ସ୍ବାୟତ୍ତ ଶାସନ ଦିବସ: ପତାକା ଉତ୍ତୋଳନରେ ସୀମିତ ବିଏମ୍‌ସିର କାର୍ଯ୍ୟକ୍ରମ

ଲୋକାର୍ପିତ ହେଲା ୧୦୦ ଏମ୍‌ସିସି, ୫୦ ଏମ୍‌ଆରଏଫ୍

ଭୁବନେଶ୍ବର: କରୋନା କଟକଣା ସତ୍ତ୍ବେ ଆଜି ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ପାଳନ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିଡିଓ କନଫରେନ୍ସିଂ ସହାୟତାରେ ୧୦୦ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି) ଏବଂ ଶୁଖିଲା ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ୫୦ଟି ସାମଗ୍ରୀ ପୁନରୁଦ୍ଧାର ସୁବିଧା (ଏମ୍‌ଆରଏଫ୍‌)ର ଉଦ୍‌ଘାଟନ କରିଥିଲେ। ଏହାସହ ୫୧ଟି ସେପ୍ଟେଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସହରାଞ୍ଚଳରେ ଉତ୍ତମ ସେବା ଯୋଗାଇଦେବା ପାଇଁ ୫ଟି ଅନ୍ତର୍ଗତ ‘ଆମ ସହର’ ମୋବାଇଲ୍‌ ଆପ୍‌ ଏବଂ ‘ସ୍ବଚ୍ଛ ସହର ଓଡ଼ିଶା’ ୱେବ୍‌ ଆପ୍‌ର ଶୁଭାରମ୍ଭ କରିଥିଲେ। ଏହାଦ୍ବାରା ପୌରସଂସ୍ଥାଗୁଡ଼ିକରେ ଉତ୍ତମ ଆର୍ଥିକ ପରିଚାଳନା କ୍ଷେତ୍ରରେ ସ୍ବଚ୍ଛତା ଆସିବ ବୋଲି ଲକ୍ଷ୍ୟ ରଖାଯାଇଛି।

ସେହିପରି ପରିମଳ ସୁବିଧାର ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ରାଉରକେଲା ମହାନଗର ନିଗମ, ଅନୁଗୁଳ, ବାଲେଶ୍ବର ଓ ଢେଙ୍କାନାଳ ମ୍ୟୁନିସପାଲିଟିର ମିସନ୍‌ ଶକ୍ତି ଗୋଷ୍ଠୀକୁ ୪ଟି ସେପ୍ଟେଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ବ ପ୍ରଦାନ କରିଥିଲେ। ସ୍ବଚ୍ଛ ସର୍ବେକ୍ଷଣ-୨୦୨୦ରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ପୌରସଂସ୍ଥା ଯଥା ବ୍ରହ୍ମପୁର ମହାନଗର ନିଗମ, ପାରାଦୀପ, ଯୋଡ଼ା, ବଡବିଲ, ଢେଙ୍କାନାଳ, ରାଜଗାଙ୍ଗପୁର, ବ୍ୟାସନଗର, ଚୌଦ୍ବାର ମ୍ୟୁନିସପାଲଟି ଓ କୋଟପାଡ଼ ଏନ୍‌ଏସିକୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ। କୋଭିଡ୍‌-୧୯ ସମୟରେ ପରିମଳ ଯୋଦ୍ଧାମାନେ କରୁଥିବା ନିରନ୍ତର ଓ ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହି ଅବସରରେ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ପାରମ୍ପରିକ ପଦ୍ଧତିଠାରୁ ଏବର୍ଷର ସ୍ବାୟତ୍ତ ଶାସନ ଦିବସ ପାଳନ ସଂପୂର୍ଣ୍ଣ ଅଲଗା। ରାଜ୍ୟବାସୀ କଠିନ ସମୟ ଦେଇ ଗତି କରୁଥିଲେ ହେଁ ପୌରପ୍ରଶାସନ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରି ଲୋକଙ୍କୁ ସେବା ଯୋଗାଇ ଚାଲିଛି। ରାଜ୍ୟ ସରକାର ଆରମ୍ଭ କରିଥିବା ସହରୀ ମଜୁରୀ ନିଯୁକ୍ତି ପଦକ୍ଷେପ ଆଜି ସାରା ଦେଶରେ ଉଦାହରଣ ସାଜିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ୧୦୦କୋଟି ମଞ୍ଜୁର କରିଥିବାରୁ ଶ୍ରୀ ଜେନ‌ା ଧନ୍ୟବାଦ ଦେଇଥିଲେ। ସେହିପରି ଜାଗା ମିସନରେ ବସ୍ତିବାସିନ୍ଦାଙ୍କୁ ପଟ୍ଟା, ବସ୍ତିଗୁଡ଼ିକରେ ଖୋଲା ସ୍ଥାନର ଉନ୍ନତୀକରଣ ଭଳି ପଦକ୍ଷେପ ଭଳି କାର୍ଯ୍ୟକ୍ରମ ହେଉଛି ବୋଲି ଶ୍ରୀ ଜେନା କହିଥି‌ଲେ। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ସଚିବ ଜି.ମାଥିଭାଥନନ୍ ସ୍ବାଗତ ଭାଷଣ ଦେଇଥିବା ବେଳେ ପୌର ପ୍ରଶାସକ ସଂଗ୍ରାମଜିତ୍‌ ନାୟକ ଧନ୍ୟବାଦ ଦେଇଥିଲେ।

