ଭୁବନେଶ୍ବର: ଡେଙ୍ଗୁକୁ ନେଇ ଚିନ୍ତା ଥିଲା। ଏବେ ଝାଡ଼ାବାନ୍ତି, ହଇଜା ମୁଣ୍ଡବ୍ୟଥା କଲାଣି। ଏଥିପାଇଁ ବିଏମ୍‌ସିର ଚାପ ବଢିଛି। ପିଇବା ପାଣିର ସଂକ୍ରାମକ ସ୍ଥିତି ଝାଡ଼ାବାନ୍ତି, ହଇଜାରେ କାରଣ ହୋଇଥିବା ବେଳେ ଯଥାସମ୍ଭବ ରାଜଧାନୀବାସୀଙ୍କୁ ସଂକ୍ରମଣରୁ ରକ୍ଷା ପାଇଁ ଜୋରଦାର ପ୍ରୟାସ ଚାଲିଛି। ଆଜି ପୁଣି ଭୁବନେଶ୍ୱର ମହନଗରର ବିଭିନ୍ନ ସ୍ଥାନରେ ବିଏମ୍‌ସି ସାଇନ ଟିମ୍‌ ଓ ଖାଦ୍ୟ ନିରାପତ୍ତା ଟିମ୍‌ ପକ୍ଷରୁ ମିଳିତ ଚଢ଼ଉ କରାଯାଇଛି। ସେପଟେ ଡେଙ୍ଗୁ ପାଇଁ ବିଭିନ୍ନ ସ୍ଥାନରେ ଖୋଳମେଲା ଓ ଘର ଭିତରେ ଜମା ହୋଇ ରହିଥିବା ଖାଲି ଟାୟାର ଓ ଅନ୍ୟାନ୍ୟ ଅସବାବକୁ ବିଏମ୍‌ସି ପକ୍ଷରୁ ସଫା କରାଯାଇଛି। 
ଆଜି ବିଏମ୍‌ସି ପକ୍ଷରୁ ରସୁଲଗଡ଼, ପଳାଶୁଣୀ ଆଦି ଅଞ୍ଚଳରେ ଡେଙ୍ଗୁ ସଚେତନତା ସହ ସମ୍ଭାବ୍ୟ ଏଡିସ୍‌ ମଶା ଜନ୍ମସ୍ଥଳୀ ସଫାସୁତରା କରାଯାଇଛି। ବିଭିନ୍ନ ବସ୍ତି ଅଞ୍ଚଳରେ ଟିମ୍‌ ବୁଲି ସ୍ଥିତି ପରଖିଛନ୍ତି। ବିଏମ୍‌ସି ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଦୀପକ କୁମାର ବିଶୋଇ କହିଛନ୍ତି, ଜାନୁଆରିରୁ ଅଦ୍ୟାବଧି ୨୮ ଡେଙ୍ଗୁ ରୋଗୀ ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଗତ ୭ ଦିନରେ ୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଆମେ ଡେଙ୍ଗୁ ରୋଗ ଉପରେ ସମ୍ପୂର୍ଣ ନଜର ରଖିଛୁ। ଖାଦ୍ୟ ନିରାପତ୍ତା ଅଧିକାରୀ ସତ୍ୟଜିତ ପଟେଲ କହିଛନ୍ତି, ଆଜି ସୌଭାଗ୍ୟନଗର, ଡେଲଟା, ପ୍ରକୃତିବିହାର, ପଟିଆ, କିମ୍‌ସ ଡାକ୍ତରଖାନା ଅଞ୍ଚଳରେ ଖାଦ୍ୟ ନିରାପତ୍ତା ଟିମ୍‌ ସହ ବିଏମ୍‌ସି ସାଇନ ଟିମ୍‌ ମିଳିତ ଚଢ଼ଉ କରିଥିଲେ। ବିଭିନ୍ନ ହୋଟେଲ୍‌ ଓ ରେସ୍ତୋରାଁରେ ଖାଦ୍ୟ ଯାଞ୍ଚ କରାଯାଇଛି। ୩୦ କେଜିରୁ ଅଧିକ ବାସିଖାଦ୍ୟ ନଷ୍ଟ କରାଯାଇଛି। ଏକାଧିକ ହୋଟେଲ ଓ ରେସ୍ତୋରାଁକୁ ୩୦ହଜାର ଟଙ୍କା ଜରିମାନା କରାଯାଇଛି। ୧୦ ସମ୍ବେଦନଶୀଳ ସ୍ଥାନରୁ ପାଣି ନମୁନା ଓ ୧୦ଟି ଖାଦ୍ୟ ନମୁନା ସଂଗ୍ରହ  ସଂଗ୍ରହ କରାଯାଇ ରାଜ୍ୟ ପରୀକ୍ଷାଗାରକୁ ପଠାଯାଇଛି।