କରୋନା ମୁକାବିଲା: ବିଏମ୍‌ସି ଟାର୍ଗେଟ୍‌ରେ ଔଷଧ ଦୋକାନ

ହାତ ଧୋଇ ମନ୍ଦିର ଯିବାକୁ ପରାମର୍ଶ

ଭୁବନେଶ୍ବର:  ଯଦି କୌଣସି ଔଷଧ ଦୋକାନୀ କରୋନା ସମ୍ବନ୍ଧିତ ଔଷଧ, ମାସ୍କ, ସାନିଟାଇଜର୍ ମହଜୁଦ୍ ରଖି ଲୋକଙ୍କୁ ନ ଦିଅନ୍ତି, ତେବେ ସେ ଦୋକାନ ଉପରେ ବିଏମ୍‌ସି ଚଢ଼ଉ କରିବ। ସ୍ବାସ୍ଥ୍ୟ ବିଭାଗର ‘ଦି ଓଡ଼ିଶା କୋଭିଡ୍‌-୧୯ ରେଗୁଲେସନ୍‌ସ ୨୦୨୦’ ଅନୁଯାୟୀ ବିଏମ୍‌ସି ଏହି ଚଢ଼ଉ କରିବ। ବିଏମ୍‌ସିର ଅତିରିକ୍ତ କମିସନର, ଜୋନାଲ ଡେପୁଟି କମିସନରମାନେ ଔଷଧ ଏବଂ ମାସ୍କ କଳାବଜାର ନେଇ ଖବର ପାଇଲେ ଚଢ଼ଉ କରିବେ। ଯଦି କଳାବଜାରର ପ୍ରମାଣ ପାଇବେ, ତେବେ ଦୋକାନକୁ ସିଲ୍‌ କରିବା ସହ ସମସ୍ତ ସାମଗ୍ରୀ ଜବତ କରିବେ।

ସେହିପରି ରାଜଧାନୀର ସମସ୍ତ ଗୁରୁତ୍ବପୂର୍ଣ୍ଣ ମନ୍ଦିରଗୁଡ଼ିକରେ ଲୋକମାନେ ଯେପରି ହାତ ଧୋଇ ମନ୍ଦିର ଭିତରକୁ ଯିବେ ତାହା ନିଶ୍ଚିତ କରିବା ପାଇଁ ଜୋନାଲ ଡେପୁଟି କମିସନରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଏମ୍‌ସି ଅଞ୍ଚଳରେ ଥିବା ସମସ୍ତ ଗୁରୁତ୍ବପୂର୍ଣ୍ଣ ହସ୍ପିଟାଲଗୁଡ଼ିକ ଆଇସୋଲେସନ୍ ୱାର୍ଡ ଖୋଲିଛନ୍ତି। ସେ ସବୁ ସ୍ଥାନରେ କେତେ ରୋଗୀ ରହିପାରିବେ ସେନେଇ ବିଏମ୍‌ସି କମିସନରଙ୍କୁ ସେମାନେ ଜଣାଇବେ। ସମସ୍ତ ଆହାରକେନ୍ଦ୍ରରେ ଯେପରି ଲୋକମାନେ ହାତ ଧୋଇ ଖାଇବେ ସେନେଇ ଜୋନାଲ୍‌ ଡେପୁଟି କମିସନରମାନେ ମଧ୍ୟ ନିଶ୍ଚିତ କରାଇବେ। ଆଶ୍ରୟସ୍ଥଳୀଗୁଡ଼ିକୁ ସଫାସୁତରା ରଖିବା ସହ ଲୋକମାନେ ଯେପରି ହ୍ୟାଣ୍ଡୱାସ୍‌ରେ ହାତ ଧୋଇବେ ସେ ବ୍ୟବସ୍ଥା ବି କରାଯିବ।

ବିଏମ୍‌ସି, ବିଡିଏ ଓ ଭୁବନେଶ୍ବର ସ୍ମାର୍ଟ ସିଟି ଅଫିସରେ ବାୟୋମେଟ୍ରିକ ଉପସ୍ଥାନ ଏବେ ବନ୍ଦ ରହିବ। କୌଣସି କର୍ମଚାରୀ ଅଫିସ ଭିତରେ ପାନ କି ଗୁଟ୍‌ଖା ଖାଇ ଛେପ ପକାଇବେନି। ଯଦି କେହି ଛେପ ପକାଉଥିବା ଦେଖାଯାଏ ତେବେ ୫୦୦ଟଙ୍କା ଜରିମାନା ଆଦାୟ ହେବ। ଏହାବାଦ୍ ପ୍ରତ୍ୟେକ ୱାର୍ଡରେ ମଶା ଧୂଆଁ ମରାଯିବ ଏବଂ ବ୍ଲିଚିଂ ପାଉଡର୍ ଛିଞ୍ଚାଯିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର