ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଛି। ଏଥିରେ ବିଜେଡିକୁ ଭାରି ପଡ଼ିଛନ୍ତି ସ୍ବାଧୀନ ପ୍ରାର୍ଥୀ। ସ୍ବାଧୀନ ପ୍ରାର୍ଥୀଙ୍କ ଭୋଟ୍ ଜରିଆରେ ବିଜେଡି ହାତରୁ ବିଜେପି ଗୋଟିଏ ଅଧ୍ୟକ୍ଷ ପଦ ଛଡ଼ାଇ ନେଇଛି । ବିଏମ୍‌ସିର ୯ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦରୁ ୮ ଅଧ୍ୟକ୍ଷ ପଦ ବିଜେଡି ଓ ଗୋଟିଏ ବିଜେପି ଦଖଲକୁ ଯାଇଛି। ସେପଟେ ବିଜେଡି ଦଖଲରେ ଥିବା ୮ ଅଧ୍ୟକ୍ଷ ପଦରୁ ୭ ପଦରେ ଅଧ୍ୟକ୍ଷ ଅପରିବର୍ତ୍ତିତ ରହିଥିବା ବେଳେ କର୍ପୋରେସନ୍ ଏଷ୍ଟାବ୍ଲିସ୍‌ମେଣ୍ଟ ଷ୍ଟାଣ୍ଡିଂ କମିଟିରେ ନୂଆ ମୁହଁ ଦେଖିବାକୁ ମିଳିଛି। ୩୧ ନମ୍ବର ୱାର୍ଡ କର୍ପୋରେଟର୍ କୁମରେନ୍ଦ୍ର ମହାପାତ୍ରଙ୍କ ବଦଳରେ ବିଜେଡି ୨୪ ନମ୍ବର ୱାର୍ଡ କର୍ପୋରେଟର୍ ଦୀପକ କୁମାର ମିଶ୍ରଙ୍କୁ ଏହି କମିଟିର ଅଧ୍ୟକ୍ଷ ଦାୟିତ୍ବ ନ୍ୟସ୍ତ କରିଛି। ପୂର୍ବରୁ ୯ଟି ଅଧ୍ୟକ୍ଷ ପଦବି ବିଜେଡି ଦଖଲରେ ଥିବା ବେଳେ ଏଥର ‌ଗୋଟିଏ ବିଜେପିକୁ ଖସିଯାଇଛି।

Advertisment

ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କଣ୍ଟ୍ରାକ୍ଟ୍‌ସ ଷ୍ଟାଣ୍ଡିଂ କମିଟି, ଟ୍ୟାକ୍ସେସନ, ଫାଇନାନ୍ସ ଓ ଆକାଉଣ୍ଟସ ଷ୍ଟାଣ୍ଡିଂ କମିଟି, ଜନସ୍ୱାସ୍ଥ୍ୟ, ବିଜୁଳି, ପାଣି ଯୋଗାଣ, ଡ୍ରେନେଜ୍‌ ଓ ପରିବେଶ ଷ୍ଟାଣ୍ଡିଂ କମିଟି, ପବ୍ଲିକ୍‌ ୱାର୍କସ ଷ୍ଟାଣ୍ଡିଂ କମିଟି, ଲାଇସେନ୍ସ ଓ ଅପିଲ ଷ୍ଟାଣ୍ଡିଂ କମିଟି, କର୍ପୋରେସନ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ ଷ୍ଟାଣ୍ଡିଂ କମିଟି, ଅଭିଯୋଗ ଓ ସାମାଜିକ ନ୍ୟାୟ ଷ୍ଟାଣ୍ଡିଂ କମିଟି, ସ୍ଲମ୍‌ ସେଟେଲ୍‌ମେଣ୍ଟ ଷ୍ଟାଣ୍ଡିଂ କମିଟି, ଏଭଳି ୧୦ କମିଟି ରହିଛି। ମେୟର କଣ୍ଟ୍ରାକ୍ଟ୍‌ସ କମିଟିର ସ୍ଥାୟୀ ଅଧ୍ୟକ୍ଷ ରହିଛନ୍ତି। କଣ୍ଟ୍ରାକ୍ଟ୍‌ସ କମିଟିକୁ ଛାଡ଼ି, ଅନ୍ୟ ୯ କମିଟି ଅଧ୍ୟକ୍ଷ ପଦ ପାଇଁ ଆଜି ବିଏମ୍‌ସି ଏକାମ୍ର ହଲ୍‌ରେ ନିର୍ବାଚନ ହୋଇଥିଲା। ପୂର୍ବାହ୍ଣ ସାଢ଼େ ୧୦ଟାରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରାର୍ଥିପତ୍ର ଯାଞ୍ଚ ପରେ ପ୍ରିଜାଇଡିଂ ଅଫିସର୍ ମେୟର ସୁଲୋଚନା ଦାସ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ। ୭ ଷ୍ଟାଣ୍ଡିଂ କମିଟି ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ପୂର୍ବ ଅଧ୍ୟକ୍ଷ(ବିଜେଡି କର୍ପୋରେଟର୍)ମାନେ ନାମାଙ୍କନପତ୍ର ଦାଖଲ କରିଥିବାବେଳେ କର୍ପୋରେସନ୍ ଏଷ୍ଟାବ୍ଲିସ୍‌ମେଣ୍ଟ ଷ୍ଟାଣ୍ଡିଂ କମିଟିରେ ନୂଆ କରି ବିଜେଡି କର୍ପୋରେଟର୍ ଦୀପକକୁମାର ମିଶ୍ର ନାମାଙ୍କନପତ୍ର ଦାକଲ କରିଥିଲେ।  ୮ କମିଟିରେ ଜଣେ ଲେଖାଏଁ ପ୍ରାର୍ଥୀ ଥିବାରୁ ସମସ୍ତେ ନିର୍ଦ୍ବନ୍ଦ୍ବରେ ଜିତିଥିଲେ। କିନ୍ତୁ କିନ୍ତୁ ଶିକ୍ଷା ଓ ରିକ୍ରିଏସନ୍ ଷ୍ଟାଣ୍ଡିଂ କମିଟି ପାଇଁ ବିଜେଡିର ୨ ନମ୍ବର ୱାର୍ଡ କର୍ପୋରେଟର୍ ମୋନାଲିସା ବେହେରା ଓ ବିଜେପିର ୫୦ ନମ୍ବର ୱାର୍ଡ କର୍ପୋରେଟର୍ ରାମଚନ୍ଦ୍ର ରଣସିଂହ ପ୍ରାର୍ଥୀ ଥିବାରୁ ଭୋଟିଂ ହୋଇଥିଲା।

କମିଟି ସଦସ୍ୟ ଭାବେ ବିଜେଡି ପକ୍ଷରୁ ମୋନାଲିସାଙ୍କ ସହ ବିଜେଡିର ୧ ନମ୍ବର କର୍ପୋରେଟର୍ ମିହିର କୁମାର ରାଉତ, ୮ ନମ୍ବର କର୍ପୋରେଟର୍ ଲାଲମୋହନ ଟୁଡୁ, ବିଜେପି ପକ୍ଷରୁ ରାମଚନ୍ଦ୍ରଙ୍କ ସହ ବିଜେପିର ୪୮ ନମ୍ବର କର୍ପୋରେଟର୍ ସୁଚିତ୍ରା ପାତ୍ର ଓ ୨୯ ନମ୍ବର କର୍ପୋରେଟର୍ ଅପରୂପ ନାରାୟଣ ରାଉତ ଭୋଟ୍‌ ଦେଇଥିବା ବେଳେ  ସ୍ବାଧୀନ କର୍ପୋରେଟର୍ ୬୫ ନମ୍ବର ୱାର୍ଡ କର୍ପୋରେଟର୍ ରଶ୍ମିରଂଜନ ପାଟ୍ଟଶାଣୀ ମଧ୍ୟ ଏହି କମିଟିର ଅଧ୍ୟକ୍ଷ ପଦ ପାଇଁ ଭୋଟ୍ ଦେଇଥିଲେ। ଭୋଟିଂରେ ୭ଟି ଭୋଟ୍‌ରୁ ମୋନାଲିସାଙ୍କୁ ୩ ଓ ରାମଚନ୍ଦ୍ରଙ୍କୁ ୪ ଭୋଟ୍ ମିଳିଥିଲା। ଏଣୁ ରାମଚନ୍ଦ୍ରଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ନୂଆ ଦାୟିତ୍ବ ପରେ ରାମଚନ୍ଦ୍ର ଶିକ୍ଷାର ବିକାଶ ସହ ଭୁବନେଶ୍ବର ସହରର ସବୁଜିମା ରକ୍ଷା ପାଇଁ ବୃକ୍ଷରୋପଣକୁ ସର୍ବାଧିକ ଗୁରୁତ୍ବ ଦେବେ ବୋଲି କହିଛନ୍ତି।

