କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମୀକ୍ଷା କଲେ ଜଷ୍ଟିସ୍ ପି.କେ ମହାନ୍ତି, କାମର ତାଲିକା ଦେ‌ଲା ବିଏମ୍‌ସି

ଭୁବନେଶ୍ବର: ସାରା ରାଜ୍ୟରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା କିପରି ଚାଲିଛି ତା’ର ସମୀକ୍ଷା କରିଛନ୍ତି ରାଜ୍ୟସ୍ତରୀୟ କଠିନ ବର୍ଜ୍ୟ ପରିଚାଳନା କମିଟିର ସଭାପତି ଜଷ୍ଟିସ୍ ପି.କେ. ମହାନ୍ତି। ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍‌ ଦ୍ବାରା ନିଯୁକ୍ତି ପାଇଥିବା ଜଷ୍ଟିସ୍‌ ମହାନ୍ତି ଆଜି ପ୍ରଥମ କରି ବିଏମ୍‌ସି ସମ୍ମିଳନୀ କକ୍ଷରେ କଠିନ ବର୍ଜ୍ୟବସ୍ତୁ ପରିଚାଳନାର ସମୀକ୍ଷା କରିଥିଲେ। ଏହାସହ କ୍ଷେତ୍ର ପରିଦର୍ଶନ କରି ମଧ୍ୟ ସ୍ଥିତି ପରଖିଛନ୍ତି।

ରାଜ୍ୟ ସରକାର କିପରି ବିଭିନ୍ନ ସହରାଞ୍ଚଳରେ ବର୍ଜ୍ୟବସ୍ତୁର ପରିଚାଳନା ଓ ବିଶୋଧନ କରୁଛନ୍ତି, ସେନେଇ ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାଥନନ୍ ସୂଚନା ଦେଇଥିଲେ। ବିଏମ୍‌ସିର ଅଧିକାରୀମ‌ାନେ କ’ଣ ପଦକ୍ଷେପ ନେଇଛନ୍ତି ଓ ନେବାର ଅଛି, ତା’ର ଲମ୍ବା ତାଲିକା ଜଷ୍ଟିସ ପି.କେ ମହାନ୍ତିଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଏଥିରେ ବିଏମ୍‌ସି ପ୍ରଶାସକ ସଂଗ୍ରାମଜିତ ନାୟକ ବିଏମ୍‌ସି ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ କହିଥିଲେ। ସେ କହିଥିଲେ ଯେ ୯୦୦ ସଫେଇ କର୍ମଚାରୀଙ୍କ ପାଇଁ ବିଏମ୍‌ସି ପକ୍ଷରୁ ସୁରକ୍ଷିତ ପୋଷାକ, ୮୦ କିଲୋମିଟର ରାସ୍ତାରେ ଯାନ୍ତ୍ରିକ ସଫେଇ, ବିଭିନ୍ନ ସ୍ଥାନରେ ଅଣ୍ଡରଗ୍ରାଉଣ୍ଡ ଡଷ୍ଟବିନ୍, ୯୩ଟି ଅଳିଆବୁହା ଗାଡ଼ିରେ ଜିପିଏସ୍ ସଂଯୋଗ, ବହୁଳ ବର୍ଜ୍ୟ ଉତ୍ପାଦନକାରୀଙ୍କୁ ନୋଟିସ୍ ଏବଂ ଟିଟିଏସ୍‌ଠାରେ ଓଜନ ପାଇଁ ସ୍ୱୟଂଚାଳିତ ଓଜନଯନ୍ତ୍ର ଲାଗିଛି। ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ଗୋଷ୍ଠୀ ଶୌଚାଳୟ, ସାମୂହିକ ଶୌଚାଳୟ, ହାଇବ୍ରିଡ଼୍ ଶୌଚାଳୟ, ଇ-ଶୌଚାଳୟର ସୁବିଧା କିପରି ଲୋକଙ୍କ ଜୀବନଶୈଳୀ ଏବଂ ବାହାରେ ମଳତ୍ୟାଗ କରିବାର ଅଭ୍ୟାସକୁ ବଦଳାଇଛି ତାହା କହିଥିଲେ। ଏହାସହ ବର୍ଜ୍ୟବସ୍ତୁ ପରିଚାଳନା ଆଇନକୁ ମାନୁନଥିବା ବ୍ୟକ୍ତି ଓ ଅନୁଷ୍ଠାନଗୁଡ଼ିକଠାରୁ ଜରିମାନା ଆଦାୟ, ଅଭିଯୋଗ ସମାଧାନ ପାଇଁ ଅନଲାଇନ୍ ବ୍ୟବସ୍ଥା ସମ୍ବନ୍ଧରେ ଶ୍ରୀ ନାୟକ କହିଥିଲେ।

