ଘରୋଇ ହସ୍ପିଟାଲ ସହ ବିଏମ୍‌ସିର ଆଲୋଚନା, କୋଭିଡ୍‌ ପାଇଁ ରହିବ ୫୦% ଶଯ୍ୟା

ଅଧିକ ଫି’ ଆଦାୟ କଲେ କାର୍ଯ୍ୟା‌ନୁଷ୍ଠାନ

ଭୁବନେଶ୍ବର : କୋଭିଡ୍ ସଂକ୍ରମିତ ମାମଲା ବୃଦ୍ଧି ପାଇଥିବାରୁ ୩୦ ଶଯ୍ୟା ବା ତା’ଠୁ ଅଧିକ କ୍ଷମତା ବିଶିଷ୍ଟ ଘରୋଇ ହସ୍ପିଟାଲର ୫୦% ସାଧାରଣ ଶଯ୍ୟା ଓ ଆଇସିୟୁ ଶଯ୍ୟାକୁ କୋଭିଡ୍ ଚିକିତ୍ସା ନିମନ୍ତେ ସଂରକ୍ଷିତ ରଖିବାକୁ ରାଜ୍ୟ ସରକାର ଗତକାଲି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦରରେ ରୋଗୀଙ୍କ ଚିକିତ୍ସା କରିବା ପାଇଁ ପରାମର୍ଶ ଦିଆଯାଇଛି। ଯେଉଁ ଘରୋଇ ହସ୍ପିଟାଲ ରୋଗୀଙ୍କଠୁ ଅଧିକ ଫି’ ଆଦାୟ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ପରେ ବିଏମ୍‌ସି ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇଛି। ସହରରେ ଥିବା ଘରୋଇ ହସ୍ପିଟାଲଗୁଡ଼ିକର ତଥ୍ୟ ସଂଗ୍ରହ କରାଯିବା ସହ ସେମାନଙ୍କ ସହ ଆଲୋଚନା କରାଯାଇଛି। କୌଣସି ବି ପରିସ୍ଥିତିରେ ଯେପରି ନିୟମର ଉଲ୍ଲଂଘନ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି।

ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କଠାରୁ ନିର୍ଦେଶ ପାଇବା ପରେ ସମସ୍ତ ଘରୋଇ ହସ୍ପିଟାଲର ତଥ୍ୟ ନେଇଛୁ। ୩୦ରୁ ଅଧିକ ଶଯ୍ୟା ଥିବା ଯେତେକ ହସ୍ପିଟାଲ ରହିଛି ସେମାନଙ୍କ ସହ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ କଥା ହେଉଛୁ। କେତେକ ହସ୍ପିଟାଲ କର୍ତୃପକ୍ଷ ଆମକୁ ଦେଖା କରି ଆଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ ୫୦% ଶଯ୍ୟା କୋଭିଡ୍‌-୧୯ ରୋଗୀଙ୍କ ପାଇଁ ସଂରକ୍ଷିତ ରଖିବାକୁ କୁହାଯାଇଛି। ଯେଉଁ ହସ୍ପିଟାଲ ନିୟମ ମାନିବେ ‌ନାହିଁ ସେମାନଙ୍କ ବିରୋଧରେ ଆ‌ଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ।

ସୂଚନାଯୋଗ୍ୟ ଯେ ଘରୋଇ ହସ୍ପିଟାଲଗୁଡ଼ିକ ଅଣକୋଭିଡ୍ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ତେବେ କୌଣସି ରୋଗୀ କୋଭିଡ୍ ସଂକ୍ରମିତ ଚିହ୍ନଟ ହେଲେ ସେମାନେ ତାଙ୍କୁ ସରକାରୀ କୋଭିଡ୍ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତର କରି ଦେଉଛନ୍ତି। କୋଭିଡ୍ ବେଡ୍ ନାହିଁ ଦର୍ଶାଇ ଘରୋଇ ହସ୍ପିଟାଲଗୁଡ଼ିକ କୋଭିଡ୍ ରୋଗୀଙ୍କ ଚିକିତ୍ସା ମଧ୍ୟ କରୁନଥିବା ଅଭିଯୋଗ ହୋଇଛି। ଅଧିକାଂଶ ଘରୋଇ ହସ୍ପିଟାଲ ସ୍ୱଳ୍ପ ସଂଖ୍ୟକ ଶଯ୍ୟାକୁ କୋଭିଡ୍ ରୋଗୀଙ୍କ ପାଇଁ ସଂରକ୍ଷଣ ରଖି ବାକିଗୁଡ଼ିକୁ ଅଣକୋଭିଡ୍ ରୋଗୀଙ୍କ ନିମନ୍ତେ ଉଦ୍ଦିଷ୍ଟ କରୁଛନ୍ତି। ଫଳରେ ସରକାରୀ କୋଭିଡ୍ ହସ୍ପିଟାଲ ଉପରେ ଚାପ ବୃଦ୍ଧି ପାଉଛି।

ସମ୍ବନ୍ଧିତ ଖବର