ଭୁବନେଶ୍ବର : ବିଏମ୍ସି ନିଜ ଅଫିସ ଏବଂ ବିଭିନ୍ନ ସ୍ଥାନରେ ଥିବା ନିଜ ସମ୍ପତ୍ତି ଜଗିବା ପାଇଁ ଘରୋଇ ସୁରକ୍ଷାକର୍ମୀ ନିୟୋଜିତ କରିବ। ଏବେ ବିଏମ୍ସିର ବହୁ ସ୍ଥାନରେ ପ୍ରକଳ୍ପ ନିର୍ମଣାଧୀନ ଥିବା ବେଳେ ଏହାର ରକ୍ଷଣାବେକ୍ଷଣ ହୋଇପାରୁ ନ ଥିବାରୁ ସାମଗ୍ରୀ ଚୋରି ହୋଇଯାଉଛି। ଏପରିକି କେତେକ ସ୍ଥାନରେ ଲୋକ ବିରୋଧ କରୁଥିବାରୁ ବିଭିନ୍ନ ପ୍ରକଳ୍ପର କାମ ଆରମ୍ଭ ହୋଇ ପାରୁନି। ତେଣୁ ବିଏମ୍ସି ପକ୍ଷରୁ ସୁରକ୍ଷା କର୍ମୀ ନିୟୋଜିତ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୫ଜଣ ସୁରକ୍ଷା କର୍ମୀ ନିୟୋଜିତ ହେବେ।
ବିଏମ୍ସିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏବେ ବିଏମ୍ସିର ବିଭିନ୍ନ ପ୍ରକଳ୍ପ, ରାଜଧାନୀର ୧୧ଟି ଆହାର କେନ୍ଦ୍ର, ବିଭିନ୍ନ ପାର୍କ, ବିଏମ୍ସି ହସ୍ପିଟାଲ, କର୍ମଜୀବୀ ମହିଳା ହଷ୍ଟେଲ, ସୈନିକ ସ୍କୁଲ ନିକଟସ୍ଥ ଅସ୍ଥାୟୀ ଡମ୍ପିଂୟାର୍ଡ, ନିର୍ମାଣ ହେଉଥିବା କମ୍ପୋଷ୍ଟ ପ୍ଳାଣ୍ଟ ଗୁଡ଼ିକରେ ସୁରକ୍ଷା କର୍ମୀ ନିୟୋଜିତ ହେବେ। ଏହି ସୁରକ୍ଷାକର୍ମୀମାନେ ନିୟୋଜିତ ହେଉଥିବା ସ୍ଥାନକୁ କିଏ ଆସିଲେ, କିଏ ଗଲେ, କେଉଁ ଗାଡ଼ି ଆସିଲା, କ’ଣ ଆସିଲା, କେତେବେଳେ ଗଲା ତା’ର ରେକର୍ଡ ରେଜିଷ୍ଟରରେ ଲେଖିକି ରଖିବେ। ଏଥିରେ ବନ୍ଧୁକଧାରୀ, ଲାଠି ଧାରୀ ସୁରକ୍ଷାକର୍ମୀ ବି ରହିବେ। ଏପରିକି କୌଣସି ସ୍ଥାନରେ ଅଗ୍ନିକାଣ୍ଡ ଘଟିଲେ କିପରି ଏହାର ମୁକାବିଲା କରିବେ ସେନେଇ ପ୍ରଶିକ୍ଷଣ ଦିଆଯିବ। ପ୍ରାକୃତିକ ଦୁର୍ବିପାକ ସମୟରେ ବି ଏହି ସୁରକ୍ଷାକର୍ମୀମାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରିହେବ। ଏସବୁ ବାଦ୍ ଆବଶ୍ୟକ ସ୍ଥଳେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିଲେ ସେମାନେ ସହଯୋଗ କରିବେ। ଏବେ ୭୫ଜଣ ସୁରକ୍ଷାକର୍ମୀ ନିୟୋଜିତ ହେବେ। ଆବଶ୍ୟକ ପଡ଼ିଲେ ଅଧିକ ସୁରକ୍ଷା କର୍ମୀ ନିୟୋଜିତ ହେବେ।