ବିଏମ୍‌ସିକୁ ଆବର୍ଜନା ପରିଚାଳନା ଚିନ୍ତା, ୧୦୦କେଜିରୁ ଅଧିକ ବାହାରୁଥିଲେ ନିଜେ ବିଶୋଧନ କରିବେ

ଭୁବ‌େନଶ୍ବର: ଯେଉଁ ଆପାର୍ଟମେଣ୍ଟ, ଅନୁଷ୍ଠାନ, ହସ୍ପିଟାଲ, ହୋଟେଲ ଆଦିରୁ ଦୈନିକ ୧୦୦ କେଜିରୁ ଅଧିକ ଆବର୍ଜନା ବାହାରୁଛି ସେମାନଙ୍କଠାରୁ ଆଉ ବିଏମ୍‌ସି ଆବର୍ଜନା ସଂଗ୍ରହ କରିବନି। ସେମାନେ ନିଜର ଆବର୍ଜନା ନିଜ କ୍ୟାମ୍ପସରେ ବିଶୋଧନ କରିବେ। ଏନେଇ ବିଏମ୍‌ସି ଦୁଇ ବର୍ଷ ତଳୁ ନିଷ୍ପତ୍ତି ନେଇଥିଲେ ହେଁ ଏବେ ଏହାକୁ କଡ଼ାକଡ଼ି କରିବାକୁ ଯାଉଛି। ରାଜଧାନୀରେ ପ୍ରାୟ ୫୦୦ଟି ସ୍ଥାନରୁ ୧୦୦କେଜିରୁ ଅଧିକ ଆବର୍ଜନା ବାହାରୁଥିବା ବେଳେ ସେମାନଙ୍କୁ ଡାକି ନୂଆ ନିୟମ ବିଷୟରେ ବିଏମ୍‌ସି କର୍ତ୍ତୃପକ୍ଷ ସଚେତନ କରିବା ଆରମ୍ଭ କରିଛନ୍ତି।

ଆଜି ବିଏମ୍‌ସିର ଉତ୍ତର ଜୋନ୍ ପକ୍ଷରୁ ‌ହୋଇଥିବା ଏହିଭଳି ସଚେତନତା କାର୍ଯ୍ୟକ୍ରମରେ ୫୫ଟି ସଂସ୍ଥା/ଆପାର୍ଟମେଣ୍ଟରେ ଥିବା ଆବାସିକ ସଂଘର ସଦସ୍ୟମାନେ ଯୋଗ ଦେଇଥିଲେ। ଡେପୁଟି କମିସନର୍‌ ପ୍ରମୋଦ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଆଇଏଏସ୍ ପ୍ରମୋଦ ପଟ୍ଟନାୟକ ରିସୋର୍ସ ପର୍ସନ ଭାବେ ଯୋଗଦେଇ ବିଏମ୍‌ସିର ନୂଆ ନିୟମ ଏବଂ ଏହାକୁ କାର୍ଯ୍ୟକାରୀ କରିବା ଉପରେ ବୁଝାଇଥିଲେ। ବିଏମ୍‌ସି ପକ୍ଷରୁ କିପରି ଆବର୍ଜନା ପୃଥକ୍‌ କରାଯିବ, ରିସାଇକେଲିଂ ହୋଇପାରୁଥିବା ଆବର୍ଜନାକୁ କିପରି କବାଡ଼ିବାଲାଙ୍କୁ ଦିଆଯିବ, ବ୍ୟାରେଲ୍ କମ୍ପୋଷ୍ଟିଂ, ବାୟୋମେଥିନେସନ୍ ଉପାୟ ବିଷୟରେ ବୁଝାଯାଇଥିଲା। ବିଏମ୍‌ସି ଏନେଇ ବୈଷୟିକ ପରାମର୍ଶ ଦେଇପାରିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି। ବିଏମ୍‌ସିର ‘ମୁଁ ସଫେଇବାଲା’ ଅଭିଯାନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।

ସମ୍ବନ୍ଧିତ ଖବର