ଭୁବନେଶ୍ବର : ଲୋକଙ୍କ ବିରୋଧ ସତ୍ତ୍ବେ ବିଏମ୍ସି ଶୁଣିଲାନି। ବହୁ ବର୍ଷର ପୁରୁଣା ୟୁନିଟ୍-୮ କଲ୍ୟାଣ ମଣ୍ଡପକୁ ମାଟିରେ ମିଶାଇ ଦେଲା। ଆଳ ଦେଖାଇଲା, ବିଏମ୍ସିର ନୂଆ ଅଫିସ୍ ହେବ। ହେଲେ ନା ସେଠାରେ ଅଫିସ୍ ହେଲା ନା ନୂଆ ମଣ୍ଡପ ତିଆରି କଲା ବିଏମ୍ସି। ସ୍ଥାନୀୟ ଲୋକ ସେଠାରେ ଏକ ପାର୍କ ତିଆରି ପାଇଁ ଦାବି କରୁଥିଲେ ହେଁ ସେଥିପ୍ରତି ବି ଦୃଷ୍ଟି ଦିଆଯାଉ ନାହିଁ। ରାଜଧାନୀର ଛାତି ଉପରେ ଥିବା ଏହି ଜାଗା ଦୀର୍ଘ ଦିନ ହେବ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିିଛି। ପରିସରରେ ଛାତିଏ ଉଚ୍ଚର ଅନାବନା ଗଛ ମାଡ଼ି ଯାଇଥିବା ବେଳେ ବିଷଧର ଜନ୍ତୁଙ୍କ ବାସସ୍ଥଳୀ ପାଲଟିଛି। ଏଥରକ ଏଇ ପ୍ରସଙ୍ଗକୁ ନେଇ ନେତାଙ୍କୁ ହରଡ଼ଘଣାରେ ପକାଇବା ପାଇଁ ଚାହିଁ ରହିଛନ୍ତି ୱାର୍ଡ ନମ୍ବର-୩୯ର ବାସିନ୍ଦା।
ୱାର୍ଡ ପରିସୀମା: ନୂଆପଲ୍ଲୀ କଲ୍ୟାଣ ମଣ୍ଡପ ଅଞ୍ଚଳ, ନୂଆସାହି, ୧୨୦ ବାଟାଲିୟନ ଅଞ୍ଚଳ, ଶାସ୍ତ୍ରୀନଗର, ଏସ୍ବିଆଇ କଲୋନି, କଲ୍ୟାଣୀ କୃଷ୍ଣ ନଗର ବସ୍ତି
ଭୋଟର-୧୪୭୫୯
ପୁରୁଷ- ୮ ୧୦୯
ମହିଳା- ୬୬୪୮
ତୃତୀୟ ଲିଙ୍ଗ -୨
୨୦୦୯ରେ ଏହି ୱାର୍ଡ ଅଣସଂରକ୍ଷିତ ଥିଲା। ରମାନାଥ ସାମନ୍ତରାୟ (ବିଜେଡିରୁ) କର୍ପୋରେଟର୍ ହୋଇଥିଲେ। ୨୦୧୪ରେ ମହିଳାଙ୍କ ପାଇଁ ସଂରକ୍ଷିତ ହେବା ପରେ ତାଙ୍କ ପତ୍ନୀ ପ୍ରତିଭା ସାମନ୍ତରାୟ ଏଠାରୁ ବିଜୟୀ ହୋଇଥିଲେ। ଏଥରକ, ଏ ଆସନରେ କୌଣସି ପରିବର୍ତ୍ତନ ହୋଇ ନଥିବାରୁ କର୍ପୋରେଟର୍ ପଦ ପାଇଁ ପ୍ରତିଭା ବିଜେଡିରୁ ମୁଖ୍ୟ ଦାବିଦାର ଥିବା କୁହାଯାଉଛି। କିନ୍ତୁ ବିଜେଡିରୁ ଆଉ କିଛି ଦାବିଦାର ମଧ୍ୟ ମୁଣ୍ଡ ଟେକୁଥିବା ଜଣାଯାଇଛି। ଶ୍ରୀମତୀ ସାମନ୍ତରାୟ କହିଛନ୍ତି, ପୂର୍ବରୁ ରହିଥିବା କେତେକ ଦାବି ଯଥା; ରାସ୍ତା, ସର୍ଭିସ୍ ରୋଡ୍ ଓ ଡ୍ରେନ୍ ପାଇଁ ଉଦ୍ୟମ ଚାଲିଛି। ଏଥର ସୁଯୋଗ ମିଳିଲେ ବାକି ରହିଥିବା କାମ ହେବ ବୋଲି କହିଛନ୍ତି। ବିଜେପି ଲୋକଙ୍କ ସମସ୍ୟା ନେଇ ବେଶ୍ କିଛି ଦିନ ହେବ ଧାରଣା, ଆନ୍ଦୋଳନ ଚାଲୁ ରଖିଥିଲେ ହେଁ ଏଠାରୁ କିଏ ମଇଦାନକୁ ଓହ୍ଲାଇବ, ଅଦ୍ୟାବଧି ସେନେଇ କିଛି ଆଭାସ ମିଳି ପାରିନାହିଁ। କଂଗ୍ରେସର ମଧ୍ୟ ତଦ୍ରୂପ ଅବସ୍ଥା।
ଜବରଦଖଲଠାରୁ ଆରମ୍ଭ କରି ଡ୍ରେନ୍, ଫୁଟ୍ ଓଭରବ୍ରିଜ୍, ସର୍ଭିସ୍ ରୋଡ୍ ଓ ପାନୀୟ ଜଳ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଅଞ୍ଚଳବାସୀଙ୍କ ପୁଳାପୁଳା ଅଭିଯୋଗ ରହିଛି। କ୍ଷମତାରେ ଥିବା ବେଳେ ନେତା ଶୁଣି ନଥିଲେ, ନେତାଙ୍କ କ୍ଷମତା ଗଲା ପରେ ୩ବର୍ଷ ଧରି ବିଏମ୍ସି ଅଧିକାରୀ ମଧ୍ୟ ଶୁଣି ନାହାନ୍ତି।
ଏଠାରେ ଜବରଦଖଲ ମୁଖ୍ୟ ସମସ୍ୟା ରହିଛି। ଶାସ୍ତ୍ରୀନଗର ସମେତ ବିଭିନ୍ନ ଜାଗାରେ ରାସ୍ତାକଡ଼ରେ ଦୋକାନ ଜବରଦଖଲରେ ହୋଇଥିବାରୁ ସନ୍ଧ୍ୟା ହେଲେ ସାହି ଭିତରକୁ ଗାଡ଼ି ପଶିପାରୁନାହିଁ। ସେହିଭଳି ଶାସ୍ତ୍ରୀନଗରରୁ ବାହାରି ୧୨୦ ବାଟାଲିୟନ ଆଡ଼େ ଯିବା ପାଇଁ ହେଲେ ରଙ୍ଗ୍ରୁଟ୍ରେ ଯିବାକୁ ଲୋକମାନେ ବାଧ୍ୟ ହେଉଛନ୍ତି। ପୂର୍ବରୁ ଏଠାରେ ଏକ ସର୍ଭିସ୍ ରୋଡ୍ ପାଇଁ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ସମ୍ଭବ ହୋଇନାହିଁ। ସେହିଭଳି ମୁଖ୍ୟ ରାସ୍ତା ଡେଇଁ ଆର୍ବିଆଇ କଲୋନି ଓ ଏମ୍ଏଲ୍ଏ କଲୋନିକୁ ପିଲାମାନେ ପଢ଼ିବାକୁ ଯାଉଥିବାରୁ ଏକ ଫୁଟ୍ ଓଭରବ୍ରିଜ୍ ପାଇଁ ଦାବି ହୋଇଥିଲା। ହେଲେ ଏଥିପ୍ରତି ନେତାମାନେ ଆନ୍ତରିକତା ଦେଖାଇ ନାହାନ୍ତି। ଖାଲି ସେତିକି ନୁହେଁ, ସାମାନ୍ୟ ବର୍ଷା ହେଲେ ଏହି ଅଞ୍ଚଳରେ ନାଳ ପାଣି ଉଛୁଳି ରାସ୍ତାରେ ଲହଡ଼ି ମାରୁଛି। ଖାଲୁଆ ଅଞ୍ଚଳ ହୋଇଥିବାରୁ ଲୋକଙ୍କ ଘରେ ମଧ୍ୟ ବର୍ଷା ପାଣି ପଶିଥାଏ। ଏହି ସମସ୍ୟାର ସମାଧାନ ପାଇଁ ୧୦ ନମ୍ବର ଡ୍ରେନ୍କୁ ପୁନରୁଦ୍ଧାର କରିବାକୁ ଯୋଜନା ହୋଇଥିଲା। କିନ୍ତୁ ସେତେବେଳେ କ୍ଷମତାରେ ଥିବା କର୍ପୋରେଟର୍ ଏଥିପ୍ରତି ଆଦୌ ଦୃଷ୍ଟି ଦେଇନଥିଲେ ବୋଲି ବରିଷ୍ଠ ନାଗରିକ ମଞ୍ଚର ଅଭିରାମ ଜେନା, ପ୍ରଫୁଲ୍ଲ ଚନ୍ଦ୍ର ପାଠୀ ପ୍ରମୁଖ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ବିଏମ୍ସିର ପ୍ରାୟ ସମସ୍ତ ୱାର୍ଡରେ ପାର୍କ ରହିଥିବା ବେଳେ ଏହି ୱାର୍ଡରେ ପାର୍କ ନାହିଁ। ବରିଷ୍ଠ ନାଗରିକଙ୍କ ସମେତ ଶିଶୁ ଓ ମହିଳା ୩ରୁ ୪ କିଲୋମିଟର ଦୂରରେ ଥିବା ପାର୍କକୁ ଯାଉଛନ୍ତି। ବହୁ ଦିନରୁ ଏଠାରେ ଏକ ପାର୍କ ନିର୍ମାଣ ପାଇଁ ଘୋଷଣା ହୋଇଥିଲା। ହେଲେ ଏଠାରେ ସରକାରୀ ଜମି ଜବରଦଖଲ ଥିବାରୁ ପାର୍କ ହୋଇପାରୁନାହିଁ। ଏଠାରେ ଥିବା ଏକମାତ୍ର କଲ୍ୟାଣ ମଣ୍ଡପକୁ ବିଏମ୍ସି ଭାଙ୍ଗିଦେଇଛି। ଏହି ଜାଗା ଏବେ ଜଙ୍ଗଲ ହୋଇ ପଡ଼ିରହିଛି। ଏଠାରେ ଏକ ପାର୍କ କରିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ହୋଇପାରିନାହିଁ।
ସେହିଭଳି ବୀର ମହାରଣା କୋଠାରୁ ନୂଆପଲ୍ଲୀ ହାଇସ୍କୁଲ ପର୍ଯ୍ୟନ୍ତ ରାସ୍ତାର ଉନ୍ନତି କାର୍ଯ୍ୟ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି। ହେଲେ ବର୍ଷ ବର୍ଷ ବିତି ଯାଇଥିଲେ ହେଁ ଏଠାରେ ମାଟି ମୁଠାଏ ପଡ଼ିନାହିଁ। ଶହଶହ ଏକର ଜାଗା ଜବରଦଖଲରେ ରହିଥିବା ବେଳେ ୱାର୍ଡରେ ଥିବା ଏକମାତ୍ର ଡାକଘର ଭଡ଼ାଘରେ ଚାଲିଛି। ଏତେ ସବୁ ସମସ୍ୟା ଧରି କର୍ପୋରେଟର ଆଶୟୀଙ୍କ ବାଟ ଚାହିଁ ବସିଛନ୍ତି ଭୋଟରମାନେ।