ଲୋକଙ୍କ ସହ ଯୋଡ଼ି ହେବାକୁ ବିଏମ୍‌ସିର ପ୍ରୟାସ

ଆବାସିକ କଲୋନି ସଂଘ ପଞ୍ଜୀକୃତ ହେବେ

ଭୁବନେଶ୍ୱର: ରାଜଧାନୀବାସୀଙ୍କ ସହ ସମ୍ପର୍କ ବଢ଼ାଇବ ବିଏମ୍‌ସି। ସେମାନଙ୍କର ନିତିଦିନିଆ ସମସ୍ୟାକୁ ତୁରନ୍ତ ସମାଧାନ କରିବା ସହ ବ୍ୟବସ୍ଥିତ ଢଙ୍ଗରେ ଅଭିଯୋଗ ଗ୍ରହଣ କରିବ ଏବଂ ସମାଧାନ ପାଇଁ ଲୋକଙ୍କ ସହ ପ୍ରତ୍ୟେକ୍ଷ ଭାବେ ଯୋଡ଼ିହେବ ବିଏମ୍‌ସି। ଏଥିପାଇଁ ସମସ୍ତ ଆବାସିକ କଲ୍ୟାଣ ସଂଘ ବିଏମ୍‌ସିରେ ପଞ୍ଜୀକୃତ ହେବେ।

ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଅନ୍ୟାନ୍ୟ ପୌର ଶାସନଜନିତ ସୁବିଧା ପାଇଁ ସଂଘଗୁଡ଼ିକ ବିଏମ୍‌ସିରେ ପଞ୍ଜୀକୃତ ହେବେ। ବର୍ଜ୍ୟବସ୍ତୁ ପରିଚାଳନା, ବିଘଟନ ଯୋଗ୍ୟ ଏବଂ ଅଯୋଗ୍ୟ ବର୍ଜ୍ୟକୁ ଅଲଗା କରିବା ଏବଂ ସ୍ୱଚ୍ଛ ସହର ସ୍ୱପ୍ନକୁ ସଫଳ କରିବା ପାଇଁ ଆବାସିକ କଲ୍ୟାଣ ସଂଘଗୁଡ଼ିକ ସହିତ ସହଭାଗୀତାରେ କାର୍ଯ୍ୟ କରିବା ପାଇଁ ବିଏମ୍‌ସି ଯୋଜନା କରିଛି। ପଞ୍ଜୀକରଣ ପାଇଁ ଏକ ନିର୍ଧାରିତ ଫର୍ମାଟ୍‌ ପ୍ରସ୍ତୁତ କରାଯାଇଛି, ଯାହା ବିଭିନ୍ନ ଜୋନ୍‌ କାର୍ଯ୍ୟାଳୟ, ମୁଖ୍ୟ କାର୍ଯ୍ୟାଳୟର ଏସ୍‌ବିଏ ସେଲ୍‌ ତଥା ଅନ୍‌ଲାଇନ୍‌ରେ ବିଏମ୍‌ସି ୱେବ୍‌ସାଇଟ୍‌ରେ ଉପଲବ୍‌ଧ ହେବ। ମାଗଣାରେ ପଞ୍ଜୀକରଣ କରିପାରିବେ। ଏଥିପାଇଁ ସଂଘଗୁଡ଼ିକ ନିଜର ଆବଶ୍ୟକ ପ୍ରମାଣପତ୍ର, ସଂଘର କର୍ମକର୍ତାଙ୍କ ସଂପୂର୍ଣ୍ଣ ବିବରଣୀ ସହ ପଞ୍ଜୀକରଣ କରିିବେ। ସ୍ୱଚ୍ଛ ଭୁବନେଶ୍ୱର କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ଆୟୋଜିତ ବୈଠକରେ ବିଏମ୍‌ସି କମିସନର କ୍ରିଷନ କୁମାର କହିଛନ୍ତିି ଆବାସିକ କଲ୍ୟାଣ ସଂଘଗୁଡ଼ିକର ପଞ୍ଜୀକରଣ ବର୍ଜ୍ୟବସ୍ତୁ ପରିଚାଳାନା ଦିଗରେ ସହାୟକ ହୋଇ ପାରିବ। ସେହିପରି ନିୟମିତ ବ୍ୟବଧାନରେ ଏହି ସଂଘଗୁଡ଼ିକ ବୈଠକ କରି ସେମାନଙ୍କ ଅଭିଯୋଗ ଏବଂ ପ୍ରସ୍ତାବ ବିଏମ୍‌ସିକୁ ପ୍ରଦାନ କରିପାରିବେ। ଏହା ଉଭୟ ବିଏମ୍‌ସି ଏବଂ ନାଗରିକଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରିବ ବୋଲି କମିସନର କହିଛନ୍ତି।

ଏହାବ୍ୟତୀତ ବିଭିନ୍ନ ସମୟରେ ସାସ୍ଥ୍ୟ ଏବଂ ଅନ୍ୟାନ୍ୟ ସମାଜ ମଙ୍ଗଳ କାର୍ଯ୍ୟରେ ସଚେତନତା ଆବଶ୍ୟକ ପଡୁଥିବା ବେଳେ ସଂଗଠିତ କଲୋନିରେ ରହୁଥିବା ନାଗରିକଙ୍କ ପାଖରେ ଏହା ପହଞ୍ଚାଇବାରେ ବାଧା ସୃଷ୍ଟି ହେଉଛି। ଗତମାସରେ ମିସନ ଇନ୍ଦ୍ରଧନୁଷ ଅଭିଯାନରେ ସରକାରଙ୍କ ପକ୍ଷରୁ ମାଗଣା ଟିକାଦାନ ଏବଂ ସର୍ଭେ କାର୍ଯ୍ୟ ବେଳେ କେତେକ ଆପାର୍ଟମେଣ୍ଟରେ ଅଧିକାରୀଙ୍କୁ ବାରଣ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସଂଘଗୁଡ଼ିକ ସହ ଅନାୟାସରେ ଯୋଗାଯୋଗ ରକ୍ଷା କରାାଯାଇ ପାରିବ, ଯାହା ଫଳରେ ବିକାଶମୂଳକ କାର୍ଯ୍ୟରେ ବାଧା ଦେଖାଦେବ ନାହିଁ। ସେହିପରି ସହରରେ ଜଣ୍ଡିସ୍‌, ଡେଙ୍ଗୁ ଏବଂ ଅନ୍ୟାନ୍ୟ ସମସ୍ୟା ଉପୁଜିଲେ ସଂଘଗୁଡ଼ିକ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇ ପାରିବ।

ସମ୍ବନ୍ଧିତ ଖବର