୫୦ ଲକ୍ଷକୁ କମିଲା ଓ୍ଵାର୍ଡ ବଜେଟ୍‌ : କର୍ପୋରେଟର୍‌ଙ୍କ ମଧ୍ୟରେ ଭାଳେଣି

ଗତବର୍ଷ ଓ୍ଵାର୍ଡ ବଜେଟ୍‌ ଦେଢ଼ କୋଟିକୁ ବଢ଼ିଥିଲା, ନଭେମ୍ବରରେ ନିର୍ବାଚନ ପାଇଁ ବିଏମ୍‌ସିର ପ୍ରସ୍ତୁତି

ଭୁବନେଶ୍ୱର : ପୌର ନିର୍ବାଚନ କେବେ ହେବ ସେନେଇ ଏପର୍ଯ୍ୟନ୍ତ ଦିନ ସ୍ଥିର ହୋଇନି। ଏପରିକି ହାଇକୋର୍ଟ ଆସନ ସଂରକ୍ଷଣକୁ ନେଇ ଦେଇଥିବା ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମକୋର୍ଟ ଯିବା ପରେ ଏହି ଅନିଶ୍ଚିତତା ଆହୁରି ବଢ଼ିଯାଇଛି। ରାଜ୍ୟ ସରକାର ସାଧାରଣ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ କରିବା ମୁଡ୍‌ରେ ନଥିବା ଆଲୋଚନା ହେଉଛି। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ କହୁଛନ୍ତିି ନଭେମ୍ବରରେ ନିର୍ବାଚନ ହେବ। ଏଥିପାଇଁ ଓ୍ଵାର୍ଡ ବଜେଟ୍‌କୁ କାଣ୍ଟ ଛାଣ୍ଟ କରି ୫୦ଲକ୍ଷ କରିଦେଇଛନ୍ତି। ଯାହାକୁ ନେଇ ଏବେ କର୍ପୋରେଟର୍‌ଙ୍କ ମଧ୍ୟରେ ଭାଳେଣି ପଡ଼ିଗଲାଣି।

ବିଏମ୍‌ସି ଅଧୀନରେ ଥିବା ୬୭ଟି ଯାକ ଓ୍ଵାର୍ଡର ରାସ୍ତା, କଲଭର୍ଟ, ଡ୍ରେନ୍‌, କମ୍ୟୁନିଟି ହଲ୍‌ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ଉନ୍ନତି ଓ ମରାମତି ପାଇଁ ପ୍ରତିବର୍ଷ ଦେଢ଼ କୋଟି ଟଙ୍କା ଦିଆଯିବ ବୋଲି ୨୦୧୭-୧୮ ଆର୍ଥିକ ବର୍ଷରେ ଘୋଷଣା କରାଯାଇଥିଲା। ପ୍ରତ୍ୟେକ ଓ୍ଵାର୍ଡକୁ ଦେଢ଼ କୋଟି ଲେଖାଏଁ ମଧ୍ୟ ଦିଆଯାଇଥିଲା। କିନ୍ତୁ ଚଳିତ ଆର୍ଥିକ ବର୍ଷରେ ଏହା ସିଧା ୫୦ଲକ୍ଷକୁ ଖସାଇ ଦିଆଯାଇଛି। ଏପରିକି ଏନେଇ କେତେକ କର୍ପୋରେଟର୍‌ ପ୍ରତିବାଦ କରିବାରୁ ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ୨୦୧୬-୧୭ରେ ଓ୍ଵାର୍ଡ ବଜେଟ୍‌ ୮୦ଲକ୍ଷରୁ ୧କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ୨୦୧୮ରେ ବିଏମ୍‌ସି ନିର୍ବାଚନ ହେବାର ସମ୍ଭାବନା ଥିବାରୁ ଏହାକୁ ଗତ ଆର୍ଥିକ ବର୍ଷରେ ଦେଢ଼କୋଟି କରାଯାଇଥିଲା। ଆସନ୍ତା ନଭେମ୍ବରରେ ବିଏମ୍‌ସି ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ଥିବାରୁ ସମୟ ଅବଧିକୁ ନଜରରେ ରଖି ଓ୍ଵାର୍ଡ ବଜେଟ୍‌ ୫୦ଲକ୍ଷ ଟଙ୍କା କରାଯାଇଛି ବୋଲି କୁହାଯାଇଛି।

ବିଏମ୍‌ସି ହଠାତ୍‌ ଓ୍ଵାର୍ଡ ବଜେଟ୍‌ ୫୦ଲକ୍ଷକୁ କମାଇ ଦେବା ପରେ କର୍ପୋରେଟର୍‌ମାନଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି। ନିର୍ବାଚନୀ ବର୍ଷରେ ଏତେ କମ୍‌ ଟଙ୍କାରେ କିପରି ଉନ୍ନତିମୂଳକ କାର୍ଯ୍ୟ ହେବ ବୋଲି କର୍ପୋରେଟର୍‌ମାନେ ପ୍ରଶ୍ନ କରିଛନ୍ତି। ଯଦି ଲୋକଙ୍କ ସମସ୍ୟାର ସମାଧାନ କର ନଯାଏ ତେବେ କୋଉ ମୁହଁକୁ ଚାହିଁ ଲୋକ ଭୋଟ୍‌ ଦେବେ। ଯଦି ଉନ୍ନତିମୂଳକ କାର୍ଯ୍ୟ ଏବେ ନକରିବୁ ତେବେ କେବେ କରିବୁ ବୋଲି କର୍ପୋରେଟର୍‌ମାନେ କହିଛନ୍ତି।

ଏନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ୨୦୧୬-୧୭ରେ ଓ୍ଵାର୍ଡ ବଜେଟ୍‌ ୧କୋଟି ଟଙ୍କାକୁ ବଢ଼ା ଯାଇଥିଲା। ୨୦୧୭-୧୮ ପାଇଁ ବଜେଟ୍‌ ପ୍ରସ୍ତୁତି ସମୟରେ କର୍ପୋରେଟର୍‌ମାନେ କହିଥିଲେ ଯେ, ଆସନ୍ତା ବର୍ଷ କୌଣସି ମୁହୂର୍ତ୍ତରେ ନିର୍ବାଚନ ହୋଇପାରେ। ତେଣୁ ଆସନ୍ତାବର୍ଷ କିଛି କାମ କରିହେବନି। ଏଥର ଓ୍ଵାର୍ଡ ବଜେଟ୍‌ ବଢ଼ାଯାଉ। କର୍ପୋରେଟର୍‌ମାନଙ୍କ ସହ ଆଲୋଚନା ପରେ ଓ୍ଵାର୍ଡ ବଜେଟ୍‌ ଦେଢ଼ କୋଟିକୁ ବଢ଼ା ଯାଇଥିଲା। ସେହି ସମୟରେ କହୁଯାଇଥିଲା ଯେ, ଆସନ୍ତା ଆର୍ଥିକ ବର୍ଷରେ ଓ୍ଵାର୍ଡ ବଜେଟ୍‌ କମାଯିବ।

ଏହାବାଦ୍‌ ଜାନୁଆରି ୧୦ରେ ବିଏମ୍‌ସିର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହେବ। ନିର୍ବାଚନ ହେଲେ ନଭେମ୍ବର ମାସରୁ ବିଜ୍ଞପ୍ତି ପ୍ରକାଶ ପାଇବ। ତେଣୁ ୭ମାସକୁ ନଜରରେ ରଖି ଓ୍ଵାର୍ଡ ବଜେଟ୍‌ ୫୦ଲକ୍ଷ କରାଯାଇଛି। ଏହାପରେ ଯଦି କୌଣସି ଓ୍ଵାର୍ଡରେ କିଛି ଉନ୍ନତିମୂଳକ କାର୍ଯ୍ୟ କରିବାକୁ ଆବଶ୍ୟକତା ପଡ଼େ ତେବେ ବିଏମ୍‌ସି କମିସନର୍‌ଙ୍କ ଅନୁମୋଦନରେ କାର୍ଯ୍ୟ ହେବ। କର୍ପୋରେଟର୍‌ଙ୍କ କାର୍ଯ୍ୟକାଳକୁ ନଜରରେ ରଖି ଓ୍ଵାର୍ଡ ବଜେଟ୍‌ ଧାର୍ଯ୍ୟ କରାଯାଇଛି। କିନ୍ତୁ କୌଣସି ଉନ୍ନତିମୂଳକ କାର୍ଯ୍ୟରେ ଅର୍ଥ ବାଧକ ସାଜିବନି।

ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି ଯେ, ଓ୍ଵାର୍ଡ ବଜେଟ୍‌ରେ ଯେଉଁ ସବୁ କାର୍ଯ୍ୟ ସାଧାରଣତଃ ହୋଇଥାଏ ସେହି ସବୁ କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାରଙ୍କ ‘ଉନ୍ନତି’ ସ୍କିମ୍‌ରେ ପ୍ରତି ଓ୍ଵାର୍ଡକୁ ୫୦ଲକ୍ଷ ଟଙ୍କା ମିଳିବ। ଏହାକୁ ହିସାବକୁ ନେଲେ ପ୍ରତି ଓ୍ଵାର୍ଡ ପିଛା ୧କୋଟି ଟଙ୍କା ପଡ଼ୁଛି। ତେଣୁ ଓ୍ଵାର୍ଡ ବଜେଟ୍‌ କମାଯାଇଥିଲେ ବି କିଛି ପ୍ରଭାବ ପଡ଼ିବନି।

