ଭୁବନେଶ୍ୱର: ଜାନୁଆରି ୩ତାରିଖରୁ ଦେଶର ୪୦୪୧ଟି ସହରରେ ସ୍ୱଚ୍ଛ ସର୍ବେକ୍ଷଣ ଆରମ୍ଭ ହୋଇଛି। ଏହି ସର୍ଭେରେ ଗତବର୍ଷ ୯୪ତମ ସ୍ଥାନରେ ଥିବା ଭୁବନେଶ୍ୱର ଚଳିତବର୍ଷ ଭଲ ର୍ୟାଙ୍କ ପାଇବାକୁ ଜୋରଦାର୍ ପ୍ରସ୍ତୁତି ଆରମ୍ଭ କରିଛି। ହେଲେ ଏହି ପ୍ରସ୍ତୁତି କେବଳ କାଗଜକଲମରେ ଚାଲିଥିବାରୁ ଏହା ଭଲ ର୍ୟାଙ୍କ ମିଳିବାରେ କେତେ ସହାୟକ ହେବ ତାହା ର୍ୟାଙ୍କ ପ୍ରକାଶ ସମୟରେ ଜଣାପଡ଼ିବ। ଗତଥର ଯେପରି ଭିତ୍ତିଭୂମି ଥିଲା ଚଳିତବର୍ଷ ବି ସେତିକି ଭିତ୍ତିଭୂମି ଅଛି। ପରିମଳ ବ୍ୟବସ୍ଥାରେ ଯାହା ଯାହା ଅଭାବ ଥିଲା ତାହା ବି ଅଛି। କୌଣସିଥିରେ ଉନ୍ନତି ହୋଇନି। ଏହିଭଳି ସ୍ଥିତିରେ ଭୁବନେଶ୍ୱର ମହାନଗର ନିଗମ ଥିବାବେଳେ ସ୍ୱଚ୍ଛ ସର୍ଭେକ୍ଷଣ ସର୍ଭେର କେନ୍ଦ୍ରୀୟ ପର୍ଯ୍ୟବେକ୍ଷଣ ଟିମ୍ ଫେବ୍ରୁଆରି ୫ତାରିଖରୁ ତିନିଦିନିଆ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି। ଏହି ଟିମ୍ ଭୁବନେଶ୍ୱରରର ସ୍ୱଚ୍ଛତା ନେଇ ବିଏମ୍ସି ପ୍ରସ୍ତୁତ କରିଥିବା ଡକୁମେଣ୍ଟ ଦେଖିବ। ଏଥିରେ ୧୪୦୦ ମାର୍କ ଥିବାବେଳେ ଭିତ୍ତିଭୂମି ଅଭାବ ଯୋଗୁଁ ପ୍ରାୟ ୪୦୦ ମାର୍କ କଟିବାର ଆଶଙ୍କା ଦେଖାଦେଇଛି। ଏହି ୪୦୦ ମାର୍କ କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ଏବଂ ତରଳ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନଥିବାରୁ କଟିବ। ସେହିପରି କେନ୍ଦ୍ରୀୟ ଟିମ୍ ପରିଦର୍ଶନରେ ପରିମଳ ବ୍ୟବସ୍ଥା ନେଇ ଯାହା ଦେଖିବେ, ଲୋକଙ୍କଠାରୁ ଯାହା ମତାମତ ଗ୍ରହଣ କରିବେ ସେଥିରେ ମୋଟ୍ ୧୨୦୦ମାର୍କରୁ ଯାହା ମାର୍କ ଦେବେ। ଏହିପରି ମୋଟ୍ ୨୬୦୦ମାର୍କର ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଯାଉଛି। କେନ୍ଦ୍ରୀୟ ଟିମ୍ର ଫେବ୍ରୁଆରି ୫ରୁ ୭ତାରିଖ ପର୍ଯ୍ୟନ୍ତ ତିନିଦିନିଆ ପରିଦର୍ଶନରେ ଆବାସିକ ଅଞ୍ଚଳରେ ସ୍ୱଚ୍ଛତା, ଆବର୍ଜନା ସଂଗ୍ରହ ହେଉଥିବା ସ୍ଥାନରେ ଜୈବ ଓ ଅଜୈବ ଆବର୍ଜନା ପୃଥକ ପୃଥକ ଭାବେ ସଂଗ୍ରହ ହେଉଛି କି ନାହିଁ, ସଫେଇ କର୍ମଚାରୀଙ୍କ ବାଇଓମେଟ୍ରିକ ଉପସ୍ଥାନ,ଦୈନିକ ସଫେଇ ଓ ବୁସ୍ କଟିଂ, ପବ୍ଲିକ ଟଏଲେଟ୍ ଠିକ୍ ଭାବେ ବ୍ୟବହାର ହେଉଛି କି ନାହିଁ, ଲୋକଙ୍କ ଠାରୁ ଫି’ ଆଦାୟ ହେଉଛି କି ନାହିଁ, ଜୈବିକ ଆବର୍ଜନାର ବ୍ୟବହାର କିପରି ହେଉଛି ଆଦି ଦେଖି ମାର୍କ ଦେବେ। କେନ୍ଦ୍ରୀୟ ଟିମ୍ ଆସିବା ପୂର୍ବରୁ ଯେପରି ସଫେଇ ଓ ଆବର୍ଜନା ସଂଗ୍ରହ ଠିକ୍ ଭାବେ ହେବ ସେଥିପାଇଁ ଆଜି ବିଏମ୍ସିର ସ୍ୱଚ୍ଛ ଭାରତ ସେଲ୍ର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ଦ୍ଧାରିତ ସମୟରେ କିପରି ପରିମଳ ଜନିତ ପ୍ରକଳ୍ପଗୁଡ଼ିକ ସରିବ ସେନେଇ ଟାର୍ଗେଟ୍ ଦିଆଯାଇଛି।
ରାସ୍ତା କି କୌଣସି ସର୍ବସାଧାରଣ ସ୍ଥାନରେ ଯେପରି କେହି ପଲିଥିନ୍ ନ ପକାଇବେ ସେଥିପାଇଁ ବିଏମ୍ସି ନୂଆ ପଦକ୍ଷେପ ନେଇଛି। ସର୍ବସାଧାରଣ ସ୍ଥାନରେ ପଲିଥିନ୍ ନ ପକାଇବା ପାଇଁ ପଲିଥିନ୍ ବ୍ୟାଗ୍ ବିକ୍ରି କରୁଥିବା ବ୍ୟବସାୟୀମାନେ ସଚେତନ କରାଇବେ। ଏହାବାଦ୍ ଯଦି ସେମାନଙ୍କ ଦୋକାନ/ଷ୍ଟଲ୍ ପାଖ ରାସ୍ତାରେ କେହି ପଲିଥିନ୍ ବ୍ୟାଗ୍ ପକାଇବେ ତେବେ ସଂପୃକ୍ତ ବ୍ୟବସାୟୀଙ୍କ ଠାରୁ ୫ହଜାର ଟଙ୍କା ଜରିମାନା ଆଦାୟ ହେବ। ଏନେଇ ଏବେ ଲୋକ ଓ ବ୍ୟବସାୟୀଙ୍କୁ ସଚେତନ କରାଯିବ। ଖୁବ୍ ଶୀଘ୍ର ଏହି ନିୟମ କଡ଼ାକଡ଼ି ଲାଗୁ ହେବ ବୋଲି ବିଏମ୍ସି ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ବିଏମ୍ସି ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରାଳୟର ନିୟମ ତଥା ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ନିୟମ ୨୦୧୬ ନିର୍ଦ୍ଦେଶନାମା ଅନୁସାରେ ପଲିଥିନ୍ ବ୍ୟାଗ୍ ବ୍ୟବହାର ନେଇ କେତେକ କଟକଣା ଜାରି ହୋଇଛି। ବ୍ୟବହାରକାରୀ ଦୋକାନୀ, ବ୍ୟବସାୟିକ ପ୍ରତିଷ୍ଠାନମାନେ ନିଜସ୍ୱ ଉଦ୍ୟମରେ ଦୋକାନ ବାହାରେ ହେଉ କି ଭିତରେ ଦୁଇଟି ଅଲଗା ଅଲଗା ଡଷ୍ଟବିନ୍ ରଖିବା ନେଇ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ରହିଛି। ସେହିପରି ବିଭିନ୍ନ ଦୋକାନ, ବଜାର ଅଞ୍ଚଳରେ ପଲିଥିନ୍ ଏବଂ ଅନ୍ୟାନ୍ୟ ପ୍ଲାଷ୍ଟିକ୍ ପଦାର୍ଥ ବାହାରେ ପଡ଼ୁଥିବା ନଜକୁ ଆସିଥିବା ବେଳେ ଏହାର ପ୍ରତିକାର ପାଇଁ ଆଜି ନୋଟିସ୍ ଜାରି ହୋଇଛି। ସେହିପରି ପ୍ଲାଷ୍ଟିକ୍ ବ୍ୟାଗ ବ୍ୟବହାରକାରୀଙ୍କ ପାଇଁ କ’ଣ କରିବେ ଏବଂ କ’ଣ ନକରିବେ ସେଇ ଏକ ତାଲିକା ପ୍ରକାଶ ପାଇଛି। ଦୁଇଟି ଡଷ୍ଟ୍ବିନ୍ ରଖିବା, ପ୍ଲାଷ୍ଟିକ୍ ବ୍ୟାଗ ବାହାରେ ନ ଫୋପାଡିବା ଇତ୍ୟାଦି ବିଷୟରେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ନ ମାନିଲେ ଦଣ୍ଡବିଧାନ ସହ ପରିବେଶ ଆଇନ ୧୯୮୬ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଏମ୍ସି କଡ଼ା ନିଷ୍ପତ୍ତି ନେଇଛି।
ସୂଚନାଯୋଗ୍ୟଯେ, ଗତ କିଛିଦିନ ତଳେ ପ୍ଲାଷ୍ଟିକ୍ କ୍ୟାରିବ୍ୟାଗ ବ୍ୟବହାରକାରୀଙ୍କ ପଞ୍ଜୀକରଣ ନେଇ ନୋଟିସ୍ ଜାରି ହୋଇଥିଲା। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଥମେ ଏକ ସଚେତନତା ଅଭିଯାନ ଆରମ୍ଭ କରାଯିବ। ଏନେଇ ରାଜଧାନୀର ବିଭିନ୍ନ ସ୍ଥାନରେ ହୋର୍ଡିଂ ଲଗାଯିବା ସହ ଏକ ଭ୍ରାମ୍ୟମାଣ ଗାଡ଼ି ମାଧ୍ୟମରେ ମାଇକ୍ ଯୋଗେ ପ୍ରଚାର କରାଯିବ। ପ୍ଲାଷ୍ଟିକ ବ୍ୟାଗ୍ ଉତ୍ପାଦନକାରୀ/ବ୍ୟବହାରକାରୀ ବ୍ୟବସାୟୀମାନେ ମାସକୁ ୪ ହଜାର ଟଙ୍କା ଏବଂ ବାର୍ଷିକ ୪୮ ହଜାର ଟଙ୍କାର ଶୁଳ୍କ ବିଏମ୍ସିରେ ଜମା କରିବାକୁ କୁହାଯାଇଛି। କେବଳ ୫୦ମାଇକ୍ରନ୍ରୁ ଅଧିକ ମୋଟେଇ ଥିବା ପଲିଥିନ୍ ବ୍ୟବହାର କରିବା ପାଇଁ ନୋଟିସ୍ ଜାରି ହୋଇଛି।