ମେୟର ଶ୍ରୀମତୀ ଦାସ ୯ କମିଟି ଅଧ୍ୟକ୍ଷଙ୍କ ନାମ ଘୋଷଣା କରିଥିଲେ। ଟ୍ୟାକ୍ସେସନ, ଫାଇନାନ୍ସ ଓ ଆକାଉଣ୍ଟ୍‌ସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ ୩୦ ନମ୍ବର ୱାର୍ଡ କର୍ପୋରେଟର୍ ରାଜକିଶୋର ଦାସ, ଜନସ୍ୱାସ୍ଥ୍ୟ, ବିଜୁଳି, ପାଣି ଯୋଗାଣ, ଡ୍ରେନେଜ ଓ ପରିବେଶ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭାବେ ୫୯ ୱାର୍ଡ କର୍ପୋରେଟର୍ ବିରଞ୍ଚି ନାରାୟଣ ମହାସୂପକାର, ପବ୍ଲିକ ୱାର୍କସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ ୫୨ ନମ୍ବର ୱାର୍ଡ କର୍ପୋରେଟର୍ ଶ୍ରୀଧର ବେହେରା, ଲାଇସେନ୍ସ ଓ ଅପିଲ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭାବେ ୨୦ ନମ୍ବର ୱାର୍ଡ କର୍ପୋରେଟର୍ ପ୍ରେମାନନ୍ଦ ଜେନା, କର୍ପୋରେସନ ଏଷ୍ଟାବ୍ଲିସମେଣ୍ଟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭାବେ ୨୪ ନମ୍ବର ୱାର୍ଡ କର୍ପୋରେଟର୍‌ ଦୀପକ କୁମାର ମିଶ୍ର, ଅଭିଯୋଗ ଓ ସାମାଜିକ ନ୍ୟାୟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭାବେ ୫୧ ନମ୍ବର କର୍ପୋରେଟର୍ ବିନୟିନୀ ଜେନା, ସ୍ଲମ୍‌ ସେଟେଲ୍‌ମେଣ୍ଟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭାବେ ୫୩ ନମ୍ବର ୱାର୍ଡ କର୍ପୋରେଟର୍ ମହାମାୟା ସ୍ୱାଇଁ ନିର୍ବାଚିତ ହୋଇଛନ୍ତି। ନବ ନିର୍ବାଚିତ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, ଅଧ୍ୟକ୍ଷାଙ୍କୁ ମେୟର ଶ୍ରୀମତୀ ଦାସ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ କରିଥିଲେ। ଡେପୁଟି ମେୟର ମଞ୍ଜୁଲତା କହଁର, ଅତିରିକ୍ତ କମିସନର ରତ୍ନାକର ସାହୁ, ସସ୍ମିତା ସାହୁ, ଡେପୁଟି କମିସନର ଅଜୟ କୁମାର ମହାନ୍ତି, କାଜଲ ପ୍ରଧାନ ପ୍ରମୁଖ ନିର୍ବାଚନ ପରିଚାଳନାରେ ସହାୟତା କରିଥିଲେ।