ଅପରପକ୍ଷେ ଉନ୍ନତି ସ୍କିମ୍‌ ଏବଂ ଓ୍ଵାର୍ଡ ବଜେଟ୍‌ରେ ପ୍ରାୟ ସମାନ କାମ ହେବାକୁ ଥିବାବେଳେ ଏଥିରେ ଯେପରି ଅର୍ଥ ବାଟମାରଣା ନହୁଏ ସେଥିପାଇଁ ଧ୍ୟାନ ରଖିବାକୁ ବିଏମ୍‌ସି ଯନ୍ତ୍ରୀମାନଙ୍କୁ କୁହାଯାଇଛି। ଯେଉଁ କାର୍ଯ୍ୟ ଉନ୍ନତି ସ୍କିମ୍‌ରେ ହେବ ସେଥିପାଇଁ ଯେପରି ଓ୍ଵାର୍ଡ ବଜେଟ୍‌ ଖର୍ଚ୍ଚ ନହୁଏ ତାହା ଉପରେ ନଜର ରଖିବାକୁ କୁହାଯାଇଛି। ଏନେଇ ବିଏମ୍‌ସିର ଜଣେ ଯନ୍ତ୍ରୀ କହିଛନ୍ତି ଯେ, ପ୍ରତ୍ୟେକ ଓ୍ଵାର୍ଡରେ ଯେପରି ଓ୍ଵାର୍ଡ ବଜେଟ୍‌ରେ ଯେଉଁ ୫୦ଲକ୍ଷ ଦିଆଯିବ ସେତିକି ପାଇଁ ଟେଣ୍ଡର କରିବାକୁ କୁହାଯାଇଛି। କୌଣସି ପରିସ୍ଥିତିରେ ବି ୫୦ଲକ୍ଷରୁ ଅଧିକ କାମ ନକରିବାକୁ କୁହାଯାଇଛି।

ବଜେଟ୍‌ ଅନୁମୋଦନ କରୁନି ନଗର ଉନ୍ନୟନ ବିଭାଗ

ବିଏମ୍‌ସିର ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ ହୋଇଥିବା ବଜେଟ୍‌କୁ ନଗର ଉନ୍ନୟନ ବିଭାଗ ଏ ପର୍ଯ୍ୟନ୍ତ ଅନୁମୋଦନ କରିନି। ମାର୍ଚ୍ଚ ମାସରୁ ବଜେଟ୍‌ ପଠା ଯାଇଥିଲେ ହେଁ ନଗର ଉନ୍ନୟନ ବିଭାଗ ଦୁଇ ମାସ ଏହାକୁ ରଖିବା ପରେ ଫେରାଇ ଦେଇଛି। ବିଏମ୍‌ସି ସୂତ୍ରରୁ ସୂଚନା ମିଳିଛି ଯେ, ନଗର ଉନ୍ନୟନ ଚଳିତବର୍ଷ ଅଧିକ ତଥ୍ୟ ମାଗିଛି। କେଉଁ କାର୍ଯ୍ୟ ପାଇଁ କେତେ ଅର୍ଥ ଖର୍ଚ୍ଚ ତା’ର ତାଲିକା ଦେବାକୁ କହିଛି। ତେଣୁ ବଜେଟ୍‌ ଫାଇଲ୍‌ ଫେରିବା ପରେ ପୁଣି ଥରେ ଏହା ପ୍ରସ୍ତୁତ ହେଉଛି। ଖୁବ୍‌ ଶୀଘ୍ର ଏହାକୁ ନଗର ଉନ୍ନୟନ ବିଭାଗକୁ ପଠାଯିବ।

୧୩ ଓ୍ଵାର୍ଡ ପାଇଁ ଅଧିକ ୩୦ଲକ୍ଷ ଟଙ୍କା ଯୋଜନା ଅଟକିଗଲା

ବିଏମ୍‌ସିର ଗ୍ରାମାଞ୍ଚଳ ତଥା ଅନୁନ୍ନତ ଥିବା ଓ୍ଵାର୍ଡଗୁଡ଼ିକରେ ଭିତ୍ତିିଭୂମି ଉନ୍ନତି କରିବା ପାଇଁ ଓ୍ଵାର୍ଡ ବଜେଟ୍‌ ବାଦ୍‌ ଅଧିକ ୩୦ଲକ୍ଷ ଲେଖାଏଁ ଦେବାକୁ ଯୋଜନା ହୋଇଥିଲା। ଏହାକୁ ପ୍ରଥମେ ସମସ୍ତେ କର୍ପୋରେଟର୍‌ ସହମତି ଦେଇଥିଲେ। କିନ୍ତୁ ଯେତେବେଳେ କେଉଁ ଓ୍ଵାର୍ଡକୁ ୩୦ଲକ୍ଷ ଲେଖାଏଁ ମିଳିବ ତାଲିକା ପ୍ରସ୍ତୁତ କରିବା ପରେ ବିବାଦ ଆରମ୍ଭ ହେଲା। କେତେକ କର୍ପୋରେଟର୍‌ ସେମାନଙ୍କ ଓ୍ଵାର୍ଡକୁ ଏହି ଯୋଜନାରେ ସାମିଲ୍‌ କରିବାକୁ ଜିଦ୍‌ ଧରିବା ସହ ଏହାକୁ ବିରୋଧ କରି କାଉନସିଲ୍‌ ବୈଠକରେ ଜୋରଦାର୍‌ ପ୍ରତିବାଦ କରିଥିଲେ। ଏହାପରେ ଏହି ପ୍ରସ୍ତାବ ପ୍ରତ୍ୟାହାର କରାଯାଇଛି ବୋଲି ବିଏମ୍‌ସି ସୂତ୍ରରୁ ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର