ଭୁବନେଶ୍ବର: ଫାଇଲ୍ ଧରି କିରାଣି ଅଫିସର୍ଙ୍କ ପାଖକୁ ଯିବେନି। ଅନ୍ଲାଇନ୍ ଫାଇଲ୍ ଦାଖଲ ହେବ। ଅନ୍ଲାଇନ୍ରେ ହିଁ ଅଫିସର ଦସ୍ତଖତ କରିବେ। ଯେଉଁ ବାଟ ଦେଇ ଯାଇଥିଲା ସେମିତି ବିଭାଗକୁ ଫାଇଲ୍ ଫେରିବ। ସମସ୍ତେ ଜାଣି ପାରିବେ କେଉଁ ଫାଇଲ୍ କୁଆଡ଼େ ଗଲା, କେତେ ଦିନ ପଡ଼ି ରହିଲା। କାମରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ବିଏମ୍ସିରେ ଇ-ଅଫିସ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି। ହେଲେ କୌଣସି ଗୁରୁତ୍ବପୂର୍ଣ୍ଣ ଫାଇଲ୍ ଇ-ଅଫିସ୍ରେ ଦାଖଲ ହେଉନି। ଦୋଷ ଛିଣ୍ଡାଇବାକୁ ଓ ଇ-ଅଫିସ୍ରେ ଫାଇଲ୍ ଯାଉଛି ବୋଲି ହିସାବ ଦେଖାଇବାକୁ କେତେକ ସାଧାରଣ ଫାଇଲ୍ କେବଳ ଇ-ଅଫିସ୍ ଜରିଆରେ ପଠାଯାଉଛି। ବାକି ଫାଇଲ୍ଗୁଡ଼ିକ ହାତରେ ଧରି କିରାଣି ଅଫିସରଙ୍କ ପାଖକୁ ଯାଉଛନ୍ତି। ସେ ବିଷୟରେ କେହି କିଛି ଜାଣି ପାରୁନାହାନ୍ତି। ଏବଂ ସେହି ଫାଇଲ୍ରେ ହିଁ ସବୁଠାରୁ ଅଧିକ କେଳେଙ୍କାରୀ ହେଉଛି। ଅନେକ ସମୟରେ ଫାଇଲ୍ ହଜି ଯାଉଥିବା କର୍ମଚାରୀ ଦେଖାଉଛନ୍ତି। ଏଭଳି ଏକାଧିକ ଫାଇଲ୍ ହଜି ଯାଇଥିବା ଘଟଣାରେ ବିଏମ୍ସିରେ କ୍ରାଇମ୍ବ୍ରାଞ୍ଚ ପଶି ତନାଘନା କରୁଛି। କର୍ମଚାରୀମାନେ ବାହାନା ଦେଖାଉଛନ୍ତି କି ସବୁ କାଗଜପତ୍ର ସ୍କାନ୍ ହୋଇ ନଥିବାରୁ ଇ-ଅଫିସ ଜରିଆରେ ଦାଖଲ କରି ହେଉନାହିଁ। ଏହା କର୍ମଚାରୀଙ୍କୁ କଙ୍କଡ଼ାକୁ ଗୋଳି ପାଣି ଭଳି ସୁହାଇଛି। ଏଭଳି ଚାଲିଥିବା ଜଣାପଡ଼ିବା ପରେ ବିଏମ୍ସି ଇ-ଅଫିସ୍କୁ କଡ଼ାକଡ଼ି କରିଛି। ନୂଆବର୍ଷଠାରୁ କୌଣସି ଫାଇଲ୍ କିରାଣୀ ହାତରେ ଧରି ଆସିବେ ନାହିଁ। ପ୍ରତ୍ୟେକ ଫାଇଲ୍ ଇ-ଅଫିସ ଜରିଆରେ ଆସିବ। ହାତରେ ଧରି ଫାଇଲ୍ କାରବାର କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଫତୱା ଜାରି ହୋଇଛି।
ବିଏମ୍ସିର ଇଞ୍ଜିନିୟରିଂ ସେକ୍ସନରେ ୫୪ କୋଟି ଟଙ୍କା ଖର୍ଚ୍ଚର ଫାଇଲ୍ ମିଳୁନି। ଯାହାକୁ ନେଇ ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ କ୍ରାଇମ୍ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ପରିମଳ ବ୍ୟବସ୍ଥାରେ କୋଟି କୋଟି ଟଙ୍କା ଖର୍ଚ୍ଚ ଉପରେ ଅଡିଟ୍ ଆପତ୍ତି ଉଠାଇଛନ୍ତି। ତାହା ମଧ୍ୟ ଲୋକାୟୁକ୍ତରେ ବିଚାରାଧୀନ ରହିଛି। ଏହା ବାଦ୍ ଅନେକ ପ୍ରସଙ୍ଗରେ ଅଡିଟ୍ ଆପତ୍ତି ଉଠାଇଛନ୍ତି। କିନ୍ତୁ ମାମଲା ଲୋକାୟୁକ୍ତ ଯାଇ ନାହିଁ। ସବୁଠାରୁ ବେଶି କେଳେଙ୍କାରୀ ଏହି