ସଂକ୍ରମଣ ଖସୁଛି, ବଢ଼ୁଛି: କଠୋର ହେଲା ବିଏମ୍‌ସି

ଜୁଲାଇ ୧ଯାଏ ବନ୍ଦ ରହିବ ୟୁନିଟ-୪ ଓ ବାପୁଜୀନଗର ମାର୍କେଟ୍

ରାଜଧାନୀରେ ଦିନେ ସଂକ୍ରମଣ ୩୦୦ ତଳକୁ ଖସିଯାଉଛି ତ ପରଦିନ ୪୦୦ ଉପରକୁ ଚାଲିଯାଉଛି। ହଠାତ୍ ଆକ୍ରାନ୍ତଙ୍କ ସଂଖ୍ୟାରେ ଏଭଳି ବୃଦ୍ଧି ହେବା ପରେ ବିଏମ୍‌ସି ଆକ୍ସନ୍ ମୁଡ୍‌କୁ ଆସିଯାଇଛି। ‌ଟିକାଦାନ କେନ୍ଦ୍ରରୁ ଆରମ୍ଭ କରି ଆବାସିକ ସଂଘ, ହାଟ, ବଜାର ଅଞ୍ଚଳରେ ଟେଷ୍ଟିଂ କରୁଛି। ପ୍ରତ୍ୟେକ ସନ୍ଦିଗ୍ଧଙ୍କୁ ଗୋଟିଗୋଟି କରି ଚିହ୍ନଟ କରିବାକୁ ଜୋନାଲ୍‌ ଡେପୁଟି କମିସନରମାନଙ୍କୁ କୁହାଯାଇଛି। ଏହାବାଦ୍ ଯେଉଁଠି ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ସେଗୁଡ଼ିକୁ ତୁରନ୍ତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଉଛି। ବଜାରଠାରୁ ଆରମ୍ଭ କରି ଆବାସିକ କଲୋନି ପର୍ଯ୍ୟନ୍ତ ସବୁଠି କଟକଣା କଡ଼ାକଡ଼ି ଲାଗୁ କରିବାକୁ କୁହାଯାଇଛି। ଶନିବାର ବିଏମ୍‌ସି ତିନିଟି ଜୋନ୍‌ରେ ତିନିଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିବାବେଳେ ଦୁଇଟି ମାର୍କେଟକୁ ଜୁଲାଇ ୧ତାରିଖ ପର୍ଯ୍ୟନ୍ତ ବନ୍ଦ କରିଛି। ଟିକାଦାନ କେନ୍ଦ୍ରରେ ଆଗ ଟେଷ୍ଟିଂ ପରେ ଟିକା ଅଭିଯାନ ଆରମ୍ଭ କରିଛି। ସୋମବାର ଠାରୁ ରାଜଧାନୀରେ କୋଭିଡ କଟକଣା ଅଧିକ କଡ଼ାକଡ଼ି କରିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି।

ଶୁକ୍ରବାର ସିଲ୍‌ ହୋଇଥିଲା ଏକ ନମ୍ବର ହାଟ
ଏତେ ପରେ ବି ବଜାରରେ ମାଳମାଳ ଅମାନିଆ
ଭୁବନେଶ୍ବର : କୋଭିଡ୍‌ କଟକଣା ସତ୍ତ୍ବେ ୟୁନିଟ୍‌-୪ସ୍ଥିତ ଆମିଷ ମାର୍କେଟ୍ ଏବଂ ବାପୁଜୀନଗରରେ ପ୍ରବଳ ଗହଳି ହେଉଥିବାରୁ ବିଏମ୍‌ସି ଏହି ଦୁଇଟି ମାର୍କେଟ୍‌କୁ ଜୁନ୍ ୧୮ ତାରିଖରେ ୭ଦିନ ପାଇଁ ଅର୍ଥାତ୍ ଜୁନ୍ ୨୫ ତାରିଖ ପର୍ଯ୍ୟନ୍ତ ସିଲ୍‌ କରିଥିଲା। କିନ୍ତୁ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବିଏମ୍‌ସି ଏହି ଦୁଇଟି ମା‌ର୍କେଟକୁ ଜୁଲାଇ ୧ତାରିଖ ଯାଏ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ଜୁଲାଇ ୧ ତାରିଖ ପରେ ସ୍ଥିତି ସୁଧୁରିଲେ, ଏହି ଦୁଇଟି ମାର୍କେଟ୍ ଖୋଲିବ ବୋଲି ନିଷ୍ପତ୍ତି ହୋଇଛି। ଏହି ସମୟରେ ଦୁଇଟି ମାର୍କେଟ୍‌ରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଔଷଧ ଦୋକାନ ଖୋଲା ରହିବ ବୋଲି କୁହାଯାଇଛି।

ସେହିପରି ରାଜଧାନୀର ସବୁଠୁ ବଡ଼ ମାର୍କେଟ୍‌ ୟୁନିଟ-୧ ମାର୍କେଟ୍‌ରେ ଅସମ୍ଭାଳ ଗହଳି ହେଉଥିବାରୁ ବିଏମ୍‌ସି ଏହାକୁ ଜୁଲାଇ ୧ ପର୍ଯ୍ୟନ୍ତ ସିଲ୍‌ କରିଦେଇଛି। ଏହି ସମୟରେ କେହି ବି ଦୋକାନ ଖୋଲିପାରିବେନି ବୋଲି କୁହାଯାଇଛି। ସମସ୍ତ ଗୋଦାମ ଓ ଖୁଚୁରା ଦୋକାନ ବନ୍ଦ ରହିବ।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯଦି ରାଜଧାନୀର ଅନ୍ୟ କୌଣସି ମାର୍କେଟ୍‌ରେ ଏହିଭଳି ଭିଡ଼ ଜମେ କିମ୍ବା କୋଭିଡ୍‌ କଟକଣା ଉଲ୍ଲଂଘନ ହେଉଥିବା ଦେଖାଯାଏ, ତେବେ ସେଗୁଡ଼ିକୁ ତୁରନ୍ତ ସିଲ୍‌ କରିବାକୁ ଜୋନାଲ୍‌ ଡେପୁଟି କମିସନରମାନଙ୍କୁ କୁହାଯାଇଛି।

୩୭୪ ଆକ୍ରାନ୍ତ, ୩୮୯ ସୁସ୍ଥ
ଭୁବନେଶ୍ବର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ବଢ଼ିଛି। ଶନିବାର ୩୭୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୮୯ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୨୪ ଘଣ୍ଟାରେ ରାଜଧାନୀରେ ୫ଜଣଙ୍କର କରୋନା ମୃତ୍ୟୁ ହୋଇଛି। ଗତକାଲି ବି ୫ଜଣଙ୍କର ମୃତ୍ୟୁ ହୋଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଥିଲା। ଆଜି ଚନ୍ଦ୍ରଶେଖରପୁରରୁ ୩୩ଜଣ, ବରମୁଣ୍ଡାରୁ ୧୦ଜଣ, ଖଣ୍ଡଗିରିରୁ ୨୨ଜଣ, ଡୁମଡୁମାରୁ ୧୨ଜଣ, ନୂଆପଲ୍ଲୀରୁ ୧୮ଜଣ, ନୀଳାଦ୍ରିବିହାରରୁ ୧୦ଜଣ, ପୁରୁଣା ଭୁବନେଶ୍ବରରୁ ୧୫ଜଣ, ୟୁନିଟ-୮ରୁ ୧୫ଜଣ, ପଟିଆରୁ ୩୫ଜଣ, ଶୈଳଶ୍ରୀବିହାରରୁ ୧୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର