ଖର୍ଚ୍ଚ କରିବାକୁ ଅର୍ଥ ନିଅଣ୍ଟ, ବିଏମ୍‌ସିର ଆୟ ଚିନ୍ତା ନାହିଁ

ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)କୁ ଏବେ ଅର୍ଥ ଚିନ୍ତା ଘାରିଲାଣି। ରାଜ୍ୟର ସବୁଠୁ ଅଧିକ ରାଜସ୍ବ ଆଦାୟ କରୁଥିବା ପୌରସଂସ୍ଥାର ମାନ୍ୟତା ପାଇଥିବା ବିଏମ୍‌ସି ରାଜକୋଷରେ ଅର୍ଥ ନିଅଣ୍ଟ ଦେଖାଦେଲାଣି। ନା କିଛି ଉନ୍ନତିମୂଳକ କାର୍ଯ୍ୟ ଠିକ୍ ଭାବେ ହୋଇପାରୁଛି ନା ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଠିକ୍ ସମୟରେ ଯୋଗାଇ ପାରୁଛି ବିଏମ୍‌ସି। ଲୋକ ବିଭିନ୍ନ ସମସ୍ୟା ନେଇ ବିଏମ୍‌ସିକୁ ଗଲେ ଉତ୍ତର ମିଳୁଛି, ଏବେ ଅର୍ଥ ନାହିଁ, ଆମକୁ ସରକାର ଟଙ୍କା ଦେଲେ କାମ ହେବ। ଯେଉଁଠି ଗୋଟିଏ ପ୍ରକଳ୍ପ କଲେ ୧୦ଲକ୍ଷ ଖର୍ଚ୍ଚ ହେବ ସେଠାରେ ଲକ୍ଷେ/ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ କରି କାମ ଚଳାଇବା ଭଳି କାମ କରିଦେବାକୁ ଇଞ୍ଜିନିୟରିଂ ଟିମ୍‌କୁ କୁହାଯାଇଛି। ଗତ ଦୁଇ ବର୍ଷ ମଧ୍ୟରେ ବିଏମ୍‌ସିର ଆର୍ଥିକ ମେରୁଦଣ୍ଡ ପୂରା ଦୋହଲି ଗଲାଣି।

ବିଏମ୍‌ସିର ଆର୍ଥିକ ସଙ୍କଟ ଦେଖାଦେବାର ମୁଖ୍ୟ କାରଣ ହେଲା ଗତ ଦୁଇ ବର୍ଷ ହେଲା ରାଜସ୍ବ ଆଦାୟ ପୂରା କମି ଯାଇଛି। କର୍ତ୍ତୃପକ୍ଷ ରାଜସ୍ବ ଆୟ ବୃଦ୍ଧି ପାଇଁ ବାଟ ଖୋଜିବା ବଦଳରେ କାହିଁକି ରାଜସ୍ବ ଆଦାୟ କରିପାରିଲେନି ସେନେଇ ଲମ୍ବା ଚଉଡ଼ା ସଫେଇ ଦେଉଛନ୍ତି। ଆଉ କୌଣସି ଜରୁରୀକାଳୀନ ଖର୍ଚ୍ଚ, ମରାମତି କାମ ଆସିଲା ବେଳକୁ କହୁଛନ୍ତି, ଏସ୍‌ଆରସି ଦେଲେନି, ରାଜ୍ୟ ସରକାର ଦେଉନାହାନ୍ତି।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ପୌରସଂସ୍ଥାକୁ ସ୍ବୟଂସଂପନ୍ନ ହେବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏପରିକି ରାଜ୍ୟ ସରକାର ପୌରସଂସ୍ଥାଗୁଡ଼ିକୁ ସେମାନଙ୍କ ରାଜସ୍ବ ଆଦାୟ ଟାର୍ଗେଟ୍ କେତେ ରହିଛି, କେଉଁ କେଉଁ କ୍ଷେତ୍ରରେ କେତେ କେତେ ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ରଖାଯାଇଛି ତା’ର ହିସାବ ଆଗକୁ ମାଗୁଛନ୍ତି। ପୌରସଂସ୍ଥାଗୁଡ଼ିକ କିପରି ନିଜସ୍ବ ଆୟରେ ନିଜସ୍ବ ଖର୍ଚ୍ଚ କରିବେ, ସେଥିପାଇଁ ବିଭିନ୍ନ ଅନୁଦାନ ବି ପର୍ଯ୍ୟାୟକ୍ରମେ କମା ଯାଉଛି। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ ପୂର୍ବରୁ ଯେମିତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠାରୁ ଅନୁଦାନ ପାଉଥିଲେ ତାହାକୁ ପାଇବା ଲକ୍ଷ୍ୟରେ ଚାହିଁ ବସିଛନ୍ତି। ଅଧିକାରୀମାନଙ୍କୁ ଦୁର୍ବଳ ରଣନୀତି ଏବଂ କର୍ମଚାରୀଙ୍କ ଅର୍ଥମାରଣ ନୀତି ଯୋଗୁଁ ବିଏମ୍‌ସି ରାଜସ୍ବ ଆଦାୟ କରିପାରୁନି। ଏପରିକି ରାଜସ୍ବ ସମ୍ବନ୍ଧୀୟ ସମସ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଜଣେ ବରିଷ୍ଠ ଓଆରଏସ୍ ଅଧିକାରୀଙ୍କୁ ମୁଖ୍ୟ ବିତ୍ତ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଥିଲେ ହେଁ ତାଙ୍କୁ କେବଳ ଦସ୍ତଖତ ମାରିବା ଅଧିକାରୀ କରିଦେଇଛନ୍ତି। ନା ତାଙ୍କୁ ରାଜସ୍ବ ଆଦାୟ ନେଇ ପରାମର୍ଶ ମଗା ଯାଉଛି ନା ତାଙ୍କ ପରାମର୍ଶକୁ ବିଏମ୍‌ସିରେ ଥିବା ଓଏଏସ୍ ଅଧିକାରୀମାନେ ଶୁଣୁଛନ୍ତି। ରାଜସ୍ବ ଆଦାୟ ଓ ଖର୍ଚ୍ଚ କରିବା ସବୁ ଭାର ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ଦିଆଯାଉଥିବା ବେଳେ ସେମାନେ ଯାହା ହିସାବ ଦେଉଛନ୍ତି, ତାହାକୁ ମୁଖ୍ୟ ବିତ୍ତ ଅଧିକାରୀ କେବଳ ମୋହର ମାରୁଛନ୍ତି। ଏପରିକି ଟଙ୍କା ଖର୍ଚ୍ଚ ପରେ ଲମ୍ବା ଚଉଡ଼ା ବିଲ୍‌ ଧରାଇ ଦିଆଯାଉଛି। ମୁଖ୍ୟ ବିତ୍ତ ଅଧିକାରୀ ଟଙ୍କା ନଥିବା କହି ବିଲ୍‌ ପକାଇ ରଖିଲେ ଠିକାଦାର ଏବଂ କାମ କରୁଥିବା ସଂସ୍ଥା ଆସି ବିଏମ୍‌ସିରେ ଧାରଣା ଦେଉଛନ୍ତି। ସବୁ ବୁଲିବାଲି ପହଞ୍ଚୁଛି ବିଏମ୍‌ସିରେ ଟଙ୍କା ନାହିଁ ଏବେ ବିଲ୍‌ ଟଙ୍କା ଦେଇ ହେବନି।

ଜୁନ୍‌ ସୁଦ୍ଧା ଗତବର୍ଷ ତୁଳନାରେ ୪କୋଟି କମ୍ ଆୟ

ଅପରପକ୍ଷେ, ଗତ ଆର୍ଥିକ ବର୍ଷରେ ବିଏମ୍‌ସି ରାଜସ୍ବ ଯେତିକି ଆଦାୟ ହେବ ବୋଲି ଟାର୍ଗେଟ୍ ରଖାଯାଇଥିଲା ତାହାଠାରୁ ୩୫କୋଟି କମ୍‌ ଆଦାୟ ହେଲା। ଏହାପରେ ରାଜସ୍ବ ବଢ଼ାଇବା ଚିନ୍ତା କରିବେ କ’ଣ କର୍ତ୍ତୃପକ୍ଷଙ୍କ ‌ଦୁର୍ବଳ ଯୋଜନା ଯୋଗୁଁ ଚଳିତ ଆର୍ଥିକ ବର୍ଷରେ ବି କମ୍‌ ରାଜସ୍ବ ଆଦାୟ ହେଲାଣି। ଆର୍ଥିକ ବର୍ଷର ପ୍ରଥମ ତିନି ମାସ (ଏପ୍ରିଲ-ମେ-ଜୁନ୍)ର ହିସାବ ଦେଖିଲା ବେଳକୁ ରାଜସ୍ବ ଆଦାୟ ୪କୋଟି କମ୍ ହୋଇଛି। ଜୁନ୍ ସୁଦ୍ଧା ୨୦୧୮-୧୯ରେ ୧୮କୋଟି ରାଜସ୍ବ ଆଦାୟ ହୋଇଥିବା‌ ବେଳେ ଏଥର ୧୪କୋଟି ଆଦାୟ ହୋଇଛି। ୪କୋଟି ରାଜସ୍ବ କାହିଁକି କମିଲା ତା’ର ହିସାବ ବି ଜୋନାଲ ଡେପୁଟି କମିସନରମାନେ ଦେବାକୁ ନାରାଜ।

କାହିଁକି କମୁଛି ରାଜସ୍ବ

ହୋଲଡିଂ ଟିକସ ଯେତିକି ଟାର୍ଗେଟ୍ ସେତିକି ଆଦାୟ ହେଉନି
ବିଏମ୍‌ସିର ରାଜସ୍ବ ଆଦାୟର ସିଂହଭାଗ ହୋଲଡିଂ ଟିକସରୁ ଆଦାୟ ହୋଇଥାଏ। ହେଲେ ଏହାକୁ ବି ଠିକ୍ ଭାବେ ଆଦାୟ କରାଯାଉନି। ୨୦୧୭-୧୮ରେ ହୋଲଡିଂ ଟିକସ ୬୦ କୋଟି ଆଦାୟ ହେବ ବୋଲି ଲକ୍ଷ୍ୟ ରଖା ଯାଇଥିଲା। ହେଲେ ଆଦାୟ ହେଲା ୪୧କୋଟି। ୨୦୧୮-୧୯ରେ ବି ୬୦କୋଟି ହୋଲଡିଂ ଟିକସ ଆଦାୟ କରିବାକୁ ଲକ୍ଷ୍ୟ ରଖାଗଲା କିନ୍ତୁ ଆଦାୟ ହେଲା ୩୯କୋଟି। ଏଥର ବି ୬୦କୋଟି ହୋଲଡିଂ ଟିକସ ଆଦାୟ କରିବାକୁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ତାହା ଯେ ଫେଲ୍‌ ମାରିବ, ତାହା ଏବେଠୁ ଜଳଜଳ ଦିଶିଲାଣି।

ହୋଲଡିଂ ଟିକସ ବଢ଼ାଇବା ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ଯୋଜନା କରିଛନ୍ତି ଯେ ରାଜଧାନୀର ପ୍ରତ୍ୟେକ ଘରକୁ ଏକ ସ୍ବତନ୍ତ୍ର ନମ୍ବର ଦିଆଯିବ। ଏଥିପାଇଁ ଗୋଟିଏ ଘରୋଇ ସଂସ୍ଥାକୁ ନିୟୋଜିତ କରି ଘରକୁ ଘର ବୁଲି ସର୍ଭେ କରାଯିବ। ଏଥିରେ ବିଭିନ୍ନ ଅନୁଷ୍ଠାନ, କାର୍ଯ୍ୟାଳୟ, ବ୍ୟାବସାୟିକ ପ୍ରତିଷ୍ଠାନର ବି ସର୍ଭେ କରାଯିବ। ଏହାଦ୍ବାରା ରାଜଧାନୀରେ କେତେ ଘର ଅଛି ଏବଂ କେତେ ଘରୁ ହୋଲଡିଂ ଟିକସ ଆଦାୟ ହେଉଛି, ତାହା ଜଣାପଡ଼ିବ। ଏବେ ରାଜଧାନୀରେ ପ୍ରାୟ ୧ଲକ୍ଷ ୮୦ହଜାର ଘର ଏବଂ ପ୍ରାୟ ୪୦ହଜାର ପ୍ରତିଷ୍ଠାନ ଥିଲେ ହେଁ ସବୁଠୁ ହୋଲଡିଂ ଟିକସ ଆଦାୟ ହୋଇପାରୁନି। ତେଣୁ ଏହି ସର୍ଭେ ହେଉଛି। ରା‌ଜଧାନୀର ପ୍ରକୃତ ଘର ସଂଖ୍ୟା ଏବଂ ପ୍ରତିଷ୍ଠାନ ସଂଖ୍ୟା ଜଣାପଡ଼ିଲେ ଏହାକୁ ନେଇ ଏକ ଡାଟାବେସ୍ ପ୍ରସ୍ତୁତ କରାଯିବ। ଏହି ସ୍ବତନ୍ତ୍ର ନମ୍ବର ଅନୁଯାୟୀ ବିଏମ୍‌ସି ହୋଲଡିଂ ଟିକସ ଆଦାୟ କରିବ। ଏମିତି ହେଲେ ବିଏମ୍‌ସି ବର୍ଷକୁ ପ୍ରାୟ ୧୨୦କୋଟି ହୋଲଡିଂ ଟିକସ ପାଇବ ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ୟୁଜର୍ସ ଫି’ ବାବଦକୁ ବର୍ଷକୁ ୧୦କୋଟି ହରାଉଛି
ସେହିପରି ଗତ ତିନି ବର୍ଷ ହେଲା ବିଏମ୍‌ସି ୟୁଜର୍ସ ଫି’ ଆଦାୟ କରିପାରୁନି। ୟୁଜର୍ସ ଫି’ ଜନିତ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବା ବେଳେ ବିଏମ୍‌ସି କର୍ତ୍ତୃପକ୍ଷ ବି ଏଥିପ୍ରତି ତତ୍ପରତା ଦେଖାଉନାହାନ୍ତି। ୟୁଜର୍ସ ଫି’ ବାବଦକୁ ବିଏମ୍‌ସି ବର୍ଷକୁ ପ୍ରାୟ ୧୦କୋଟି ହରାଉଥିବା ବେଳେ ତିନି ବର୍ଷରେ ୩୦କୋଟି ହରାଇଲାଣି। କିନ୍ତୁ ହାଇକୋର୍ଟରେ ବିଏମ୍‌ସି କର୍ତ୍ତୃପକ୍ଷ ଜବାବ୍ ଦେବା, ଆଫିଡେଭିଟ୍ ଦେବାରେ ବିଳମ୍ବ ହେବାରୁ ବିଏମ୍‌ସି ଏହି ମାମଲାକୁ ୩ବର୍ଷ ଗଡ଼ାଇଲାଣି ତାହା ମାନିବାକୁ କିନ୍ତୁ କର୍ତ୍ତୃପକ୍ଷ ନାରାଜ। ଏପଟେ ବିଏମ୍‌ସିରେ ଏବେ ଆଇନ ଅଧିକାରୀ ନଥିବାରୁ ଏହି ମାମଲା କେତେଦୂର ଗଲା, କେମିତି ବିଏମ୍‌ସି ସପକ୍ଷରେ ଆସିବ ସେନେଇ ବି କିଛି ପଦକ୍ଷେପ ନିଆଯାଉନି। ଫଳରେ ୟୁଜର୍ସ ଫି’ ଆଦାୟ ମାମଲାରେ ବିଏମ୍‌ସି ଯେ ଜିତିବ ତାହା କହିବା କଷ୍ଟକର।