ଉପବିଭାଗରେ ହୋଇଛି। ବିଭିନ୍ନ ପ୍ରକଳ୍ପରେ ଯେଉଁ ଅର୍ଥ ଖର୍ଚ୍ଚ ହେବ ସେହି ଆଧାରରେ ଫାଇଲ୍ କାହା ପାଖକୁ ଯିବ ତାହା ଧାର୍ଯ୍ୟ ହୋଇଥାଏ। ଯେଉଁଠି ଦୁର୍ନୀତି କରିବାକୁ ଥାଏ ସେଠାରେ ଉପବିଭାଗ ଦାୟିତ୍ବରେ ଥିବା ଅଧିକାରୀ ଧାର୍ଯ୍ୟ ପରିମାଣରୁ କମ୍ ପରିମାଣର ଫାଇଲ୍ ତିଆରି କରି ପ୍ରକଳ୍ପକୁ ଭାଗ ଭାଗ କରିଦିଅନ୍ତି। ଏଣୁ ଫାଇଲ୍କୁ ସହଜରେ ସରକାର, ମେୟର ଓ କମିସନରଙ୍କ ପାଖରୁ ଲୁଚାଇ ଦିଅନ୍ତି। ଯଦି ଏହି ସବୁ ଫାଇଲ୍ ଇ-ଅଫିସ୍ରେ କାରବାର ହୋଇଥାନ୍ତା ତେବେ କେବଳ ଉପବିଭାଗ(ଇଞ୍ଜିନିୟରିଂ) ନୁହେଁ, ବରଂ ଖୋଦ୍ କମିସନର ବି ଯେବେ ଚାହିଥାନ୍ତେ ସେବେ ଏହି ଫାଇଲ୍କୁ ଦେଖି ପାରିଥା’ନ୍ତେ ଏବଂ ଅଧିକାରୀଙ୍କ କାରବାର ଧରା ପଡ଼ି ଯାଇଥା’ନ୍ତା।
ବିଏମ୍ସିରେ ଏଭଳି ନିୟମିତ ଅଭିଯୋଗ ଲାଗିରହିବାରୁ ଇ-ଅଫିସ୍ କଡ଼ାକଡ଼ି କରାଯାଇଥିଲା।
କିନ୍ତୁ ବିଭିନ୍ନ ବିଭାଗର ଲକ୍ଷାଧିକ ରେକର୍ଡ (କାଗଜପତ୍ର) ସ୍କାନ୍ ହୋଇ ନଥିବାରୁ କମ୍ପ୍ୟୁଟରରେ ଦେଖିବା ସମ୍ଭବ ହେଉନଥିଲା। ଏଣୁ ବିଏମ୍ସିର ସମସ୍ତ ରେକର୍ଡ ଡିଜିଟାଇଜେସନ କରିବା ପାଇଁ ଗତ ଏପ୍ରିଲ ମାସରେ ବିଏମ୍ସି ଟେଣ୍ଡର ଜରିଆରେ ସଂସ୍ଥା ଚୟନ କରିଥିଲା। ସମ୍ପୃକ୍ତ ସଂସ୍ଥା ଜୁନ୍ ମାସରୁ ସମସ୍ତ ରେକର୍ଡ ସ୍କାନ୍ କରି କମ୍ପ୍ୟୁଟରରେ ଅପ୍ଲୋଡ୍ କରିଥିଲା। କିନ୍ତୁ ବିଭିନ୍ନ ଉପବିଭାଗର ଅଧିକାରୀମାନେ କେଳେଙ୍କାରୀରେ ସାମିଲ ଥିବାରୁ ଏହି ସ୍କାନ୍ ରେକର୍ଡକୁ ବ୍ୟବହାର କରୁନଥିଲେ। ଜାଣି ଜାଣି ଫାଇଲ୍ ହାତରେ ନେଇ ଦସ୍ତଖତ କରୁଥିଲେ। ଫଳରେ ବିଏମ୍ସିରେ ଦୁର୍ନୀତି ସୀମା ଲଂଘିଥିଲା। ପ୍ରତି ଅଡିଟ୍ରେ କୋଟି କୋଟି ଟଙ୍କା ଖର୍ଚ୍ଚ ଉପରେ ଆପତ୍ତି ଉଠୁଥିଲା। ଏବେ କମିସନର ଏହି ଇ-ଅଫିସ୍ ବ୍ୟବସ୍ଥାକୁ କଡ଼ା କଡ଼ି କରିଛନ୍ତି। ପ୍ରତ୍ୟେକ ଉପବିଭାଗ ଯଥା: ଇଞ୍ଜିନିୟରିଂ, ଡ୍ରେନେଜ୍, ସ୍ବାସ୍ଥ୍ୟ, ପରିମଳ, ପ୍ଲାନିଂ ପ୍ରଭୃତିକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ମାସରେ ଏ ନେଇ ବସିଥିବା ସମୀକ୍ଷା ବୈଠକରେ ରେକର୍ଡ ସ୍କାନିଂ ସରିନଥିବା କେତେକ ଅଧିକାରୀମାନେ ଅଭିଯୋଗ କରିଥିଲେ। ଏହି ଫାଇଲ୍ଗୁଡ଼ିକ ଅଧିକ ଲୋକ ଲଗାଇ ଡିସେମ୍ବର ଶେଷ ସୁଦ୍ଧା ସ୍କାନ ସାରିବାକୁ କହିଥିଲେ। ଏହି ଅବଧି ସରିବା ପରେ ନୂଆ ବର୍ଷ ଠାରୁ କେବଳ ଇ-ଅଫିସ୍ରେ ଫାଇଲ୍ କାରବାର ହେବ ବୋଲି କୁହାଯାଇଛି। ଫଳରେ କେଳେଙ୍କାରୀରେ ସାମିଲ ଥିବା ଅଧିକାରୀମାନେ ପ୍ରମାଦ ଗଣୁଛନ୍ତି।