ବିଏମ୍‌ସି କମିନସର ‌ପ୍ରେମଚନ୍ଦ୍ର ଚୌଧରୀ ଆଗାମୀ ଦିନରେ ଆବର୍ଜନା ସଂଗ୍ରହ ପାଇଁ ନିଆଯିବାକୁ ଥିବା ନୂଆ ଯୋଜନା ଏବଂ ପ୍ରକ୍ରିୟାକରଣ ଓ ସମାପନର ବିବିଧ ଦିଗ ଓ କାର୍ଯ୍ୟ ପ୍ରଗତି ବାବଦରେ କହିଥିଲେ। ବର୍ଜ୍ୟବସ୍ତୁ ପରିଚାଳନା ନେଇ ବିଏମସି ପକ୍ଷରୁ ସିଟି ସାନିଟେସନ ପ୍ଲାନ୍, ବର୍ଜ୍ୟବସ୍ତୁ ପରିଚାଳନା ଉପବିଧି ୨୦୧୮, ମଳ ପରିଚାଳନା ନିୟମ ୨୦୧୮, ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା, ନିର୍ମାଣ ଓ ଭଗ୍ନାବଶେଷ ବର୍ଜ୍ୟ ପରିଚାଳନା ତଥା ଇ-ବର୍ଜ୍ୟବସ୍ତୁ ପରିଚାଳନା ସମ୍ବନ୍ଧୀୟ ଡ୍ରାଫ୍ଟ ନୀତି ସମ୍ପର୍କରେ ସେ କହିଥିଲେ। ସେହିପରି ଏବେ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଥିବା ବେଳେ ବିକେନ୍ଦ୍ରୀକୃତ ବର୍ଜ୍ୟବସ୍ତୁ ପରିଚାଳନାରେ ଏହି ପ୍ଲାଣ୍ଟର ଭୂମିକା, ବର୍ତ୍ତମାନ ସୁଦ୍ଧା ହୋଇଥିବା ଏହାର କାର୍ଯ୍ୟ, ଏଥିରେ ଥିବା ସାମଗ୍ରୀ ପୁନରୁଦ୍ଧାର ସୁବିଧା ଏବଂ ମୁଁ ସଫେଇବାଲା ଯୋଜନାରେ କିପରି ସ୍କୁଲସ୍ତରରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଉଛି ଏବଂ ନାଗରିକ ସଂଯୋଗ କାର୍ଯ୍ୟକ୍ରମରେ କିପରି ଆବାସିକ ସଂଘଗୁଡ଼ିକୁ ସାମିଲ୍‌ କରାଯାଇଛି, ସେ ବିଷୟରେ କହିଥିଲେ।

କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ପଟ୍ଟନାୟକ କିପରି ହସ୍ପିଟାଲ ପରିସରରେ ନିୟମିତ ସଫେଇକୁ ବ୍ୟବସ୍ଥିତ କରାଯାଇଛି, ତାହା କହିଥିଲେ। ଏହି କାର୍ଯ୍ୟକ୍ରମ ପରେ ସମସ୍ତ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିଥିଲେ। ଜଷ୍ଟିସ୍‌ ପି.କେ ମହାନ୍ତିଙ୍କ ସମେତ ବରିଷ୍ଠ ଅଧିକାରୀମା‌ନେ କ୍ୟାପିଟାଲ ହସପିଟାଲ, ରାଜମହଲ ଛକରେ ଥିବା ଇ-ଟଏଲେଟ୍‌, କଳ୍ପନା ଛକରେ ଥିବା ଅଣ୍ଡରଗ୍ରାଉଣ୍ଡ ଡଷ୍ଟବିନ୍, ବାସୁଆଘାଇରେ ନିର୍ମାଣ ହୋଇଥିବା ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ବୁଲି ଦେଖିଥିଲେ। ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ମୋନା ଶର୍ମା, ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ଏବଂ ବିଏମ୍‌ସି, ସ୍ବାସ୍ଥ୍ୟ ବିଭାଗ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ଅଧିକାରୀମା‌େନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର