ବିଏମ୍‌ସି ଅଳିଆ ଗାଡ଼ି ନେଲା ଜୀବନ, ହାଇୱା ଧକ୍କାରେ ବାଇକ୍ ଚାଳକ ମୃତ

ନିୟମ ମାନୁ ନାହାନ୍ତି ଅଳିଆ ଗାଡ଼ି ଚାଳକ

ଚନ୍ଦ୍ରଶେଖରପୁର: ଆଜି କିଟ୍‌ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତିଙ୍କ ବାଇକ୍‌ ଉପରେ ବିଏମ୍‌ସିର ଏକ ଅଳିଆ ବୋଝେଇ ଗାଡ଼ି ମାଡ଼ି ଯିବାରୁ ସମ୍ପୃକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। କିଟ୍ ଛକରୁ ପଟିଆ ଦିଗକୁ ଆସୁଥିବା ଜଣେ ବ୍ୟକ୍ତିଙ୍କ ବାଇକ୍ (ଓଆର୍-୦୧-ଆର୍-୨୦୨୨) ଆଗରେ କୁକୁର ଚାଲି ଯିବାରୁ ଯୁବକଜଣଙ୍କ ନିୟନ୍ତ୍ରଣ ହରାଇ ଗାଡ଼ିର ଗତିକୁ ଧିମା କରିଦେଇଥିଲେ। ଫଳରେ ପଛପଟରୁ ଆସୁଥିବା ବିଏମ୍‌ସିର ଅଳିଆ ବୋଝେଇ ହାଇୱା( ଓଆର୍-୦୪-ଏମ୍-୦୫୩୩) ଯୁବକଙ୍କୁ ଧକ୍କା ଦେଇ ମାଡ଼ି ଯାଇଥିଲା। ହାଇୱା ଚକା ତଳେ ଚାପି ହୋଇ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ମୃତକ ହେଲେ, ବିଶ୍ବଜିତ୍ ସ୍ବାଇଁ(୪୯)। ବିଶ୍ବଜିତ୍‌ ଏକ ଔଷଧ ଏଜେନ୍ସି‌ରେ କାମ କରନ୍ତି। କିଛି ମେଡିସିନ୍ ଦୋକାନୀଙ୍କୁ ସାକ୍ଷାତ କରି ଫେରୁଥିବା ବେଳେ ପଟିଆ-କିଟ୍ ଛକ ମଧ୍ୟ ରାସ୍ତା କାନନବିହାର ଫେଜ୍‌- ୨ ନିକଟରେ ଏହି ଅଘଟଣ ଘଟିଥିଲା। ଏହି ଘଟଣା ପରେ ହାଇୱା ଚାଳକ କିଛି ନ ମାନି ଟ୍ରାଫିକ୍ ପୁଲିସ୍‌କୁ ଚକ୍‌ମା ଦେଇ ଚାଲି ଯାଉ ଥିଲା। ମାତ୍ର ପଟିଆ ଛକ ନିକଟରେ ଟ୍ରାଫିକ୍ ପୁଲିସ୍‌ ତାକୁ କାବୁ କରିଥିଲା। ପୁଲିସ ସେଠାରେ ଗାଡ଼ିକୁ ଜବତ କରିବା ସହ ଚାଳକକୁ ଗିରଫ କରିଛି। ଅପରପକ୍ଷରେ ବିଶ୍ବଜିତ୍‌ଙ୍କ ଶବକୁ ଇନ୍‌ଫୋସିଟି ଥାନା ପୁଲିସ୍ ଜବତ କରି କ୍ୟାପିଟାଲ୍ ହସ୍ପିଟାଲ୍‌କୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି।

