ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷଙ୍କ ବର୍ଷକର କାର୍ଯ୍ୟକାଳ ଶେଷ ହୋଇଥିବାବେଳେ ନୂଆ ଅଧ୍ୟକ୍ଷ ନିର୍ବାଚନ ପାଇଁ ବିଏମ୍ସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ୨୧ ତାରିଖରେ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଜାରିହୋଇଛି। ୨୧ ତାରିଖ ପୂର୍ବାହ୍ନ ସାଢ଼େ ୧୦ଟାରୁ ବିଏମ୍ସି ଏକାମ୍ର ହଲ୍ରେ ନାମାଙ୍କନ ସହ ଭୋଟିଂ ହେବ ଓ ଅପରାହ୍ଣ ସାଢ଼େ ୧ଟା ପରେ ଫଳାଫଳ ଘୋଷଣା ହେବ। ଏ ସଂପର୍କରେ ସମସ୍ତ ଷ୍ଟାଣ୍ଡିଂ କମିଟିର ପୂର୍ବତନ ଅଧ୍ୟକ୍ଷ ଓ ସଦସ୍ୟ କର୍ପୋରେଟର୍ଙ୍କୁ ବିଏମ୍ସି ପକ୍ଷରୁ ଚିଠି କରାଯାଇ ଅବଗତ କରାଯାଇଛି। ବିଏମ୍ସି ଡେପୁଟି କମିସନର୍ ଅଜୟ କୁମାର ମହାନ୍ତି କହିଛନ୍ତି, ଆସନ୍ତା ୨୦ ତାରିଖରେ ଷ୍ଟାଣ୍ଡିଂ କମିଟି ନିର୍ବାଚନ ପାଇଁ ଆମେ ଚିଠି କରିଥିଲୁ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଏହାକୁ ୨୧ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ସେହି ଅନୁସାରେ ସମସ୍ତ କର୍ପୋରେଟରଙ୍କୁ ଚିଠି ହୋଇଛି।
ଏହି ବିଜ୍ଞପ୍ତି ପରେ ରାଜଧାନୀ ଭୁବନେଶ୍ବରର ରାଜନୈତିକ ପାଣିପାଗ ସରଗରମ ହୋଇଛି। ଅଧ୍ୟକ୍ଷ ପଦ ଦଖଲ ପାଇଁ କସରତ ଆରମ୍ଭ ହୋଇଛି। ଗତ ବର୍ଷ ବିଜେଡି ଦଖଲରେ ସବୁ ଅଧ୍ୟକ୍ଷ ପଦ ରହିଥିଲା। ବର୍ତ୍ତମାନ ବିଜେପି ସରକାରରେ ଥିଲେ ବି ମେୟରଙ୍କ ସହ ଅଧିକାଂଶ କର୍ପୋରେଟର୍ ବିଜେଡିର। ଏଣୁ ଗତଥର ପରି ବିଜେଡି ସବୁ ଅଧ୍ୟକ୍ଷ ପଦବି ପାଇବାରେ ଅସୁବିଧା ନାହିଁ। ରାଜ୍ୟରେ ବିଜେପି ସରକାରରେ ଥିଲେ ବି ବିଏମ୍ସିରେ ସେମାନଙ୍କ ସଂଖ୍ୟା ଯଥେଷ୍ଟ କମ୍। କିନ୍ତୁ ବିଜେଡି ଭିତରେ ଆଭ୍ୟନ୍ତରୀଣ ବିବାଦ ଏବେ ବଢ଼ିଯାଇଥିବାରୁ ଅଧ୍ୟକ୍ଷ ନିର୍ବାଚନରେ ସହମତି ଆସିପାରୁଛି କି ନାହିଁ, ତାହା ଉପରେ ରାଜନୈତିକ ମହଲର ନଜର ରହିଛି। ସେଥି ପାଇଁ ଏବେ ଠାରୁ ଦଳ ଭିତରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଏହା ଏବେ ମେୟରଙ୍କ ପାଇଁ ଚ୍ୟାଲେଞ୍ଜ୍ ସଦୃଶ ହୋଇଛି।
ଭୁବନେଶ୍ବର ମହାନଗର ନିଗମର ୬୭ କର୍ପୋରେଟରଙ୍କ ଭିତରୁ ୫୪ଜଣ ବିଜେଡି, ୧୦ଜଣ ବିଜେପି ଓ ୩ଜଣ ସ୍ବାଧୀନ କର୍ପୋରେଟର ଅଛନ୍ତି। ନିୟମାନୁଯାୟୀ, ଭୁବନେଶ୍ବର ମହାନଗର ନିଗମ ଅଧୀନରେ ଟ୍ୟାକ୍ସେସନ୍, ଫାଇନାନ୍ସ ଓ ଆକାଉଣ୍ଟ୍ସ ଷ୍ଟାଣ୍ଡିଂ କମିଟି, ଜନସ୍ବାସ୍ଥ୍ୟ, ବିଜୁଳିଯୋଗାଣ, ଜଳଯୋଗାଣ, ଡ୍ରେନେଜ୍ ଓ ପରିବେଶ ଷ୍ଟାଣ୍ଡିଂ କମିଟି, ପବ୍ଲିକ୍ ୱାର୍କସ ଷ୍ଟାଣ୍ଡିଂକମିଟି, ଯୋଜନା ଓ ଉନ୍ନୟନ ଷ୍ଟାଣ୍ଡିଂକମିଟି, ଏଜୁକେସନ, ରିକ୍ରେସନ ଓ କଲ୍ଚର୍ ଷ୍ଟାଣ୍ଡିଂ କମିଟି, ଲାଇସେନ୍ସ ଓ ଅପିଲ୍ ଷ୍ଟାଣ୍ଡିଂ କମିଟି, କଣ୍ଟ୍ରାକ୍ଟ ଷ୍ଟାଣ୍ଡିଂ କମିଟି, କର୍ପୋରେସନ୍ ଏଷ୍ଟାବ୍ଲିସ୍ମେଣ୍ଟ ଷ୍ଟାଣ୍ଡିଂ କମିଟି, ଅଭିଯୋଗ ଓ ସାମାଜିକ ନ୍ୟାୟ ଷ୍ଟାଣ୍ଡି କମିଟି ଏବଂ ସ୍ଲମ୍ ସେଟଲ୍ମେଣ୍ଟ୍ ଷ୍ଟାଣ୍ଡି କମିଟି, ଏଭଳି ୧୦ଟି କମିଟି ରହିଛି। କଣ୍ଟ୍ରାକ୍ଟ କମିଟିର ସ୍ଥାୟୀ ଅଧ୍ୟକ୍ଷ ମେୟର ହୋଇଥିବାବେଳେ ୨ଜଣ ସଦସ୍ୟ ରହିଛନ୍ତି। ବାକି ୯ କମିଟିର ଅଧ୍ୟକ୍ଷ ନିର୍ବାଚନ ପ୍ରତିବର୍ଷ ହୋଇ ଆସୁଛି। ୯ କମିଟିରେ ୭ଜଣ ଲେଖାଏ କର୍ପୋରେଟର୍ ସଦସ୍ୟ ଥିବାବେଳେ ଜଣେ ଅଧ୍ୟକ୍ଷ ନିର୍ବାଚିତ ହୋଇଥାନ୍ତି। ମହାନଗର ନିଗମ ନିର୍ବାଚନ ପର୍ଯ୍ୟନ୍ତ କମିଟିର ସଦସ୍ୟ ପଦ ସ୍ଥାୟୀ ହୋଇଥିବାବେଳେ ଅଧ୍ୟକ୍ଷ କିନ୍ତୁ ପ୍ରତିବର୍ଷ ନିର୍ବାଚିତ ହୋଇଥାନ୍ତି।
ଗତବର୍ଷ ଜୁନ ମାସରେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା। ଅଧ୍ୟକ୍ଷ ପଦବି ପାଇଁ ବିଜେଡି-ବିଜେଡି ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଆଲୋଚନା ଭିତ୍ତିରେ ପ୍ରତି କମିଟି ପାଇଁ ଜଣେ ଲେଖାଏଁ ପ୍ରାର୍ଥୀପତ୍ର ଦାଖଲ କରିବେ ଓ କେଉଁ କମିଟି ପାଇଁ କିଏ ପ୍ରାର୍ଥିପତ୍ର ଦାଖଲ କରିବ, ତାହା ଚୂଡ଼ାନ୍ତ ସତ୍ତ୍ବେ ଶେଷ ମୁହୂର୍ତ୍ତରେ କର୍ପୋରେଟ୍ରମାନେ ତାହାକୁ ଗ୍ରହଣ କରି ନଥିଲେ। ୬ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ ବିଜେଡି କର୍ପୋରେଟର୍ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ ବି ସ୍ବାସ୍ଥ୍ୟ, ବିଜୁଳି ଯୋଗାଣ, ଜଳ ଯୋଗାଣ, ଡ୍ରେନେଜ୍ ଓ ପରିବେଶ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ପଦବି ପାଇଁ ଦୁଇ ବିଜେଡି କର୍ପୋରେଟର୍ ବିରଞ୍ଚି ନାରାୟଣ ମହାସୂପକାର ଓ ଭରତ ଲେଙ୍କା ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଫଳରେ ନିର୍ବାଚନ ହୋଇଥିଲା। ୭ ଭୋଟ୍ରୁ ବିରଞ୍ଚି ୪ଟି ଭୋଟ୍ ପାଇଁ ବିଜୟୀ ହୋଇଥିଲେ। ନାମାଙ୍କନପତ୍ର ପହଞ୍ଚିବା ବିଳମ୍ବ ହେବାରୁ ଦୁଇ ଅଧ୍ୟକ୍ଷ ପଦ ପାଇଁ ପୁନଃବିଜ୍ଞପ୍ତି ପ୍ରକାଶ ପାଇଥିଲା।
୨୧ରେ ବିଏମ୍ସି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିର୍ବାଚନ, ସହମତି ନା ଲଢ଼େଇ
ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷଙ୍କ ବର୍ଷକର କାର୍ଯ୍ୟକାଳ ଶେଷ ହୋଇଥିବାବେଳେ ନୂଆ ଅଧ୍ୟକ୍ଷ ନିର୍ବାଚନ ପାଇଁ ବିଏମ୍ସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ୨୧ ତାରିଖରେ..
/sambad/media/media_files/2025/06/18/mkasdf-98c8de63.jpg)