳ୍ପ। ବିଏମ୍ସିର ଏପରି ସଫେଦ୍ ଠକେଇକୁ ନେଇ ଭୀଷଣ ଅସନ୍ତୁଷ୍ଟ ଓ୍ଵାର୍ଡ ବାସିନ୍ଦା। ଲୋକଙ୍କ ଆଖିରେ ଧୂଳି ଦେଇ କିପରି ଠକାଯାଏ, ତାହା ବିଏମ୍ସି କର୍ତ୍ତୃପକ୍ଷ ସ୍ପଷ୍ଟ ଦିବାଲୋକରେ ଦେଖାଇ ଦେଇଛନ୍ତି। ସରକାରଙ୍କଠାରୁ କୋଟିଏ ଟଙ୍କା ନେଇ ବି ଖର୍ଚ୍ଚ କରିପାରୁ ନାହାନ୍ତି। ଏକ ବର୍ଷ ବିତି ଯାଇଥିଲେ ବି ଇଟା ଖଣ୍ଡେ ପଡ଼ିବା ଦୂରର କଥା, ଟେଣ୍ଡର୍ ପ୍ରକ୍ରିୟା ବି ଆରମ୍ଭ ହୋଇପାରିନି। ୨୦୧୪ ବିଏମ୍ସି ନିର୍ବାଚନରେ ୧୮ ନମ୍ବର ଓ୍ଵାର୍ଡରୁ ନିର୍ବାଚିତ ହୋଇଥିଲେ ସ୍ୱାଧୀନ ପ୍ରାର୍ଥୀ ସୁକାନ୍ତି ସୁବୁଦ୍ଧି। ତେବେ ସୁକାନ୍ତିଙ୍କ ନାମରେ ଭୁଲ୍ ସତ୍ୟପାଠ ନେଇ ଅଭିଯୋଗ ଉଠିଥିଲା। ତାଙ୍କ ସ୍କୁଲ୍ ସାର୍ଟିଫିକେଟ୍ରେ ଯେଉଁ ନାମ ଥିଲା ନିର୍ବାଚନ ବେଳେ ସତ୍ୟପାଠରେ ଭିନ୍ନ ନାମ ଥିଲା। ଏହାକୁ ନେଇ ପରାଜିତ ବିଜେଡି ପ୍ରାର୍ଥୀ ପୁନମ ପରିଡ଼ା ଖୋର୍ଦ୍ଧା ଜିଲ୍ଲା ସେସନ୍ କୋର୍ଟରେ ମାମଲା ରୁଜୁ କଲେ। ତେବେ ଜିଲ୍ଲା ସେସନ୍ କୋର୍ଟରେ ମାମଲା ଖାରଜ ହୋଇଯିବାରୁ ସେ ଏହା ବିରୋଧରେ ହାଇକୋର୍ଟ ଗଲେ। ୨୦୧୭ ଜୁଲାଇ ୨୮ ତାରିଖରେ ହାଇକୋର୍ଟ ସୁକାନ୍ତି ସୁବୁଦ୍ଧିଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହ ଦୁଇ ମାସ ମଧ୍ୟରେ ଉପନିର୍ବାଚନ ସାରିବାକୁ ନିର୍ଦ୍ଦେଶ ଦେଲେ।
ଓ୍ଵାର୍ଡ ନମ୍ବର-୧୮ରେ ଝୁଲିଛି ୧ କୋଟି ଟଙ୍କାର ୪ ପ୍ରକଳ୍ପ
ଉପନିର୍ବାଚନ ସମ୍ଭାବନା ଥିବାରୁ ହୋଇଥିଲା ଶିଳାନ୍ୟାସ
ସାଧାରଣ ପ୍ରଶାସନ ଓ ଜଳସମ୍ପଦ ବିଭାଗ ଏନ୍ଓସି ଦେଉନି: ବିଏମ୍ସି