ବିଜ୍ଞାପନ ନୀତି କଡ଼ାକଡ଼ି ହେଉନି
ବିଏମ୍‌ସି ଅଞ୍ଚଳରେ ବହୁ ବେଆଇନ ହୋର୍ଡିଂ ଓ ବିଜ୍ଞାପନ ଲାଗୁଥିଲେ ହେଁ ବିଏମ୍‌ସି ଏଥିରୁ ରାଜସ୍ବ ଆଦାୟ କରିପାରୁନି। ଯାହାର ସୁଯୋଗ ନେଇ ବହୁ ଘରୋଇ ସଂସ୍ଥା, ଶିକ୍ଷାନୁଷ୍ଠାନ, ବ୍ୟକ୍ତିମାନେ ନିଜ ଅଞ୍ଚଳରେ ହୋର୍ଡିଂ ଲଗାଇ ଟଙ୍କା ଆଦାୟ କରୁଛନ୍ତି। କିନ୍ତୁ ବିଏମ୍‌ସିକୁ ଏ ବାବଦକୁ ଯେତିକି ଟଙ୍କା ମିଳିବା କଥା ମିଳୁନି।

ରାଜସ୍ବ ବଢ଼ାଇବା ପାଇଁ କ’ଣ ରହିଛି ସୁଯୋଗ

ଟ୍ୟାକ୍ସ କଲେକ୍ଟରମାନଙ୍କୁ ଟାର୍ଗେଟ୍
ହୋଲଡିଂ ଟିକସ ଆଦାୟ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିପାରିଲେ ବିଏମ୍‌ସି ରାଜସ୍ବ ଆଦାୟ ବଢ଼ାଇପାରିବ। ହେଲେ ଏଥିପାଇଁ ଟ୍ୟାକ୍ସ କଲେକ୍ଟର, ରାଜସ୍ବ ଦାୟିତ୍ବରେ ଥିବା ଅଧିକାରୀ ଏବଂ ବିଏମ୍‌ସି କମିସନରଙ୍କ ମଧ୍ୟରେ ସମନ୍ବୟ ରହିବା ଦରକାର। ଟ୍ୟାକ୍ସ କଲେକ୍ଟରମାନେ ପ୍ରତ୍ୟେକ ଘରର ମାପଚୁପ କରି ସେହି ଅନୁଯାୟୀ ଟିକସ ଆଦାୟ କରିବାକୁ ତାଗିଦ୍ କରିବା ଦରକାର। ପୂର୍ବରୁ ଯେତେବେଳେ ଟ୍ୟାକ୍ସ କଲେକ୍ଟରମାନଙ୍କୁ ଚେତାବନୀ ବା ଟାର୍ଗେଟ୍ ଦିଆଯାଇଛି ସେତେବେଳେ ବିଏମ୍‌ସି ରାଜସ୍ବ ବଢ଼ିଛି। ଏପରିକି ବର୍ଷକରେ ୧୫କୋଟି ଅଧିକ ହୋଲଡିଂ ଟିକସ ଆଦାୟ ହେବାର ନଜିର ରହିଛି।

ଷ୍ଟାମ୍ପ ଡ୍ୟୁଟିରୁ ଭାଗ ମିଳିଲେ
ବିଏମ୍‌ସି ଅଞ୍ଚଳରେ ଯେତିକି ଜମି, ଘର, ଆପାର୍ଟମେଣ୍ଟ କିଣାବିକା ହେବ ସେଥିରେ ବିଏମ୍‌ସିର ଭାଗ ରହିବା ଦରକାର। ବିଶାଖାପାଟଣା, ହାଇଦ୍ରାବାଦ ଭଳି ସହରରେ ଏହି ବ୍ୟବସ୍ଥା ଲାଗୁ ହେଇଥିବା ବେଳେ ସେଠାକର ପୌରସଂସ୍ଥାଗୁଡ଼ିକର ରାଜସ୍ବ ବୃଦ୍ଧିର ଏହା ଏକ ମୁଖ୍ୟ କାରଣ। ତେଣୁ ବିଏମ୍‌ସିରେ ଏହି ନିୟମ ଲାଗୁ କରିବାରେ ଅସୁବିଧା ନାହିଁ। ଏହି ନିୟମ ଲାଗୁ ହେଲେ ସବ୍‌ରେଜିଷ୍ଟ୍ରି ଅଫିସରେ ଯେତିକି ସମ୍ପତ୍ତି କିଣାବିକା ହେବ, ସେଥିରୁ ୨ରୁ ୫%ଅଂଶ ବିଏମ୍‌ସି ଖାତାକୁ ଆସିପାରିବ। ଏନେଇ ବିଏମ୍‌ସି ନିୟମ ଆଣିବା ଦରକାର।

ସମ୍ପତ୍ତି କର ଆଦାୟ ହେଲେ
ଏବେ ବିଏମ୍‌ସି ନିର୍ମଣାଧୀନ ଘର ଉପରୁ ହୋଲଡିଂ ଟିକସ ଆଦାୟ କରୁଛି। କିନ୍ତୁ ବିଏମ୍‌ସି ଅଞ୍ଚଳରେ ଥିବା ଖାଲି ଜମି ଉପରୁ କୌଣସି ଟିକସ ଆଦାୟ କରୁନି। ଦେଶର ବହୁ ମହାନଗର ନିଗମ ସମ୍ପତ୍ତି କର ବା ପ୍ରପର୍ଟି ଟିକସ ଆଦାୟ କରୁଥିବା ବେଳେ ବିଏମ୍‌ସି ଏପର୍ଯ୍ୟନ୍ତ ଏହାକୁ ଲାଗୁ କରିପାରୁନି। ଭୁବନେଶ୍ବରରେ ବହୁ ଖାଲି ଜମି ଥିବା ବେଳେ ଏଥିରୁ ବିଏମ୍‌ସି ଟିକସ ଆଦାୟ କଲେ ବର୍ଷକୁ ପ୍ରାୟ ୧୦କୋଟିରୁ ଅଧିକ ଆଦାୟ କରିପାରିବ। କିନ୍ତୁ ତାହା ହେଉନି। ଏନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବିଏମ୍‌ସି ଯେଉଁଠି ଖୋଲା ଜମି ଅଛି, ସେହି ଅଞ୍ଚଳକୁ ରାସ୍ତା, ଷ୍ଟ୍ରିଟ ଲାଇଟ୍ ଯୋଗାଇଥିଲେ ସମ୍ପତ୍ତି କର ଆଦାୟ କରିପାରିବ। କିନ୍ତୁ ଏଥିପାଇଁ ନିୟମ ‌ଆସିବା ଦରକାର।

ସମ୍ବନ୍ଧିତ ଖବର