ବିଏମ୍‌ସି ୱାର୍ଡ ଅଧିକାରୀ ଶୁଣୁନାହାନ୍ତି, ରାସ୍ତା ଦେଖି ନାକ ଟେକୁଛନ୍ତି ଛାତ୍ରଛାତ୍ରୀ

ଚନ୍ଦ୍ରଶେଖରପୁର: କର୍ପୋରେଟର୍ ନଥିବାରୁ ପ୍ରତି ୱାର୍ଡରେ ଖୋଲାଗଲା ୱାର୍ଡ ସହାୟତା କେନ୍ଦ୍ର। ଉଦ୍ଦେଶ୍ୟ ଥିଲା ସ୍ଥାନୀୟ ଲୋକେ ସହାୟତା କେନ୍ଦ୍ରରେ ସେମାନଙ୍କ ଅସୁବିଧା ଓ ସମସ୍ୟା ଜଣାଇପାରିବେ। ହେଲେ ଲୋକେ ଅଭିଯୋଗ କରି ଥକି ଗଲେ ମଧ୍ୟ ଶୁଣିବାକୁ କେହିନାହିଁ। ୱାର୍ଡ ଦାୟିତ୍ବରେ ଥିବା ୱାର୍ଡ ଅଧିକାରୀମାନେ ସମସ୍ୟା ସମାଧାନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। କିଛି ସ୍ଥାନରେ କେବଳ ପ୍ରତିଶ୍ରୁତି ଦେଇ ଚୁପ୍‌ଚାପ୍‌ ବସିଯାଉଥିବା ବେଳେ ଆଉ କିଛି ସ୍ଥାନରେ ସମସ୍ୟା ଶୁଣି ଅଧିକାରୀ ଆଖିବୁଜି ଦେଉଛନ୍ତି। ଫଳରେ ହୀନସ୍ଥା ହେଉଛନ୍ତି ଲୋକେ।

ଗତ ୬ମାସ ହେଲା ଚନ୍ଦ୍ରଶେଖରପୁର ଥାନାରୁ ଶୈଳଶ୍ରୀବିହାରକୁ ଯୋଗା‌ଯୋଗ କରୁଥିବା ରାସ୍ତାରେ ସ୍ବେରେଜ୍ ଚୋକ୍ ହୋଇ ମଇଳା ପାଣି ଭାସୁଥିବା ନେଇ ସ୍ଥାନୀୟ ଲୋକ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ଫଳରେ ଯାନବାହନ ଓ ପାଦଚଲା ଯାତ୍ରୀମାନେ ଯମଯନ୍ତ୍ରଣା ଭୋଗୁଛନ୍ତି। ବାଧ୍ୟ ହୋଇ କିଛି ବ୍ୟକ୍ତି ମଇଳା ପାଣିରେ ବାଇକ୍ ପୂରାଇ ହନ୍ତସନ୍ତ ହେଉଥିବା ବେଳେ ସେହି ବାଟ ଦେଇ ଯାଉଥିବା ଶତାଧିକ ଛାତ୍ରଛ୍ରତୀ ନାକ ଟେକୁଛନ୍ତି। ଏପରି ଦୃଶ୍ୟ ରାଜଧାନୀର ଏଜୁକେସନ୍ ହବ୍‌ କୁହାଯାଉଥିବା ଚନ୍ଦ୍ରଶେଖରପୁର ଥାନା ନିକଟ ଏକ ଘରୋଇ ଶିକ୍ଷାନୁଷ୍ଠାକୁ ଯୋଗାଯୋଗ କରୁଥିବା ରାସ୍ତାରେ ଦେଖିବାକୁ ମିଳିଛି। ଏହି ରାସ୍ତାରେ ଏକ ଫୁଟରୁ ଅଧିକ ଉଚ୍ଚତାରେ ମଇଳା ପାଣି ଭାସୁଥିବା ବେଳେ ସ୍ଥାନୀୟ ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡ଼ୁଛି। ସବୁଠାରୁ ବଡ଼କଥା ହେଲା ଏହା ନିକଟରେ ଥିବା ଏକ ପରୀକ୍ଷା ସେଣ୍ଟରରେ ପ୍ରତି ସପ୍ତାହରେ କିଛି ନା କିଛି ପରୀକ୍ଷା ହେଉଥିବାରୁ ହଜାର ହଜାର ସଂଖ୍ୟାରେ ଛାତ୍ରୀଛାତ୍ରୀ ଏଠାକୁ ଆସିଥାନ୍ତି। ସେମାନେ ଏହି ରାସ୍ତାକୁ ଦେଖି ମୁହଁରେ ହାତଦେଇ ପଟିଆ ଛକଦେଇ ପାଖାପାଖି ଏକ କିଲୋମିଟର୍ ବୁଲି ସେଣ୍ଟର୍ ନିକଟକୁ ଯାଇଥାନ୍ତି। ମଇଳା ପାଣି ନିକଟ ଗୌରୀ ନଗର ଭିତରେ ପଶୁଥିବାରୁ ସମସ୍ୟା ନେଇ କରୋନା ପୂର୍ବରୁ ଲୋକମାନେ ଆନ୍ଦୋଳନ କରି ରାସ୍ତାରୋକ କରିଥିଲେ। ପୁଲିସ୍ ସେମାନଙ୍କ ସମସ୍ୟା ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇ ବୁଝାଶୁଝା କରିଥିଲା। ମାତ୍ର ଏଯାବତ୍ ସମସ୍ୟାର ସମାଧାନ ହେଲାନାହିଁ। ସ୍ବେରେଜ୍ ଚୋକ ସ୍ଥାନରେ ଦୁଇଟି ସରକାରୀ କାର୍ଯ୍ୟାଳୟ, ଡ୍ରାଇଭିଂ ଟ୍ରେନିଂ ସେଣ୍ଟର, ଶିକ୍ଷାନୁଷ୍ଠାନ ଓ ପରୀକ୍ଷା ସେଣ୍ଟର୍ ସହିତ ଥାନା ଥିବାରୁ ଏହି ସ୍ଥାନକୁ ପ୍ରତିଦିନ ହଜାର ହାଜାର ଲୋକ ଆସି ରାସ୍ତାର ଅବସ୍ଥା ଦେଖି ନାକ ଟେକିଥାନ୍ତି। କିଛି ବାହାର ଜିଲ୍ଲା ଶିକ୍ଷାର୍ଥୀ ରାଜଧାନୀ ସ୍ମାର୍ଟ ସିଟିର ଏପରି ଦୃଶ୍ୟଦେଖି ଫଟୋ ଉଠାଇ ‌ସାମାଜିକ ଗଣମାଧ୍ୟମରେ ‌ପୋଷ୍ଟ କରୁଥିବା ବେଳେ ଅଧିକାରୀଙ୍କ ନିଦ ଭାଙ୍ଗୁନାହିଁ।

ସମ୍ବନ୍ଧିତ ଖବର