ଆଜିଠୁ ମଣ୍ଡପ ସିଲ୍‌ ଅଭିଯାନ : ପ୍ରଥମ ଦିନରେ ୫

ଭୁବନେଶ୍ବର : ବିନା ବିଲଡିଂ ପ୍ଲାନ୍ ଅନୁମୋଦନରେ କୋଠା ନିର୍ମାଣ, ବିନା ଟ୍ରେଡ୍ ଲାଇସେନ୍ସରେ ବ୍ୟବସାୟ କରୁଥିବା, ହୋଲ୍‌ଡିଂ ଟିକସ ଫାଙ୍କୁଥିବା, ପାର୍କିଂ ସୁବିଧା ନ ଥିବା ୯୪ଟି କଲ୍ୟାଣମଣ୍ଡପ/ବିବାହ ମଣ୍ଡପକୁ ବିଏମ୍‌ସି ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ କରାଯାଇଥିଲା। ଯାହାର ଯାହା ଭିତ୍ତିଭୂମି ଅଭାବ ଅଛି ତାକୁ ସଜାଡ଼ିବାକୁ ମାସେ ମହଲତ ଦିଆଯାଇଥିଲା। ଜାନୁଆରି ୩୧ରେ ଏହି କଣ୍ଟ ପୂରିଥିବାବେଳେ ବେଆଇନ୍ ଭାବେ ନିର୍ମାଣ ହୋଇଥିବା ଏବଂ ଚାଲିଥିବା କଲ୍ୟାଣମଣ୍ଡପଗୁଡ଼ିକୁ ବନ୍ଦ କରିବାକୁ ବିଏମ୍‌ସି ପକ୍ଷରୁ ସୋମବାର ଠାରୁ ଅଭିଯାନ ଆରମ୍ଭ ହେଉଛି।

ପ୍ରଥମ ଦିନରେ ବିଏମ୍‌ସିର ତିନିଟି ଜୋନ୍‌ରେ ପ୍ରାୟ ୫ଟି କଲ୍ୟାଣ ମଣ୍ଡପ ସିଲ୍‌ କରିବାକୁ ଯୋଜନା ହୋଇଛି। ଏଥିରେ ଦକ୍ଷିଣ ପୂର୍ବ ଜୋନ୍‌ରେ ସହିଦନଗର ଥାନା ଅଞ୍ଚଳରେ ଗୋଟିଏ, ଉତ୍ତର ଜୋନ୍‌ରେ ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନା ଅଧୀନରେ ତିନିଟି ଏବଂ ଦକ୍ଷିଣ ପଶ୍ଚିମ ଜୋନ୍‌ରେ ଖଣ୍ଡଗିରି ଥାନା ଅଧୀନରେ ଗୋଟିଏ କଲ୍ୟାଣ ମଣ୍ଡପ ସିଲ୍‌ ହେବାର ଅଛି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ବିଏମ୍‌ସି ପକ୍ଷରୁ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସ୍‌ର ଜବାବ ୬୦ରୁ ଅଧିକ କଲ୍ୟାଣ ମଣ୍ଡପ ଦେଲେନି। କେତେକ ମଣ୍ଡପ ନିଜର ଭିତ୍ତିଭୂମି ବି ସଜାଡ଼ିଲେନି। ଜାନୁଆରି ୩୧ତାରିଖ ସୁଦ୍ଧା ପ୍ରାୟ ୩୦ଟି କଲ୍ୟାଣ ମଣ୍ଡପ ବିଏମ୍‌ସି ନିକଟରେ ସେମାନଙ୍କ ପକ୍ଷ ରଖିଛନ୍ତି। ହେଲେ ବିଏମ୍‌ସି ପକ୍ଷରୁ ସେଗୁଡ଼ିକୁ ଯାଞ୍ଚ କରାଯାଇନି। କିନ୍ତୁ ପୂର୍ବରୁ ହୋଇଥିବା ସର୍ଭେ ଅନୁଯାୟୀ ସୋମବାର ଠାରୁ କଲ୍ୟାଣ ମଣ୍ଡପ ସିଲ୍‌ ଅଭିଯାନ ଆରମ୍ଭ ହେବ। ଏବେ ଲଗାତାର ତିନି ଦିନ ବିଭିନ୍ନ ଅଞ୍ଚଳରେ କଲ୍ୟାଣ ମଣ୍ଡପ ସିଲ୍‌ କରିବାକୁ ନିଷ୍ପତ୍ତି ହୋଇଛି। ଏହାପରେ ବିଭିନ୍ନ ଜୋନ୍‌ରେ କଲ୍ୟାଣ ମଣ୍ଡପ ସିଲ୍‌ ଅଭିଯାନ ଜୋର୍‌ଦାର କରାଯିବ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।

ସମ୍ବନ୍ଧିତ ଖବର