ଭୁବନେଶ୍ବର: ରାଜଧାନୀବାସୀଙ୍କୁ ହାତପାଆନ୍ତାରେ ସେବା ଲକ୍ଷ୍ୟରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପ୍ରତି ୱାର୍ଡରେ ସ୍ବତନ୍ତ୍ର ୱାର୍ଡ କାର୍ଯ୍ୟାଳୟ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲା। ଲକ୍ଷ୍ୟ ଥିଲା ସଂପୃକ୍ତ ୱାର୍ଡବାସୀଙ୍କ ଟିକିନିଖି ସମସ୍ୟା ସେହି ୱାର୍ଡ କାର୍ଯ୍ୟାଳୟରେ ସମାଧାନ ହେବ। ଲୋକେ ଆଉ ଭୁବନେଶ୍ବର ମହାନଗର ନିଗମ ମୁଖ୍ୟାଳୟକୁ ଦୌଡ଼ିବେ ନାହିଁ। କିନ୍ତୁ ୬ ବର୍ଷ ପରେ ବି ଏହି ଲକ୍ଷ୍ୟ ପୂରଣ ହୋଇପାରିନି। ଭୁବନେଶ୍ବର ମହାନଗର ନିଗମର ୬୭ଟି ୱାର୍ଡରୁ ୨୧ଟି ୱାର୍ଡରେ ଅଦ୍ୟାବଧି ୱାର୍ଡ କାର୍ଯ୍ୟାଳୟ ନିର୍ମାଣ ଆରମ୍ଭ ହୋଇନି। ୪୬ ୱାର୍ଡରୁ କିଛି ସଂପୂର୍ଣ୍ଣ ହୋଇଥିବାବେଳେ କିଛି ଏବେ ବି ନିର୍ମାଣାଧୀନ ରହିଛି। ଫଳସ୍ବରୂପ କେଉଁଠି ଭଡ଼ା ଘରେ ତ କେଉଁଠି କ୍ଲବ୍‌ ଘରେ ଏହି କାର୍ଯ୍ୟାଳୟ ଚାଲିଛି।

Advertisment

ଏହି ମହତ୍ତ୍ବାକାଂକ୍ଷୀ ଯୋଜନାରେ ପ୍ରତିବନ୍ଧକ ସାଜିଛି ବଜେଟ୍। ଭୁବନେଶ୍ବର ମହାନଗର ନିଗମ ପାଖରେ ୱାର୍ଡ କାର୍ଯ୍ୟାଳୟ ନିର୍ମାଣ ପାଇଁ ଟଙ୍କା ନଥିବାରୁ କାମ ଆଗେଇ ପାରୁନି। ସେପଟେ କିଛି ଜାଗାରେ ଜମି ସମସ୍ୟା ବି ପ୍ରତିବନ୍ଧକ ସାଜିଛି। ଏ ସଂପର୍କରେ ଦୁଇମାସ ତଳୁ ଭୁବନେଶ୍ବର ମହାନଗର ନିଗମ ନଗର ଉନ୍ନୟନ ବିଭାଗକୁ ଚିଠି କଲାଣି। ଏ ନେଇ ଆବଶ୍ୟକ ବଜେଟ୍ ଅନୁମୋଦନ ପାଇଁ ଅନୁରୋଧ କରିଛି। କିନ୍ତୁ ନଗର ଉନ୍ନୟନ ବିଭାଗ ଏହି ଅର୍ଥ ମଞ୍ଜୁର କରିନାହିଁ।
ସରକାର-ଜନତାଙ୍କ ସଂପର୍କରେ ସେତୁବନ୍ଧ ଲକ୍ଷ୍ୟରେ ୨୦୧୯ ମସିହାରେ ୬୭ ୱାର୍ଡରେ ୱାର୍ଡ କାର୍ଯ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ୨୦୨୨ ମସିହାରେ ଏହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେଲା। ପ୍ରତି ୱାର୍ଡ କାର୍ଯ୍ୟାଳୟ ନିର୍ମାଣପାଇଁ  ୪୬ରୁ ୫୦ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ଥିଲା। ଯୋଜନା ଅନୁଯାୟୀ, ୱାର୍ଡର ଲୋକେ ପ୍ରଥମେ ଅଭିଯୋଗ ନେଇ ୱାର୍ଡ କାର୍ଯ୍ୟାଳୟକୁ ଯିବେ। ସେଠାରେ ୱାର୍ଡ ଅଧିକାରୀ ସମସ୍ୟାର ସମାଧାନ କରିବେ।

୬୭ରୁ ୨୧ ୱାର୍ଡ କାର୍ଯ୍ୟାଳୟ ନିର୍ମାଣ ଝୁଲିଛି
ମଞ୍ଜୁର ହେଉନି ଜମି ଓ ଟଙ୍କା
ଲକ୍ଷ୍ୟଠାରୁ ଦୂରରେ ହାତପାଆନ୍ତାରେ ସେବା

ସମାଧାନ ସମ୍ଭବପର ନ ହେଲେ ଜୋନାଲ୍ କମିସନର୍ ଅବା ବିଏମ୍‌ସି ମୁଖ୍ୟାଳୟକୁ ଅଭିଯୋଗ ପଠାଯିବ। ପ୍ରତି ୱାର୍ଡ କାର୍ଯ୍ୟାଳୟରେ ମୁଖ୍ୟ ଭାବେ ଜଣେ ୱାର୍ଡ ଅଫିସରଙ୍କ ସହ ଜଣେ କନିଷ୍ଠ ଯନ୍ତ୍ରୀ, ଜଣେ ଗୋଷ୍ଠୀ ସଂଗଠକ, ଜଣେ ପରିମଳ ନିରୀକ୍ଷକ, ଜଣେ ୱାର୍ଡ ସର୍କାର ବା ମାର୍କେଟ୍ ଫି କଲେକ୍ଟର, ଜଣେ ଡାଟା ଏଣ୍ଟ୍ରି ଅପରେଟର୍, ଜଣେ ଲାଇଟ୍ ଜମାଦାର ରଖିବାକୁ ନିଷ୍ପତ୍ତି ହୋଇଥିଲା। ଜୁନିୟର ଆସିଷ୍ଟାଣ୍ଟ ତଥା ଟ୍ୟାକ୍ସ କଲେକ୍ଟରଙ୍କୁ ୱାର୍ଡ ଅଫିସର ନିଯୁକ୍ତ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ୱାର୍ଡ କାର୍ଯ୍ୟାଳୟରେ ୱାର୍ଡ ଅଧିକାରୀ ଓ ଅନ୍ୟମାନଙ୍କ ପାଇଁ ଚାମ୍ବର ସହ ୱାର୍ଡବାସୀଙ୍କ ପାଇଁ ଶୌଚାଳୟ, ବସିବା ପାଇଁ ଚେୟାର ଆଦି ଯୋଜନା ଥିଲା। କିନ୍ତୁ ଅର୍ଥ ଓ ଜମି ଅଭାବରୁ ଏହି ଯୋଜନା ଅଧପନ୍ତରିଆ ହୋଇପଡ଼ିଛି। ଗତ ବୁଧବାର କର୍ପୋରେସନ୍ ବୈଠକରେ ଏ ନେଇ ହୋହଲ୍ଲା ହୋଇଥିଲା। ମେୟର ସୁଲୋଚନା ଦାସ କହିଥିଲେ, ୱାର୍ଡ କାର୍ଯ୍ୟାଳୟ ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦେବାକୁ ନଗର ଉନ୍ନୟନ ବିଭାଗକୁ ଆମେ ଚିଠି ଲେଖିଛୁ। ୱାର୍ଡ ଅଫିସ୍ ସହ ରାସ୍ତାଘାଟ, ନାଳ ଓ ଅନ୍ୟାନ୍ୟ କାମ ପାଇଁ ଅନୁଦାନ ମାଗିଛୁ। ନିୟମାନୁଯାୟୀ, ମୁଖ୍ୟ ଶାସନ ସଚିବ ସ୍ବତନ୍ତ୍ର ବୈଠକ ଡାକି ଏହି ବଜେଟ୍ ଅନୁମୋଦନ କରିବେ। ଆବଶ୍ୟକ ଅନୁଯାୟୀ ଉଭୟ ଜମି ଓ ଟଙ୍କା ମଞ୍ଜୁର କରିବେ। କିନ୍ତୁ ଅଦ୍ୟାବଧି ବୈଠକ ବସିନି କି ଅନୁଦାନ ମଞ୍ଜୁର ହୋଇନି। ତଥାପି ଆଶା ରଖିଛୁ, ସରକାର ଏହି ଅନୁଦାନ ତୁରନ୍ତ ମଞ୍ଜୁର କରିବେ। ୪୪ ନମ୍ବର କର୍ପୋରେଟର୍ ଅଜିତ ବେହେରା କହିଛନ୍ତି, ଆଜି ସୁଦ୍ଧା ୱାର୍ଡ କାର୍ଯ୍ୟାଳୟ ହୋଇପାରୁନଥିବାରୁ ଲୋକେ କଲବଲ ହେଉଛନ୍ତି। ଯେତେଶୀଘ୍ର ୱାର୍ଡ କାର୍ଯ୍ୟାଳୟ ନିର୍ମାଣ ହେବ, ସେତେ ଶୀଘ୍ର ୱାର୍ଡ ସମସ୍ୟା ଦୂର କରିବା ସହଜ ହେବ। କିନ୍ତୁ କେଉଁଠି ଜମି ତ କେଉଁଠି ଟଙ୍କାର ଅଭାବ ରହିଛି। ଏ ଦିଗରେ ସରକାରଙ୍କୁ ଚିଠି କରାଯାଇଛି ବୋଲି ସେ କହିଛନ୍ତି।