 ୫୧ ସେପ୍ଟେଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟର ଶିଳାନ୍ୟାସ
 ‘ଆମ ସହର’ ମୋବାଇଲ୍‌ ଆପ୍‌, ‘ସ୍ବଚ୍ଛ ସହର ଓଡ଼ିଶା’ ୱେବ୍‌ ଆପ୍‌ ଆରମ୍ଭ

ଭୁବନେଶ୍ବର: ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ଆଜି ବିଏମ୍‌ସି କିଛି ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିନଥିଲା। କେବଳ ବିଏମ୍‌ସି ପ୍ରଶାସକ ସଂଗ୍ରାମଜିତ ନାୟକ କାର୍ଯ୍ୟ‌ାଳୟ ପରିସରରେ ପତାକା ଉତ୍ତୋଳନ କରିବା ସହ କର୍ମଚାରୀମାନଙ୍କୁ ସମ୍ବୋଧନ କରିଥିଲେ। କରୋନା ମହାମାରୀ ସମୟରେ ବିଏମ୍‌ସି କର୍ମଚାରୀ କରୁଥିବା କାର୍ଯ୍ୟକୁ ପ୍ରଶଂସା କରିଥିଲେ। ବିଏମ୍‌ସି ପକ୍ଷରୁ କୌଣସି ଉତ୍ସବ କି କାର୍ଯ୍ୟକ୍ରମ କରି ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ ହୋଇନଥିଲା।

ଅପରପକ୍ଷେ ଆଜି ନଗରଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବ‌ସରେ ମୁଖ୍ୟମନ୍ତ୍ରୀ ୧୦୦ଟି ଏମ୍‌ସିସି ଓ ୫୦ଟି ଏମ୍‌ଆରଏଫ୍‌ର ଉଦ୍‌ଘାଟନ କରିଥିଲେ। ଏଥିରେ ବିଏମ୍‌ସିର ଗୋଟିଏ ଏମ୍‌ସିସି ଓ ଏମ୍‌ଆରଏଫ୍‌ ଥିଲା। ସୈନିକ ସ୍କୁଲ ଟିଟିଏସ୍‌ ପରିସରରେ ଥିବା ଏହି ଦୁଇଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ବିଏମ୍‌ସି କର୍ତ୍ତୃପକ୍ଷ ଆଉ ୧୦ଟି ଏମ୍‌ସିସି ଓ ୯ଟି ଏମ୍‌ଆରଏଫ୍‌ ନିର୍ମାଣ ଶେଷ କରିଥିବା କହୁଥିଲେ ହେଁ ଏହାକୁ ମୁଖ୍ୟମନ୍ତ୍ରୀ କାହିଁକି ଉଦ୍‌ଘାଟନ କଲେନି ଜଣାପଡ଼ିନି। ସାରା ରାଜ୍ୟରେ ୧୫୦ ପ୍ରକଳ୍ପ ଉଦ୍‌ଘାଟନ ଓ ୫୧ ପ୍ରକଳ୍ପ ଶିଳାନ୍ୟାସ ହେଉଥିବା ବେଳେ ବିଏମ୍‌ସିର ୧୯ଟି ପ୍ରକଳ୍ପକୁ କାହିଁକି ଉଦ୍‌ଘାଟନୀ ପର୍ବରୁ ବାଦ୍‌ ଦିଆଗଲା, ତାହା ଜଣାପଡ଼ିନି। ଯେଉଁ ପ୍ରକଳ୍ପ ଦୁଇ ମାସ ହେଲା କାର୍ଯ୍ୟକ୍ଷମ ହେଲାଣି, ତାହାକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରୁଛନ୍ତି ଅଥଚ ଯେଉଁ ପ୍ରକଳ୍ପର ନିର୍ମାଣ ଶେଷ ହୋଇଛି ତାକୁ ଉଦ୍‌ଘାଟନ କରାଯାଉନି। ଏହା ପଛରେ କାରଣ କ’ଣ ବୋଲି ଏବେ ବିଏମ୍‌ସି କର୍ମଚାରୀ ଆଲୋଚନା କରୁଛନ୍ତି।

ସମ୍ବନ୍ଧିତ ଖବର