ବାହାରେ ବୁଲୁଥିବା ଲୋକଙ୍କ କୋଭିଡ୍ ପରୀକ୍ଷା କରାଇଲା ବିଏମ୍‌ସି

ସିଲ୍ ହେଲା ଗ୍ରିନ୍ ଚିଲିଜ୍‌ ରେସ୍ତୋରାଁ

ଭୁବନେଶ୍ବର : ବିଏମ୍‌ସି ଉତ୍ତର ଜୋନ୍‌ରେ ଆଜି ପୁଣିଥରେ କଡ଼ାକଡ଼ି ଚେକିଂ ଆରମ୍ଭ ହୋଇଛି। ବିନା ମାସ୍କ୍ ଓ କୋଭିଡ୍ ନିୟମ ଉଲ୍ଲଂଘନ କରୁଥିବା ଅମାନିଆଙ୍କଠାରୁ ବିଏମ୍‌ସି ଜରିମାନା ଆଦାୟ କରିବା ସହ ବାହାରେ ବୁଲୁଥିବା ଲୋକଙ୍କ କୋଭିଡ୍ ଟେଷ୍ଟିଂ କରାଇଛି। ଏହି ଜୋନ୍ ପକ୍ଷରୁ ପ୍ରାୟ ୩୦୦ ଲୋକଙ୍କ ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା। ସମସ୍ତଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିଲା। ଆଗକୁ ଏହି କୋଭିଡ୍ ପରୀକ୍ଷା ଜାରି ରହିବ ବୋଲି ଡେପୁଟି କମିସନର୍ ପୁରନ୍ଦର ନନ୍ଦ ସୂଚନା ଦେଇଛନ୍ତି। ଶ୍ରୀ ନନ୍ଦ ଆହୁରି କହିଛନ୍ତି, ବାହାରେ ବୁଲୁଥିବା ଲୋକେ ଭୁବନେଶ୍ବର ବାସିନ୍ଦାଙ୍କ ପାଇଁ ସୁପର୍ ସ୍ପ୍ରେଡର୍‌ ସାଜୁ ଥିବାରୁ ଆଜିଠାରୁ ଏଭଳି ନୂତନ ପଦକ୍ଷେପ ନିଆଯାଇଛି।

୨୩୧ ଆକ୍ରାନ୍ତ, ୨୪୯ ସୁସ୍ଥ
ଭୁବନେଶ୍ବର : ରବିବାର ରାଜଧାନୀରୁ ୨୩୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪୯ଜଣ ସୁସ୍ଥ ହୋଇଛନ୍ତି। ୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା କୁହାଯାଇଛି। ଆଜି ବଡ଼ଗଡ଼ରୁ ୯ଜଣ, ଚନ୍ଦ୍ରଶେଖରପୁରରୁ ୧୪, ବମିଖାଲରୁ ୧୨, ଡୁମଡୁମାରୁ ୧୦, ଖଣ୍ଡଗିରିରୁ ୨୬, ପୁରୁଣା ଭୁବନେଶ୍ବରରୁ ୧୪, ସାମନ୍ତରାପୁରରୁ ୮, ସତ୍ୟନଗରରୁ ୬ ଓ ପଟିଆରୁ ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସିଲ୍ ହେଲା ଗ୍ରିନ୍ ଚିଲିଜ୍‌ ରେସ୍ତୋରାଁ
ଭୁବନେଶ୍ବର : ଗୋପବନ୍ଧୁ ଛକସ୍ଥିତ ଗ୍ରିନ୍‌ ଚିଲିଜ୍‌ ରେସ୍ତୋରାଁକୁ ରବିବାର ବିଏମ୍‌ସି ସିଲ୍‌ କରିଛି। ବିଏମ୍‌ସି ଏନଫୋର୍ସମେଣ୍ଟର ସହକାରୀ କମିସନର୍ ଲିଲନ ପ୍ରସାଦ ସାହୁ ଆଜି ସନ୍ଧ୍ୟା ବେଳେ ଚଢ଼ଉ କରି ରେସ୍ତୋରାଁକୁ ସିଲ୍‌ କରିବା ସହ କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ଜରିମାନା ଆଦାୟ କରିଥିଲେ। ଏହି ରେସ୍ତୋରାଁରେ ଲୋକଙ୍କୁ ଲୁଚାଛପାରେ ଖାଇବାକୁ ଦିଆଯାଉଥିଲା ବୋଲି ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର