ଭୁବନେଶ୍ବର: ସାଧାରଣ ନିର୍ବାଚନ ପରେ ବିଜେଡିର ଭୁବନେଶ୍ବର ସଂଗଠନରେ ବିବାଦ ବଢ଼ିବାରେ ଲାଗିଛି। ପାଞ୍ଚଦିନ ତଳେ ନବୀନ ନିବାସକୁ କର୍ପୋରେଟର୍ମାନଙ୍କୁ ନେଇ ମେୟର ଯାଇଥିଲା ବେଳେ ସେଥିରେ ଅର୍ଦ୍ଧାଧିକ କର୍ପୋରେଟର୍ ସାମିଲ ହୋଇ ନଥିଲେ। ଦଳ ଭିତରେ ସବୁ ଠିକ୍ଠାକ୍ ଚାଲିନି ବୋଲି ଆଭାସ ମିଳିଥିଲା। ଆଜି ବିଏମ୍ସିର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିର୍ବାଚନରେ ଦଳର ଆଭ୍ୟନ୍ତରୀଣ ବିବାଦ ଖୋଲାଖୋଲି ପଦାକୁ ଆସିଛି। ଗୋଟିଏ କମିଟିର ଅଧ୍ୟକ୍ଷ ପଦବି ପାଇଁ ଦୁଇଜଣ ବିଜେଡି କର୍ପୋରେଟର୍ ପରସ୍ପର ବିରୋଧରେ ଲଢ଼ିଥିଲେ। ଏହି ଘଟଣା ଆଜି ରାଜଧାନୀ ରାଜନୀତିକୁ ବେଶ୍ ସରଗରମ କରିଛି।
ଯେହେତୁ ବିଏମ୍ସିରେ ବିଜେଡିର କର୍ପୋରେଟର୍ ସଂଖ୍ୟା ଅଧିକ, ତେଣୁ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ହାତେଇବାରେ ଦଳକୁ କୌଣସି ସମସ୍ୟା ନଥିଲା। କିନ୍ତୁ ସାଧାରଣ ନିର୍ବାଚନ ପରେ ଦଳ ଭିତରେ ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଛି। ଯେଉଁ କର୍ପୋରେଟର ଦଳକୁ ଅଡ଼ୁଆରେ ପକାଇଲେ, ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ବୋଲି ବହୁ କର୍ପୋରେଟର୍ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁ ଏହି ଅସନ୍ତୋଷ ଦ୍ବାରା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିର୍ବାଚନ ପ୍ରଭାବିତ ହେବାର ଆଶଙ୍କା ରହିଥିଲା। କର୍ପୋରେଟର୍ମାନେ ପରସ୍ପର ଭିତରେ ଛକାପଞ୍ଝାରେ ରହିଥିଲେ। ତେବେ ଏହା ଦଳ ପାଇଁ ଅଡ଼ୁଆ ସୃଷ୍ଟି କରିବା ଆଶଙ୍କା ଥିବାରୁ ଗତକାଲି ବରିଷ୍ଠ ନେତାମାନେ ବୁଝାମଣା ପାଇଁ ଉଦ୍ୟମ କରିଥିଲେ। ଶେଷରେ ନିଜ ନିଜ ଭିତରେ ନଲଢ଼ିବାକୁ ସମସ୍ତଙ୍କୁ ବୁଝାଇ ଦିଆଯାଇଥିଲା। ପ୍ରତି ଅଧ୍ୟକ୍ଷ ପଦବି ପାଇଁ ଜଣେ ଲେଖାଏ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ସ୍ଥିର ହୋଇଥିଲା। କେଉଁ କମିଟି ପାଇଁ କିଏ ପ୍ରାର୍ଥିପତ୍ର ଦାଖଲ କରିବ, ତାହା ବି ଚୂଡ଼ାନ୍ତ ହୋଇଥିଲା।
ନିର୍ବାଚନ ପରେ ଦଳ ଭିତରେ ଛକାପଞ୍ଝା ବଢ଼ୁଛି
ବିଜେଡି କର୍ପୋରେଟର୍ ପରସ୍ପର ବିରୋଧରେ ଲଢ଼ିଲେ
ଛଅ କମିଟିର ଅଧ୍ୟକ୍ଷ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ
ସେହି ଅନୁଯାୟୀ ଆଜି ୬ଟି ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ ବିଜେଡି କର୍ପୋରେଟର୍ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ଗୋଟିଏ କମିଟି ପାଇଁ ବିବାଦ ଦେଖାଦେଇଥିଲା। ସ୍ବାସ୍ଥ୍ୟ, ବିଜୁଳି ଯୋଗାଣ, ଜଳ ଯୋଗାଣ, ଡ୍ରେନେଜ୍ ଓ ପରିବେଶ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ପଦବି ପାଇଁ ଦୁଇ ବିଜେଡି କର୍ପୋରେଟର୍ ବିରଞ୍ଚି ନାରାୟଣ ମହାସୂପକାର ଓ ଭରତ ଲେଙ୍କା ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଫଳରେ ନିର୍ବାଚନ ହୋଇଥିଲା। କମିଟିର ସାତ ସଦସ୍ୟ ଭୋଟ୍ ଦେଇଥିଲେ। ବିରଞ୍ଚିଙ୍କ ସପକ୍ଷରେ ୪ଟି ଭୋଟ୍ ପଡ଼ିଥିଲା ବେଳେ ଭରତ ପାଇଥିଲେ ୩ଟି ଭୋଟ୍। ଫଳରେ ବିରଞ୍ଚିଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ଅନ୍ୟ ୬ଟି କମିଟିର ଅଧ୍ୟକ୍ଷମାନେ ହେଲେ ଟ୍ୟାକ୍ସେସନ, ଫାଇନାନ୍ସ ଆଣ୍ଡ ଆକାଉଣ୍ଟସ୍ କମିଟିର ରାଜକିଶୋର ଦାସ, ପବ୍ଲିକ ୱାର୍କ୍ସ କମିଟିର ଶ୍ରୀଧର ବେହେରା, ଏଜୁକେସନ, ରିକ୍ରେସନ ଓ କଲ୍ଚରର ମିହିର କୁମାର ରାଉତ, କର୍ପୋରେସନ ଏଷ୍ଟାବ୍ଲିସମେଣ୍ଟର କୁମାରେନ୍ଦ୍ର ମହାପାତ୍ର, ଗ୍ରିଏଭାନ୍ସ ଆଣ୍ଡ ସୋସିଆଲ ଜଷ୍ଟିସ୍ର ବିନୟିନୀ ଜେନା ଓ ସ୍ଲମ ସେଟଲମେଣ୍ଟ କମିଟିର ମହାମାୟା ସ୍ୱାଇଁ। ପ୍ଲାନିଂ ଆଣ୍ଡ୍ ଡେଭଲପମେଣ୍ଟ ଓ ଲାଇସେନ୍ସ ଆଣ୍ଡ ଅପିଲ୍ସ ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇ ନାହିଁ।
ନାମାଙ୍କନପତ୍ର ବିଳମ୍ବରେ ପହିଞ୍ଚିବାରୁ ନିୟମ ଅନୁଯାୟୀ ଗ୍ରହଣ କରାଯାଇ ନଥିଲା। ଏହି ଦୁଇଟି ପଦ ପାଇଁ ପୁନଃ ବିଜ୍ଞପ୍ତି ପ୍ରକାଶ ପାଇବ। ସମସ୍ତ କର୍ପୋରେଟରଙ୍କ ଉପସ୍ଥିତିରେ ନାମାଙ୍କନପତ୍ର ଦାଖଲ କରିବାକୁ ମେୟର ସୁଲୋଚନା ଦାସ ଆହ୍ୱାନ ଦେଇଥିଲେ। ସାଢେ ୧୦ଟା ବେଳେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ ଅତିରିକ୍ତ କମିସନର ଘାସିରାମ ମାଝୀ ଓ ସସ୍ମିତା ସାହୁ, କର୍ପୋରେସନ ଓ ନିର୍ବାଚନ ଦାୟିତ୍ବରେ ଥିବା ଦୁଇ ଡେପୁଟି କମିସନର ସହଯୋଗ କରିଥିଲେ। ଟ୍ୟାକ୍ସେସନ, ଫାଇନାନ୍ସ ଆଣ୍ଡ ଆକାଉଣ୍ଟସ୍ କମିଟିର ପୂର୍ବତନ ଅଧ୍ୟକ୍ଷା ପ୍ରୀତିନନ୍ଦା ରାଉତରାୟ ଓ ପବ୍ଲିକ ୱାର୍କ୍ସ କମିଟିର ପୂର୍ବତନ ଅଧ୍ୟକ୍ଷ ଅମରେଶ ଜେନା ପ୍ରାର୍ଥିପତ୍ର ଦାଖଲ କରିନଥିଲେ। ଏ ନେଇ ଅମରେଶ ଜେନା କହିଥିଲେ, ‘‘ପୂର୍ବତନ ମନ୍ତ୍ରୀ ଓ ଜଣେ ବିଧାୟକ ଆମକୁ ଅଧ୍ୟକ୍ଷା କରାଇ ନ ଦେବାକୁ ଷଡ୍ଯନ୍ତ୍ର କରିଥିଲେ।’’