ବିଏମ୍‌ସିକୁ ଡେଙ୍ଗୁ ଚିନ୍ତ‌ା ଘାରିଲା: ଆରମ୍ଭ ହେବ ସ୍ପେସାଲ ଡ୍ରାଇଭ୍

ବିଏମ୍‌ସି କମିସନର ଜାରି କଲେ ନିର୍ଦ୍ଦେଶନାମା

ଭୁବନେଶ୍ବର: ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ବିଏମ୍‌ସିର ପଦକ୍ଷେପ ଆଖିଦୃଶିଆ ନଥିଲା। କେବଳ ଯେଉଁ ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହେ‌ଉଥିଲେ ସେଠାରେ ସଚେତନତା କରାଯାଉଥିଲା, ତେଲ ଛିଞ୍ଚା ଯାଉଥିଲା। ସ୍ପେସାଲ ଡ୍ରାଇଭ୍ ନଥିବାରୁ ଏବଂ ପୂରା ଭୁବନେଶ୍ବର ପାଇଁ ଯୋଜନା ନଥିବାରୁ ଡେଙ୍ଗୁ ଅଣାୟତ୍ତ ହୋଇଚାଲିଛି। ଆଜି ଏନେଇ ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ବିଏମ୍‌ସି କମିସନର ପିଛିଲା ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆଉ ସ୍ପେସାଲ ଡ୍ରାଇଭ୍ କରି ଘନଘନ ଚେକିଂ ସହ ଜରିମାନା ଆଦାୟ କରାଯିବ ବୋଲି କହିଛନ୍ତି।

ବିଏମ୍‌ସି ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ ସାଧାରଣ ଲୋକ, ବ୍ୟବସାୟୀ, ଗ୍ୟାରେଜ୍, ଶିଳ୍ପାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଆବାସିକ ସଂଘ, ପୁଲିସ ସମସ୍ତଙ୍କ ପାଇଁ ନିୟମାବଳୀ ଜାରି କରାଯାଇଛି। କିଏ କ’ଣ କରିବେ କୁହାଯାଇଛି। ଏହା ଯଦି ପାଳନ ହୋଇନଥିବ ତେବେ ବିଏମ୍‌ସି ଚେକିଂ କରି କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଆଦାୟ କରିବ ବୋଲି କହିଛି। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା‌ ବଢ଼ୁଥିବାବେଳେ ଏହାକୁ ନିୟନ୍ତ୍ରଣ ଆଣିବା ପାଇଁ ସମସ୍ତଙ୍କୁ ପଦକ୍ଷେପ ନେବାକୁ ହେବ।

ଏବେ କୋଭିଡ୍‌-୧୯ ପାଇଁ ପାର୍କଗୁଡ଼ିକ ବନ୍ଦ ଥିଲେ ବି ଏଠାରେ ଥିବା ଡଷ୍ଟବିନ୍, ଅବ୍ୟବହୃତ ସାମଗ୍ରୀ, ବସିବା ସ୍ଥାନ, ପିଲାଙ୍କ ପାଇଁ ଥିବା ଖସଡ଼ାର ତଳ ଭାଗରେ ପାଣି ଜମି ରହିବାର ସମ୍ଭାବନା ଅଛି। ଏଠାରେ ଯେପରି ପାଣି ଜମିବନି ସେଗୁଡ଼ିକୁ ଯାଞ୍ଚ କରିବା ଦରକାର। ସବୁ ସରକାରୀ କାର୍ଯ୍ୟାଳୟରେ ଯେପରି ଛାତ ଏବଂ ଅନ୍ୟ ଅଞ୍ଚଳରେ ଯେପରି କେଉଁଠି ବି ପାଣି ଜମୁନି ତାହା ନିଶ୍ଚିତ କରିବା ପାଇଁ କାର୍ଯ୍ୟାଳୟର ମୁଖ୍ୟ ଜଣେ ଦାୟିତ୍ବବାନ କର୍ମଚାରୀଙ୍କୁ ଦାୟିତ୍ବ ଦିଅନ୍ତୁ। ସେ ପ୍ରତିଦିନ ଏହାକୁ ଯାଞ୍ଚ କରିବେ। ସବୁ ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ମଧ୍ୟ ସେମାନଙ୍କ ପ୍ରତିଷ୍ଠାନ ପରିସରରେ ଯେପରି ସଫା ପାଣି କେଉଁଠି ଜମୁନି ତାହା ନିଶ୍ଚିତ କରିବାକୁ ଜଣେ କର୍ମଚାରୀଙ୍କୁ ଦାୟିତ୍ବ ଦିଅନ୍ତୁ। ସରକାରୀ ଅଫିସ୍‌ ଭଳି ବେସରକାରୀ ଅଫିସ୍‌ରେ ବି ଏହାକୁ କଡ଼ାକଡ଼ି ପାଳନ କରାଯାଉ। କଳ କାରଖାନା, ଶିଳ୍ପାନୁଷ୍ଠାନରେ ଏ ଦିଗରେ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉ।
ଏବେ ସମସ୍ତ ଥାନାରେ ବହୁ ଜବତ ଗାଡ଼ି ଥିବାବେଳେ ସେଠାରେ ବର୍ଷା ପାଣି ଜମୁଛି। ଏଠାରୁ ଡେଙ୍ଗୁ ବଢ଼ିବାର ସମ୍ଭାବନା ଅଧିକ। ତେଣୁ ସମସ୍ତ ଥାନାଧିକାରୀ ଥାନା ପରିସରରେ ଯେପରି ପାଣି ଜମିବନି ଏବଂ ସବୁ ଗାଡ଼ିକୁ ଘୋଡ଼ାଇକି ରଖାଯିବ ସେ ଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ।

ଗ୍ୟାରେଜ୍‌, ଟାୟାର ‌ପଙ୍କଚର୍ ଦୋକାନରେ ପାଣି ଜମି ରହିବାର ସମ୍ଭାବନା ଅଧିକ ଥିବାରୁ ସେମାନେ ଏଦିଗରେ ଅଧିକ ଯତ୍ନବାନ ହେବାକୁ ହେବ। ସେହିପରି ଆବାସିକ କଲ୍ୟାଣ ସଂଘଗୁଡ଼ିକ ସେମାନଙ୍କ କଲୋନି ଏବଂ ଆପାର୍ଟମେଣ୍ଟ ପରିସରରେ ଯେପରି ପାଣି ଜମିବନି ସେନେଇ ପଦକ୍ଷେପ ନେବେ। ଏହି ସବୁ କାର୍ଯ୍ୟ ହେଉଛି କି ନାହିଁ ତାହା ବିଏମ୍‌ସିର ଏନଫୋର୍ସମେଣ୍ଟ ଟିମ୍ ଯାଞ୍ଚ କରିବ। ଯଦି କେହି ମାନୁନଥିବେ ତେବେ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଆଦାୟ ହେବ ବୋଲି ବିଏମ୍‌ସି କମିସନର ସଂଜୟ ସିଂହ ନିର୍ଦ୍ଦେଶନାମାରେ କହିଛନ୍ତି।

ସମ୍ବନ୍ଧିତ ଖବର