ସଂଗରୋଧରେ ଥାଇ ବାହାରେ ବୁଲୁଥିବାରୁ ଆମେରିକା ଫେରନ୍ତା ଦମ୍ପତିଙ୍କୁ ଉଠାଇନେଲା ବିଏମସି

ସଫ୍ଟୱେର୍ କମ୍ପାନି କର୍ମଚାରୀଙ୍କ ପାଇଁ ପୁଲିସ ନାକେଦମ୍, ସହର ଭିତରକୁ ପ୍ରବେଶ ମନା

ଭୁବନେଶ୍ୱର : ନିକଟରେ ଆମେରିକାରୁ ଫେରି ଘରେ ସଂଗରୋଧରେ ଥିବା ଦମ୍ପତି ବାହାରେ ବୁଲୁଥିବାରୁ ତାଙ୍କୁ ବିଏମସି ସ୍କ୍ୱାଡ୍‌ ଉଠାଇ ନେଇଛି। ଆଜି ଅପରାହ୍‌ଣରେ ଶୈଳଶ୍ରୀବିହାର ଅଞ୍ଚଳରେ ଏହି ଦମ୍ପତି ବୁଲୁଥିବା ନେଇ ବିଏମ୍‌ସିକୁ ଖବର ମିଳିଥିଲା। ଏହାପରେ ବିଏମସିର ଜୋନାଲ ଡେପୁଟି କମିସନର ପ୍ରମୋଦ ପୃଷ୍ଟିଙ୍କ ନେତୃତ୍ୱରେ ପୁଲିସ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦମ୍ପତି ନିକଟରେ ବିଦେଶରୁ ଫେରିଥିବାରୁ ତାଙ୍କୁ ସଂଗରୋଧ ହୋଇ ରହିବାକୁ ନିର୍ଦେଶ ଥିଲା। କିନ୍ତୁ ସେମାନେ ନିୟମ ନମାନି ବାହାରେ ବୁଲୁଥିଲେ।

ବିଏମସି ଅଧିକାରୀ ଉକ୍ତ ଦମ୍ପତିଙ୍କର ସମସ୍ତ କାଗଜପତ୍ର ଯାଞ୍ଚ କରିବା ପରେ ତାଙ୍କୁ ଆମ୍ବୁଲାନ୍ସରେ ଉଠାଇନେଇଥିଲେ। ଉକ୍ତ ଦମ୍ପତିଙ୍କୁ ସରକାରୀ ସଂଗରୋଧ କେନ୍ଦ୍ରରେ ରଖାଯାଇଥିବା ବେଳେ ସେମାନଙ୍କ ନାମରେ ଚନ୍ଦ୍ରଶେଖରପୁର ଥାନାରେ ମାମଲା ରୁଜୁ ହୋଇଛି। ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି, ଉକ୍ତ ଦମ୍ପତିଙ୍କୁ ସଂଗରୋଧ କେନ୍ଦ୍ରରେ ୧୫ ଦିନ ରଖାଯିବ। ନିୟମ ମାନି ନଥିବାରୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସଫ୍ଟୱେର୍ କମ୍ପାନି କର୍ମଚାରୀଙ୍କ ପାଇଁ ପୁଲିସ ନାକେଦମ୍
ଚନ୍ଦ୍ରଶେଖରପୁର : ଆଜି ଜନତା କର୍ଫ୍ୟୁ ବଳବତ୍ତର ଥିବା ବେଳେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଘରୋଇ ସଫ୍ଟୱେର କମ୍ପାନିର କାର୍ଯ୍ୟାଳୟ ଖୋଲାଥିଲା। ଯାହାକୁ ନେଇ ଉକ୍ତ ସ୍ଥାନରେ ପାଟ୍ରୋଲିଂ କରୁଥିବା କିଛି ପୁଲିସଙ୍କୁ ନାକେଦମ ହେବାକୁ ପଡ଼ିଥିଲା। ଘଟଣା ଅନୁଯାୟୀ କମ୍ପାନିର ମହିଳା ହଷ୍ଟେଲ୍ ମୈତ୍ରୀବିହାରରେ ଥିବା ବେଳେ ଏକ ଭ୍ୟାନ୍ କର୍ମଚାରୀମାନଙ୍କୁ ବାରମ୍ବାର ନେବାପାଇଁ ଆସିଥିଲା। କମ୍ପାନିଟି ଟେଲି ଯୋଗାଯୋଗ ନେଇ କାର୍ଯ୍ୟ କରୁଥିବାରୁ ଉକ୍ତ କାର୍ଯ୍ୟାଳୟ ଖୋଲାଥିବା ଜଣାପଡ଼ିଥିଲା। ହେଲେ କର୍ମଚାରୀମାନେ ସ‌କାଳେ ଆସିବା ଓ ସଂଧ୍ୟାରେ ଯିବା ନେଇ ସମସ୍ୟା ଦେଖାଯାଇଥିଲା।

ସହର ଭିତରକୁ ପ୍ରବେଶ ମନା
ଚନ୍ଦ୍ରଶେଖରପୁର : ଆଜି ଚନ୍ଦ୍ରଶେଖରପୁର ଓ ମଞ୍ଚେଶ୍ବର ଅଞ୍ଚଳରେ କେହି ବାହାରକୁ ବାହାରି ନଥିଲେ। ନାଲକୋ ଛକରେ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକୁ କଡ଼ା ଯାଞ୍ଚ କରାଯାଉଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ‌ଲୋକମାନେ ପ୍ରମାଣପତ୍ର ଦେଖାଇ ହସ୍ପିଟାଲ୍ କାର୍ଯ୍ୟରେ ଯାଇଥିଲେ। ପଟିଆ, ଡମଣା, କିଟ୍ ଛକ, ଶୈଳଶ୍ରୀବିହାର ଏବଂ ଇନ୍‌ଫୋସିଟି ଛକରେ କୌଣସି ଗାଡ଼ି ଦେଖା ଯାଇନଥିଲା। ଅନ୍ୟପକ୍ଷରେ ବାରଙ୍ଗ ନୂଆ ଭୁବନେଶ୍ବର ଷ୍ଟେସନ୍ ଓ ମଞ୍ଚେଶ୍ବର ରେଲୱେ ଷ୍ଟେସନ୍ ଖାଁ ଖାଁ ଦେଖାଯାଇଥିଲା। ନନ୍ଦନକାନନ ଛକରେ କଟକ ଦିଗରୁ ଆସୁଥିବା ଗାଡ଼ିଗୁଡ଼ିକୁ ଭୁବନେଶ୍ବର ସହର ଭିତରକୁ ପ୍ରବେଶ ନେଇ ବାରଣ କରାଯାଇଥିଲା। ଆବଶ୍ୟକ‌ ଥିଲେ ଗାଡ଼ି ନମ୍ବର ଓ ଚାଳକର ତଥ୍ୟ ଲେଖି ପୁଲିସ ଗାଡ଼ି ଛାଡ଼ିଥିଲେ। ସେହିଭଳି ମଞ୍ଚେଶ୍ବର ଶିଳ୍ପାଞ୍ଚଳ, ଭିଏସ୍ଏସନଗର ଓ ରେଳଡବା ମରାମତି କାରଖାନା ଓ ରାଜଧାନୀ ଉପକଣ୍ଠ ଗ୍ରାମାଞ୍ଚଳଗୁଡ଼ିକରେ ମଧ୍ୟ ଲୋକମାନେ ଘର ଫାଟକରେ ତାଲା ପକାଇ ଭିତରେ ରହିଥିଲେ। କରୋନା ସେବା କାର୍ଯ୍ୟରେ ନିୟୋଜିତ ସ୍ବାସ୍ଥକର୍ମୀ ଓ ସ୍ବେଚ୍ଛାସେବୀମାନଙ୍କ ପାଇଁ ଶୁଭେଚ୍ଛା ଜଣାଇ ସଂଧ୍ୟା ୫ଟାରେ ନିଜ ନିଜ ଘର ନିକଟରେ ଘଣ୍ଟ, ଘଣ୍ଟି, ଥାଳି ବାଡ଼େଇବା ସହ ତାଳି ମାରି ଶଙ୍ଖ ଫୁଙ୍କି ଥିଲେ।

ସମ୍ବନ୍ଧିତ ଖବର