ଭୁବନେଶ୍ୱର : ଆସନ୍ତା ବର୍ଷ ବିଏମ୍ସି ନିର୍ବାଚନ ହେବାକୁ ଯାଉଛି। ସଂରକ୍ଷଣ ଓ ୱାର୍ଡସୀମା ପୁନଃନିର୍ଦ୍ଧାରଣ ପାଇଁ ସର୍ବେକ୍ଷଣ କରିବା ପରେ ଆଜି ରାଜ୍ୟ ସରକାରଙ୍କ ନିକଟରେ ବିଏମ୍ସି ତଥ୍ୟ ଦାଖଲ କରିଛି। ଖୁବ୍ଶୀଘ୍ର ସରକାର ଏହି ସଂରକ୍ଷଣ ଚିଠା ତାଲିକା ପ୍ରକାଶ କରିବେ ବୋଲି କୁହାଯାଉଛି। ତେବେ ଏହାକୁ ନେଇ ନୂଆ କରି ପ୍ରାର୍ଥୀ ହେବା ପାଇଁ ଆଶା ବାନ୍ଧିଥିବା ଓ ପୂର୍ବତନ କର୍ପୋରେଟର୍ମାନଙ୍କ ଛାତି ଧଡ଼ଧଡ଼ ହୋଇଛି। ସେମାନଙ୍କ ଇଚ୍ଛା ମୁତାବକ ସଂରକ୍ଷଣ ବ୍ୟବସ୍ଥା ହୋଇଥାଉ ବୋଲି ସେମାନେ ଆଶା ବାନ୍ଧିଛନ୍ତି। ନିର୍ବାଚନ ୩ବର୍ଷ ବିଳମ୍ବ ହେଉଛି। ଏହି ତିନିବର୍ଷ କାଳ ଆଶାୟୀମାନେ ନେତା ହେବା ପାଇଁ କସରତ କରିଥିବା ବେଳେ ପୂର୍ବତନ ନେତାମାନେ ପୂର୍ବ କ୍ଷମତା ବଳରେ ଭୋଟର୍ମାନଙ୍କୁ ନିଜ ସମର୍ଥନରେ ରଖିବାକୁ ଆପ୍ରାଣ ଉଦ୍ୟମ କରିଛନ୍ତି। ଏଣୁ ସରକାର ପ୍ରକାଶ କରିବାକୁ ଥିବା ଚିଠା ତାଲିକା ଉପରେ ସେମାନଙ୍କର ନଜର ରହିଛି।
ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ, ୨୭ ଆସନ ପଛୁଆବର୍ଗ, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ପଛୁଆ ବର୍ଗଙ୍କ ପାଇଁ ୧୮ଟି, ଅନୁସୂଚିତ ଜାତିଙ୍କ ପାଇଁ ୬ ଓ ଅନୁସୂଚିତ ଜନଜାତି(ଏସ୍ଟି) ପ୍ରାର୍ଥୀଙ୍କ ପାଇଁ ୩ଟି ସଂରକ୍ଷିତ ରହିଛି। ସେହିପରି ୨୦ଟି ଆସନ ସାଧାରଣ ବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ଜଣାପଡ଼ିଛି। ପୂର୍ବରୁ ୧୬ ଓ ୨୦ ନମ୍ବର ୱାର୍ଡ ଏସ୍ଟି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଏଥର ଏହି ବର୍ଗରେ ଗୋଟିଏ ଆସନ ସଂରକ୍ଷଣ ବଢ଼ିଛି। ସେହିଭଳି ସାଧାରଣ ବର୍ଗରେ ମହିଳାଙ୍କ ପାଇଁ ୧୯ଟି ଆସନ ସଂରକ୍ଷିତ ଥିବା ବେଳେ ଏଥର ଏହି ବର୍ଗରେ ଆଉ ଗୋଟିଏ ଆସନ ସଂରକ୍ଷିତ ରହିଛି। ଯଦିଓ ବିଏମ୍ସି ପକ୍ଷରୁ ଏ ନେଇ ତଥ୍ୟ ଗୁପ୍ତ ରଖାଯାଇଛି, ପୂର୍ବଥର ତୁଳନାରେ ସଂରକ୍ଷଣରେ ଆଉ କିଛି ପରିବର୍ତ୍ତନ ହୋଇ ନଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2021/11/bmc-f.jpg)
