ବିଏମ୍‌ସି ଦାଖଲ କଲା ଚିଠା ସଂରକ୍ଷଣ ତାଲିକା: ବଦଳିଲାନି ସୀମା, ବାଦ୍‌ ପଡ଼ିଲା ଓବିସି

ଭୁବନେଶ୍ବର: ଓବିସି ବର୍ଗକୁ ବାଦ୍‌ ଦେଇ ଚିଠା ସଂରକ୍ଷଣ ତାଲିକା ପ୍ରସ୍ତୁତ କରିଛି ବିଏମ୍‌ସି। ଆଜି ଏହି ତାଲିକା ଗୃହ ଓ ନଗର ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଇଛି। ଜାନୁଆରି ୭ରେ ବିଭାଗ ପକ୍ଷରୁ ଏହା ଉପରେ ପ୍ରସ୍ତାବ ଓ ଅଭିଯୋଗ ଆହ୍ବାନ କରାଯିବ। ଜାନୁଆରି ୧୬ ସୁଦ୍ଧା ଲୋକମାନେ ‌ସେମାନଙ୍କ ଅଭିଯୋଗ ଓ ପ୍ରସ୍ତାବ ଦାଖଲ କରିବେ। ଏହା ପରେ ଚୁଡ଼ାନ୍ତ ଚିଠା ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ତାଲିକା ବିଭାଗ ପକ୍ଷରୁ ପ୍ରକାଶ କରାଯିବ। ତେବେ ଆଜି ଦାଖଲ ହୋଇଥିବା ତାଲିକାରେ ସୀମା ନିର୍ଦ୍ଧାରଣ ବଦଳିନାହିଁ ବୋଲି ଜଣାପଡ଼ିଛି।

ସୂଚନାନୁସାରେ ବିଏମ୍‌ସି ଏହି ତାଲିକାକୁ ଅତ୍ୟନ୍ତ ଗୋପନୀୟ ଭାବରେ ଦାଖଲ କରିଛି। ସଂରକ୍ଷଣ ତାଲିକାରୁ ଓବିସି ବର୍ଗକୁ ବାଦ୍‌ ଦେବା ପରେ ସେହ ଆସନଗୁଡ଼ିକୁ ଅଣସଂରକ୍ଷିତ ରଖାଯାଇଥିବା ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ପୂର୍ବରୁ ୬୭ ୱାର୍ଡରୁ ୪୭ ୱାର୍ଡକୁ ସଂରକ୍ଷିତ ରଖାଯାଇଥିଲା। ଏଥିମଧ୍ୟରୁ ୨୦ଟି ୱାର୍ଡ ଅଣସଂରକ୍ଷିତ ଥିଲା।

ସଂରକ୍ଷିତ ୪୭ ୱାର୍ଡ ମଧ୍ୟରୁ ୧୮ଟି ପଛୁଆବର୍ଗ(ପୁରୁଷ/ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଥିଲା। ଏବେ ଏହି ସଂରକ୍ଷଣ ଉଚ୍ଛେଦ ହେବା ପରେ ୧୮ଟି ୱାର୍ଡ ଅଣସଂରକ୍ଷିତ ରହିଥିବା କୁହାଯାଉଛି। ଅର୍ଥାତ୍‌ ୩୮ଟି ଆସନ ଅଣସଂରକ୍ଷିତ ଥିବା ବେଳେ ବାକି ୨୯ଟି ସଂରକ୍ଷିତ ରହିଛି। ତେବେ ଆସନ୍ତା ୭ ତାରିଖରେ ଗୃହ ଓ ନଗର ଉନ୍ନୟନ ବିଭାଗ ତାଲିକା ପ୍ରକାଶ କଲେ ଯାଇ ଏହା ସ୍ପଷ୍ଟ ହେବ ବୋଲି କୁହାଯାଇଛି। ଚୂଡ଼ାନ୍ତ ତାଲିକା ପାଇଁ ପୂର୍ବରୁ ପଠାଯାଇଥିବା ତାଲିକା ଅନୁଯାୟୀ ୧୨, ୨୫, ୨୭, ୩୧, ୩୨, ୩୩, ୩୫, ୪୨, ୪୩, ୪୮, ୫୪, ୫୫, ୫୬, ୫୭, ୬୨, ୬୪, ୬୭ ପଛୁଆବର୍ଗଙ୍କ ପାଇଁ ସରଂକ୍ଷିତ ଥିଲା। ଏସବୁ ଏବେ ଅଣସଂରକ୍ଷିତ ରହିଛି।

ସମ୍ବନ୍ଧିତ ଖବର