ଭୁବନେଶ୍ୱର: ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମ କ୍ୟାପିଟାଲ୍ ହସ୍ପିଟାଲ୍ରୁ ବାଣୀବିହାର ପର୍ଯ୍ୟନ୍ତ ଚାଲିବ। ଡିସେମ୍ବର ସୁଦ୍ଧା ମାଟି ପରୀକ୍ଷା କାମ ସରିଯିବ। ମାଟି ପରୀକ୍ଷା ପରେ ପରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାମ ବା ଖୁଣ୍ଟ ପୋତା ଆରମ୍ଭ ହେବ। ଏଥିପାଇଁ ରାସ୍ତାର ପୂରା ଗୋଟିଏ ଲେନ୍ ପ୍ରଭାବିତ ହେବ। ସେଥିପାଇଁ ଜନପଥକୁ ଚଉଡ଼ା କରାଯିବ। ଯେମିତି ଟ୍ରାଫିକ୍ ବିଶୃଙ୍ଖଳା ବା ପ୍ରଭାବିତ ହେବନି। କିନ୍ତୁ ଏହି ରାସ୍ତା କଡ଼ରେ ବିଧିବଦ୍ଧ ଭାବରେ ପାର୍କିଂ ହେଉଛି। ଶିଶୁଭବନରୁ ବାଣୀବିହାର ପର୍ଯ୍ୟନ୍ତ ଜନପଥର ଉଭୟ ପାର୍ଶ୍ବରେ ପାର୍କିଂ ବନ୍ଦ କରିବା ସହ ନୋ ପାର୍କିଂ ଜୋନ୍ ଘୋଷଣା କରିବା ପାଇଁ ଭୁବନେଶ୍ବର ମେଟ୍ରୋ ରେଳ ନିଗମ ଲିମିଟେଡ୍(ବିଏମ୍ଆର୍ସିଏଲ୍) ବିଏମ୍ସିକୁ ଚିଠି ଲେଖିଛି। କିନ୍ତୁ ଏ ଯାବତ୍ ଘୋଷଣା ହୋଇ ନାହିଁ। ଏହା ଯେତେ ବିଳମ୍ବ ହେବ ମେଟ୍ରୋ ରେଳପଥ ନିର୍ମାଣ ସେତେ ବିଳମ୍ବ ହେବ। ଏଣୁ ମେଟ୍ରୋ ରେଳପଥ ନିର୍ମାଣରେ ବିଏମ୍ସି ଏକ ପ୍ରକାର କଣ୍ଟା ସାଜିଛି।
ଟ୍ରାଫିକ୍ ଶୃଙ୍ଖଳିତ କରିବା ପାଇଁ ମାଟି ପରୀକ୍ଷା ଓ ଖୁମ୍ବ ପୋତିବା ପାଇଁ ରାସ୍ତାର ପ୍ରାୟ ୫୦ ପ୍ରତିଶତ ପ୍ରଭାବିତ ହେଉଥିବାରୁ ଶିଶୁଭବନରୁ ରଘୁନାଥପୁର ଜାଲି ପର୍ଯ୍ୟନ୍ତ ରାସ୍ତାକୁ (ଉଭୟ ପାର୍ଶ୍ବରେ) ୨ରୁ ୩ ମିଟର ପର୍ଯ୍ୟନ୍ତ ଚଉଡ଼ା କରିବାକୁ ଯୋଜନା ହୋଇଛି। ଏହି ଯୋଜନା ଆଧାରରେ ବିଏମ୍ଆର୍ସିଏଲ୍ ପାର୍କିଂ ବନ୍ଦ କରିବା ପାଇଁ ଚିଠି ଲେଖିଛି। ଏହି ଜନପଥକୁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍(ବିଏସ୍ସିଏଲ୍) ପ୍ରସ୍ତୁତ କରିଥିବାରୁ ପାର୍କିଂ ଟେଣ୍ଡର ଦେଇଥିଲା। ପାର୍କିଂ ପାଇଁ ସେନ୍ସର୍ ଲଗାଇବା ସହ ସ୍ବତନ୍ତ୍ର ଜାଗା ପ୍ରସ୍ତୁତ କରିଥିଲା। ମେସିନ୍ ସହାୟତାରେ ଦେୟ ଆଦାୟ କରାଯାଉଥିଲା। ପ୍ରାୟ ୩ ବର୍ଷ ଏଭଳି ଚାଲିବା ପରେ ବିଏମ୍ସିର ଲୋଭ ହୋଇଥିଲା। ସହରର ୨୭ଟି ଜାଗାରେ ପାର୍କିଂ ପାଇଁ ବିଏମ୍ସି ଟେଣ୍ଡର ଡାକିଥିଲା।
ଜନପଥରେ ପାର୍କିଂ ବନ୍ଦ କରିବାକୁ ଚିଠି
ଯୁଦ୍ଧକାଳୀନ ଭିତ୍ତିରେ ହେବ କାମ
ଟ୍ରାଫିକ୍ ଶୃଙ୍ଖଳାକୁ ଗୁରୁତ୍ବ
ଏଥିପାଇଁ ବର୍ଷକୁ ୨.୮୭କୋଟି ଟଙ୍କା ରାଜସ୍ବ ଲକ୍ଷ୍ୟ ରଖିଥିଲା। ଏଥିରେ ଜନପଥ ମଧ୍ୟ ସାମିଲ ଥିଲା। ଗତ ମାସ ୨୨ ତାରିଖରେ ଡକା ଯାଇଥିବା ଟେଣ୍ଡର ଅବଧି ଆଜି ଶେଷ ହୋଇଛି। ଖୁବ୍ଶୀଘ୍ର ଟେଣ୍ଡର ଖୋଲିବାକୁ ବିଏମ୍ସି ଯୋଜନା କରିଛି। ଯଦି ବିଏମ୍ସି ଏହି ଟେଣ୍ଡର ଦେଇଦିଏ ତେବେ ବାତିଲ କରିବା କାଠିକର ପାଠ ହେବ। ଅର୍ଥାତ୍ ମେଟ୍ରୋ ରେଳ ପ୍ରକଳ୍ପ ପ୍ରଭାବିତ ହେବା ଥୟ। ୨୦୨୭ ମସିହା ଡିସେମ୍ବର ସୁଦ୍ଧା ମେଟ୍ରୋ ରେଳ ପ୍ରକଳ୍ପ (ପ୍ରଥମ ପର୍ଯ୍ୟାୟ) କାମ ସାରିବା ପାଇଁ ଧାର୍ଯ୍ୟ ହୋଇଛି। ପାର୍କିଂ ପାଇଁ କାମ ପ୍ରଭାବିତ ହେଲେ ଧାର୍ଯ୍ୟ ଅବଧିରେ ଶେଷ ହେବା ଅସମ୍ଭବ ହେବ।
ଏହି ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ରେଳପଥ ବିଛା କାର୍ଯ୍ୟକୁ ୩ଟି ପ୍ୟାକେଜ୍ କରାଯାଇଛି। ପ୍ରଥମ ପ୍ୟାକେଜ୍ କ୍ୟାପିଟାଲ୍ ହସ୍ପିଟାଲ୍ରୁ ଶିଶୁଭବନ ଦେଇ ଆଚାର୍ଯ୍ୟବିହାର ପର୍ଯ୍ୟନ୍ତ ରହିଛି। ଦ୍ବିତୀୟ ପ୍ୟାକେଜ୍ ଜୟଦେବ ବିହାରରୁ କିଟ୍ ଛକ ରହିଥିବା ବେଳେ ତୃତୀୟ ପର୍ଯ୍ୟାୟ କିଟ୍ରୁ ତ୍ରିଶୁଳିଆ ରହିଛି। ଏଠାରେ ଧାରଣା ବିଛା କାମ କରିବା ପାଇଁ ଡିଏମ୍ଆର୍ସି ପକ୍ଷରୁ ୩ଟି ଠିକାସଂସ୍ଥାଙ୍କୁ ନିଯୁକ୍ତ କରାଯାଇଛି। ଧାରଣା ବିଛା ତ ପର କଥା, ଏବେ ମାଟି ପରୀକ୍ଷା ପାଇଁ ଖୋଳା ଯାଉଥିବାରୁ ଟ୍ରାଫିକ୍ ପ୍ରଭାବିତ ହୋଇଛି। ରାସ୍ତାର ଗୋଟିଏ ଲେନ୍ ବନ୍ଦ ରଖାଯାଉଥିବାରୁ ଆଉ ଗୋଟିଏ ଲେନ୍ରେ ଟ୍ରାଫିକ୍ ବିଶୃଙ୍ଖଳା ସୃଷ୍ଟି ହେଉଛି। ପାର୍କିଂରେ ରହିଥିବା ଗାଡ଼ି ବାହାରିବା ବେଳେ ଓ ଗାଡ଼ି ରଖିବା ବେଳେ ପ୍ରଭଳ ଭିଡ଼ ହେଉଛି। ବିଶେଷକରି ସନ୍ଧ୍ୟାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଛି। ଜନପଥରେ ଜନପଥରେ ୧୦ଟି ଅନ୍ ଓ ଅଫ୍ ଷ୍ଟ୍ରିଟ୍ ପାର୍କିଂ ରହିଛି। ଏ ସବୁରେ ପାର୍କିଂ ପରିଚାଳନା କରିବାକୁ ଠିକା ସଂସ୍ଥା ପାଇଁ ବିଏମ୍ସି ଟେଣ୍ଡର ଡାକିଛି। ଗତ ୮ ତାରିଖରୁ ବିଏମ୍ଆର୍ସିଏଲ୍ ବିଏମ୍ସିକୁ ନୋ ପାର୍କିଂ ଜୋନ୍ ଘୋଷଣା କରିବାକୁ ଚିଠି ଲେଖିଥିଲେ ମଧ୍ୟ ଏ ଯାବତ୍ ପାର୍କିଂ ଟେଣ୍ଡର ବାତିଲ୍ ହୋଇନାହିଁ। ତେବେ ଜଣେ ଅଧିକାରୀଙ୍କ କହିବା କଥା, ମେଟ୍ରୋ ପାଇଁ ବିଏମ୍ସି ସହଯୋଗ କରିଆସିଛି। ଆଗକୁ ମଧ୍ୟ ସମସ୍ତ ସହଯୋଗ କରିବ। ବିଏମ୍ଆର୍ସିଏଲ୍ ଚିଠି ଉପରେ ବିଚାର କରାଯାଉଛି।