ନିର୍ବାଚନ ପାଇଁ ମାତ୍ର ଦୁଇ ମାସ ସମୟ ଥିବାରୁ ବିଏମ୍ସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଲା। ଉପନିର୍ବାଚନରେ ଜିତିବା ଶାସକ ଦଳ ପାଇଁ ଏକ ସମ୍ମାନର ପ୍ରଶ୍ନ ହୋଇଥିଲା। ଯଦିଓ ସୁକାନ୍ତି ସ୍ୱାଧୀନ ଭାବେ ଜିତିଥିଲେ, ତେବେ ପରବର୍ତ୍ତୀ ସମୟରେ ସେ ବିଜେଡିରେ ମିଶିଯାଇଥିଲେ। ଉପନିର୍ବାଚନକୁ ଆଖି ଆଗରେ ରଖି ସେହି ଓ୍ଵାର୍ଡର ଦୀର୍ଘ ଦିନର ସମସ୍ୟା ସମାଧାନ ପାଇଁ ବିଏମ୍ସି ପକ୍ଷରୁ ପ୍ରତିଶ୍ରୁତି ଦିଆଯିବା ସହ ଯୋଜନା ପ୍ରସ୍ତୁତ କରାଗଲା। ଚାରିଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ତାଲିକା ଓ ବଜେଟ୍ ପ୍ରସ୍ତୁତ କରାଗଲା। ପଳାସୁଣିରେ ରାସ୍ତା ଓ ଡ୍ରେନ୍ କାମ(୩୮ ଲକ୍ଷ ଟଙ୍କା), ପାଣ୍ଡରା ଭାଗବତ ଘର ଚାରିପାଖେ କଂକ୍ରିଟ୍ କାମ(୫ଲକ୍ଷ), ପାଣ୍ଡରାରେ ମଶାଣି ନିର୍ମାଣ(୨୫ ଲକ୍ଷ) ଓ କେନାଲ ରୋଡ୍ରୁ ପାଣ୍ଡରା ରାସ୍ତା ନବୀକରଣ ସହ ପ୍ରଶସ୍ତୀକରଣ(୩୨ ଲକ୍ଷ)। ଚାରିଟି ପ୍ରକଳ୍ପ ବାବଦକୁ ମୋଟ୍ ୧ କୋଟି ଟଙ୍କା ରାଜ୍ୟ ସରକାର ‘ସ୍ପେସାଲ୍ ପ୍ରୋବ୍ଲେମ୍ ଫଣ୍ଡ୍’ରୁ ମଞ୍ଜୁର କଲେ। ଯେ କୌଣସି ସମୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ସମ୍ଭାବନା ଥିବାରୁ ଅଗଷ୍ଟ ୯ ତାରିଖରେ ହିଁ ସବୁ ପ୍ରକଳ୍ପକୁ ତରବରିଆ ଭାବେ ଶିଳାନ୍ୟାସ କରିଦିଆଗଲା। ମନ୍ତ୍ରୀ, ସ୍ଥାନୀୟ ବିଧାୟକ, ମେୟର ପ୍ରକଳ୍ପଗୁଡ଼ିକ ଶିଳାନ୍ୟାସ କଲେ ଓ ଲୋକଙ୍କୁ ବିକାଶର ଗୋଲାପି ଛବି ଦେଖାଇଲେ। କିନ୍ତୁ ଏହି ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ପାଇଁ ଯେଉଁ ତତ୍ପରତା ପ୍ରକାଶ ପାଇଥିଲା, ତାହାର କିଛି ଦିନ ପରେ ସବୁ ଶିଥିଳ ପଡ଼ିଗଲା। କର୍ପୋରେଟର୍ ସୁକାନ୍ତି ସୁବୁଦ୍ଧି ହାଇକୋର୍ଟରେ ରିଭ୍ୟୁ ପିଟିସନ୍ ଦାଖଲ କରିଥିଲେ। ୨୦୧୭ ଅଗଷ୍ଟ ୧୮ ତାରିଖରେ ହାଇକୋର୍ଟ ପୂର୍ବ ରାୟ ଉପରେ ସ୍ଥଗିତାଦେଶ ଜାରି କରିବାରୁ ଉପନିର୍ବାଚନ ଆଶଙ୍କା ଟଳିଯାଇଥିଲା। ଏହା ସହ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ବିଏମ୍ସିରେ ତତ୍ପରତା ପ୍ରକାଶ ପାଇଲା ନାହିଁ। ଏପରିକି ପ୍ରକଳ୍ପର ଜମି, ବୈଷୟିକ ମଞ୍ଜୁରି ପ୍ଲାନ୍ ଓ ବ୍ୟୟ ଅଟକଳ ମଧ୍ୟ ବିଏମ୍ସି ପକ୍ଷରୁ ଦୀର୍ଘ ଦିନ ଧରି ଜିଲ୍ଲା ଯୋଜନା ୟୁନିଟ୍ରେ ଦାଖଲ ହୋଇପାରି ନ ଥିଲା। ଏ ନେଇ ଜିଲ୍ଲା ଯୋଜନା ୟୁନିଟ୍ ପକ୍ଷରୁ ଏକାଧିକ ଥର ବିଏମ୍ସିକୁ ଚିଠି ଲେଖାଯାଇଥିଲେ ବି ବିଏମ୍ସି କର୍ତ୍ତୃପକ୍ଷ ଚୁପ୍ଚାପ୍ ବସିପଡ଼ିଲେ। ଶିଳାନ୍ୟାସକୁ ଏହା ମଧ୍ୟରେ ଠିକ୍ ଏକ ବର୍ଷ ପୂରଣ ହୋଇଛି। କେବଳ ଶିଳାନ୍ୟାସ ଫଳକ ସ୍ଥାପନ ହେବା ବ୍ୟତୀତ ଆଉ କାମ ଆଗେଇ ନାହିଁ। କାମର ବିଳମ୍ବ ନେଇ ବିଭିନ୍ନ ଆଳ ଦେଖାଇବା ବ୍ୟତୀତ ବିଏମ୍ସି କର୍ତ୍ତୃପକ୍ଷଙ୍କ ପାଖରେ କିଛି ଉତ୍ତର ନାହିଁ। ଏ ସମ୍ପର୍କରେ ବିଏମ୍ସି ନିର୍ବାହୀ ଯନ୍ତ୍ରୀ ପିଏନ୍ଏସ୍ ପାତ୍ର କହିଛନ୍ତି, ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଜଳସମ୍ପଦ ଓ ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଅଛି। ତେଣୁ ଏନ୍ଓସି ପାଇଁ ଦୁଇ ବିଭାଗକୁ ଚିଠି ଲେଖାଯାଇଛି। ଦୁଇଟି ବିଭାଗକୁ ତିନି ଥର ଚିଠି ଲେଖାଯାଇଥିଲେ ହେଁ କିଛି ଉତ୍ତର ମିଳିନାହିଁ। ପ୍ରକଳ୍ପ ହେବାକୁ ଥିବା ଜମି ଉପରେ ଏନ୍ଓସି ମିଳିନଥିବାରୁ ଆମେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିନାହୁଁ। ଏକ ବର୍ଷ ମଧ୍ୟରେ ସଚିବାଳୟରୁ ଏନ୍ଓସି ଆଣିବାରେ ବିଫଳ ବିଏମ୍ସି କେଉଁ ସାହସରେ ଶିଳାନ୍ୟାସ କରିଥିଲା, ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ମାର୍ଟ ସିଟିର ସ୍ୱପ୍ନ ଦେଖାଇ ଯୋଜନା ପାହାଡ଼ ଖଞ୍ଜୁଥିବା କର୍ତ୍ତୃପକ୍ଷଙ୍କ ଏହି ସ୍ମାର୍ଟ ଠକେଇକୁ ସ୍ଥାନୀୟ ଲୋକ ସହଜରେ ହଜମ କରିପାରୁ ନାହାନ୍ତି।