ମାତ୍ରାଧିକ ଅଳିଆ ବୋଝେଇ କରି ବଡ଼ ବଡ଼ ଗାଡ଼ିଗୁଡ଼ିକ ଜନଗହଳି ରାସ୍ତାରେ ବେପରୁଆ ଭାବେ ଦ୍ରୁତ ଗତିରେ ଯାତାୟାତ କରୁଥିବାରୁ ବାରମ୍ବାର ଏପରି ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଅନେକ ସମୟରେ ଏହି ଅଳିଆ ଗାଡ଼ିଗୁଡିକ ଟ୍ରାଫିକ୍‌ ନିୟମ ଠିକ୍‌ ମାନୁ ନ ଥିବାରୁ ଏପରି ଅବସ୍ଥା ମଧ୍ୟ ସୃଷ୍ଟି ହେଉଛି। ଅଳିଆ ବୋହୁଥିବା ଏହିପରି ବହୁ ଗାଡ଼ି ରାସ୍ତାରେ ଗଡ଼ିବା ପାଇଁ ଅନ୍‌ଫିଟ୍‌ ଥିଲେ ବି କାଗଜପତ୍ରରେ ଫିଟ୍‌ କରାଇ ନେଉଥିବାରୁ ପରିସ୍ଥିତି ଏପରି ହେଉଛି ବୋଲି କେତେକ ମତ ଦେଉଛନ୍ତି। କେବଳ ସେତିକି ନୁହେଁ, ଏହିପରି ଗାଡ଼ି ଚଳାଉଥିବା ଚାଳକଙ୍କ ମଧ୍ୟରୁ ଅଧିକାଂଶ ମଦ୍ୟପାନ କରୁଥିବାରୁ ଦୁର୍ଘଟଣା ଘଟୁଛି।

ରାସ୍ତାରୁ କୁକୁର, ଗୋରୁଙ୍କୁ ହାଟାଇବ କିଏ?
ରାଜଧାନୀ ରାସ୍ତା ଉପରେ ଶହ ଶହ ଗାଈଗୋରୁ, କୁକୁର ଶୋଇ ରହୁଥିବା ଦେଖା ଯାଉଛି। ସେମାନଙ୍କୁ ହଟାଇବା ଦାୟିତ୍ବ କାହାର? ଗାଡ଼ି ଧକ୍କାରେ ସେମାନଙ୍କ ମଧ୍ୟରୁ କାହାର ମୃତ୍ୟୁ ଘଟିଲେ ମଧ୍ୟ ରାସ୍ତା ଉପରେ ଦିନେ ଦୁଇ ଦିନ ଶବ ପଡ଼ି ରହୁଛି। ରାଜଧାନୀର ଏପରି ପରିସ୍ଥିତିକୁ ଦେଖି ଲୋକ ବିଏମ୍‌ସି ଅଧିକାରୀଙ୍କୁ ସୂଚନା ଦେଉଥିଲେ ହେଁ ଅଧିକାରୀମାନେ ଚେଷ୍ଟା କରୁଛୁ ବୋଲି ଉତ୍ତର ଦେଇ ଚୁପ୍‌ ରହିଯାଉଛନ୍ତି। ଅନେକ ସମୟରେ ଗାଡ଼ି ଆଗକୁ କୁକୁର ଓ ଗାଈଗୋରୁ ଚାଲି ଆସୁଥିବାରୁ ଲୋକମାନେଦୁର୍ଘଟଣାର ଶିକାର ହେଉଛନ୍ତି। ତେଣୁ ରାସ୍ତା ଉପରୁ କୁକୁର ଓ ଗାଈଗୋରୁଙ୍କୁ କିଏ ହଟାଇବ ବୋଲି ଅନେକ ପ୍ରଶ୍ନ କରିଛନ୍ତି।

ଅଳିଆ ଗାଡ଼ିକୁ ଅନୁକମ୍ପା କାହିଁକି?
ସହର ମଧ୍ୟ ଦେଇ ଅଳିଆ ଗାଡ଼ି ଚଳାଚଳ ପାଇଁ ନିର୍ଦ୍ଦିଷ୍ଟ ନୀତିନିୟମ ରହିଛି। ସକାଳେ ଜନଗହଳି ସମୟ। ପାଖାପାଖି ୧୦ଟା ପରେ ବଡ଼ ଗାଡ଼ି ମୁଖ୍ୟ ରାସ୍ତା ଉପରକୁ ଆସିବା କଥା ନୁହେଁ। କିନ୍ତୁ ସହର ଭିତରେ ଶହ ଶହ ଛୋଟବଡ଼ ଅଳିଆ ଗାଡ଼ି ବୁଲୁଥିବା ବେଳେ ଦିନ ତମାମ ହାଇୱା ବୋଝେଇ ଅଳିଆ, ବାଲି, ମାଟି ଓ ଅନ୍ୟାନ୍ୟ ଜିନିଷ ବୋଝେଇ ଗାଡ଼ି ଯାତାୟାତ କରୁଛି।

ସମ୍ବନ୍ଧିତ ଖବର