The New Indian Express
ଏହି ତାଲିକା ପ୍ରସ୍ତୁତ କରିବାରେ ବିଏମ୍ସି ଉପରେ ପ୍ରବଳ ରାଜନୈତିକ ଚାପ ପଡ଼ିଥିବା ପଡ଼ିଛି। ପୂର୍ବରୁ କର୍ପୋରେଟର୍ ହୋଇଥିବା ବିଧାୟକମାନଙ୍କର ଏକାନ୍ତ ଅନୁଗତମାନେ ନିଜନିଜ ୱାର୍ଡରେ କିଭଳି ସଂରକ୍ଷିତ ରହିବ, ସେ ନେଇ ଉଦ୍ୟମ କରିଛନ୍ତି। ଗତଥର ଯେଉଁ ଯେଉଁ ୱାର୍ଡରେ ବିରୋଧୀ ଶକ୍ତିଶାଳୀ ଥିଲେ, ସେମାନଙ୍କୁ ମଧ୍ୟ ଏହି ସଂରକ୍ଷଣ ବ୍ୟବସ୍ଥାରେ ଚକ୍ମା ଦିଆଯାଇଛି।
ସେହିଭଳି ସଂରକ୍ଷିତ ରଖାଯାଇଥିବା ୱାର୍ଡରେ ବିଧାୟକମାନଙ୍କ ଅନୁଗତମାନଙ୍କୁ ଥଇଥାନ କରିବା ପାଇଁ ବିଧାୟକମାନେ ଲବି କରିଥିବା ଜଣାପଡ଼ିଛି। ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ହେଉଥିବା ୱାର୍ଡରେ ପ୍ରାର୍ଥୀଙ୍କୁ ପୂର୍ବରୁ ପ୍ରସ୍ତୁତ ରଖାଯାଇଛି। ମହିଳାଙ୍କ ପାଇଁ ସଂରକ୍ଷିତ ଆସନରେ ପୂର୍ବରୁ ଥିବା କର୍ପୋରେଟର୍ଙ୍କ ପତ୍ନୀ ପ୍ରାର୍ଥୀ ହେବା ପାଇଁ ପ୍ରସ୍ତୁତ ହେଉଛନ୍ତି।
ତେବେ କୌତୂହଳର କଥା, କେତେକ ପୂର୍ବତନ କର୍ପୋରରେଟର୍ଙ୍କ ନାମକୁ ସମ୍ପୂର୍ଣ୍ଣ ଭାବେ କାଟି ଦେବାକୁ ଉଦ୍ୟମ ହୋଇଛି। ବିଧାୟକ କିମ୍ବା ଦଳର ବରିଷ୍ଠ ନେତାମାନଙ୍କ ସହ ମତାନ୍ତର, ମନାନ୍ତର ଯୋଗୁଁ ସେମାନେ ବାଦ୍ ପଡ଼ିବାକୁ ଯାଉଛନ୍ତି। ଏଥିପାଇଁ ଯଥାସାଧ୍ୟ ଉଦ୍ୟମ ହୋଇଥିବା କୁହାଯାଉଛି। ଏଭଳି କୌଶଳରେ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି ଯେ ନା ନିଜେ ପ୍ରାର୍ଥୀ ହୋଇପାରିବେ, ନା ପତ୍ନୀଙ୍କୁ ପ୍ରାର୍ଥୀ କରାଇପାରିବେ। କ୍ଷମତା ହାସଲ କରିବା ପାଇଁ ସେମାନଙ୍କ ପାଇଁ କୌଣସି ସୁଯୋଗ ରହିବ ନାହିଁ। ତେବେ ସରକାର ପ୍ରକାଶ କରିବାକୁ ଥିବା ଚିଠା ତାଲିକା ଉପରେ ସମସ୍ତଙ୍କ ନଜର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/evm.jpg)