ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିର୍ବାଚନ ଆସନ୍ତା ୨୧ ତାରିଖ ଶନିବାର ବିଏମ୍ସି ଏକାମ୍ର ହଲରେ ଅନୁଷ୍ଠିତ ହେବ। ୧୦ରୁ ୯ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ପଦ ପାଇଁ ଏହି ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ। ନାମାଙ୍କନ ପ୍ରକ୍ରିୟାରେ ଯଦି ଗୋଟିଏ କମିଟି ପାଇଁ ଏକାଧିକ ପ୍ରାର୍ଥୀ ରହିବେ, ଭୋଟ ହେବ। ପ୍ରତି କମିଟି ପାଇଁ ୭ଜଣ ମତଦାନ କରିବେ। ୪ ଅବା ଏହାଠାରୁ ଅଧିକ ଭୋଟ ପାଇଲେ, ପ୍ରାର୍ଥୀ ବିଜୟୀ ହେବେ। ଯଦି ଜଣେ ନାମାଙ୍କନ କରିବେ, ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ। ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ପୂର୍ବାହ୍ଣ ସାଢ଼େ ୧୦ଟାରୁ ୧୧ଟା ନାମାଙ୍କନ, ୧୧ଟାରୁ ସାଢ଼େ ୧୧ଟା ପ୍ରାର୍ଥୀପତ୍ର ଯାଞ୍ଚ, ସାଢ଼େ ୧୧ଟାରୁ ୧୧ଟା ୪୫ ପ୍ରାର୍ଥୀପତ୍ର ପ୍ରତ୍ୟାହାର, ପୂର୍ବାହ୍ଣ ୧୧ଟା ୪୫ରୁ ମଧ୍ୟାହ୍ନ ୧୨ଟା ୫ ଚୂଡାନ୍ତ ପ୍ରାର୍ଥୀପତ୍ର ପ୍ରକାଶ, ମଧ୍ୟାହ୍ନ ୧୨ଟା ୫ରୁ ୧୨ଟା ୪୫ ଭୋଟ୍, ମଧ୍ୟାହ୍ନ ୧୨ଟା ୪୫ରୁ ଅପରାହ୍ନ ସାଢେ ୧ଟା ଭୋଟ ଗଣତି ଏବଂ ସାଢ଼େ ୧ଟା ପରେ ଫଳାଫଳ ଘୋଷଣା ହେବ। ସୂଚନାଯୋଗ୍ୟ, ବିଏମ୍ସିରେ କଣ୍ଟ୍ରାକ୍ଟସ ଷ୍ଟାଣ୍ଡିଂ କମିଟି, ଟ୍ୟାକ୍ସେସନ, ଫାଇନାନ୍ସ ଓ ଆକାଉଣ୍ଟସ ଷ୍ଟାଣ୍ଡିଂ କମିଟି, ଜନସ୍ୱାସ୍ଥ୍ୟ, ବିଜୁଳି, ପାଣି ଯୋଗାଣ, ଡ୍ରେନେଜ୍ ଓ ପରିବେଶ ଷ୍ଟାଣ୍ଡିଂ କମିଟି, ପବ୍ଲିକ ୱାର୍କସ ଷ୍ଟାଣ୍ଡିଂ କମିଟି, ଲାଇସେନ୍ସ ଓ ଅପିଲ ଷ୍ଟାଣ୍ଡିଂ କମିଟି, କର୍ପୋରେସନ୍ ଏଷ୍ଟାବ୍ଲିସ୍ମେଣ୍ଟ ଷ୍ଟାଣ୍ଡିଂ କମିଟି, ଅଭିଯୋଗ ଓ ସାମାଜିକ ନ୍ୟାୟ ଷ୍ଟାଣ୍ଡିଂ କମିଟି, ସ୍ଲମ୍ ସେଟେଲ୍ମେଣ୍ଟ୍ ଷ୍ଟାଣ୍ଡିଂ କମିଟି, ଏଭଳି ୧୦ କମିଟି ରହିଛି। କେବଳ କଣ୍ଟ୍ରାକ୍ଟସ କମିଟିକୁ ଛାଡିଦେଲେ, ଅନ୍ୟ ୯ କମିଟି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ।