ଅଣ-ଜୈବିକ ବର୍ଜ୍ୟ ପାଇଁ ନିର୍ମାଣ ହେବ ୧୦ ଏମ୍ଆରଏଫ୍ କେନ୍ଦ୍ର
ଭୁବନେଶ୍ବର : ବିଏମ୍ସି ପକ୍ଷରୁ ୧୦ଟି ସ୍ଥାନରେ ‘ସାମଗ୍ରୀ ନବୀକରଣ ସୁବିଧା କେନ୍ଦ୍ର (ଏମ୍ଆର୍ଏଫ୍)’ ନିର୍ମାଣ କରାଯାଉଛି। ଏଥିପାଇଁ ପ୍ରତ୍ୟେକ ଏମ୍ଆର୍ଏଫ୍ ବାବଦକୁ ୭୦ ଲକ୍ଷ ଟଙ୍କା ଲେଖାଏଁ ବ୍ୟୟବରାଦ କରାଯାଇଛି। ପ୍ରତି ୱାର୍ଡରେ ଥିବା ସ୍ବଚ୍ଛସାଥୀଙ୍କ ସହାୟତାରେ ଗୃହରୁ ଆସୁଥିବା ଶୁଖିଲା ବର୍ଜ୍ୟବସ୍ତୁଗୁଡ଼ିକ ଏମ୍ଆର୍ଏଫ୍ କେନ୍ଦ୍ରରେ ପୃଥକୀକରଣ କରାଯିବ। ଶୁଖିଲା ବର୍ଜ୍ୟବସ୍ତୁରୁ ସ୍ବଚ୍ଛସାଥୀ ଓ ଜରି ଗୋଟାଳିଙ୍କ ସହାୟତାରେ ପ୍ଲାଷ୍ଟିକ୍, ଲୁହା, ଆଲୁମିନିୟମ୍, ଟାୟାର, ପ୍ଲାଷ୍ଟିକ୍, ଜରି ଏବଂ କାଚ ପରି ୧୨ପ୍ରକାର ବର୍ଜ୍ୟକୁ ପୃଥକୀକରଣ କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ଜରି ଗୋଟାଳିଙ୍କ ସହାୟତାରେ ଜରିକୁ ଅଲଗା କରାଯାଇ ଏମ୍ଆର୍ଏଫ୍ କେନ୍ଦ୍ରରେ ଥିବା ବେଲିଂ ମେସିନ୍ ସହାୟତାରେ ପ୍ୟାକ୍ କରାଯିବ। ଏହାକୁ ସିମେଣ୍ଟ କାରଖାନା, ପାଇରୋଲିସିସ୍ ଅଥବା ପିଡବ୍ଲୁଡି ବିଭାଗକୁ ପଠାଇ ଦିଆଯିବ। ସିମେଣ୍ଟ କାରଖାନାରେ ଏହାକୁ ଜଳାଇ ତାପଜ ଶକ୍ତି ଉତ୍ପାଦନରେ ବ୍ୟବହାର କରାଯାଇପାରିବ। ପାଇରୋଲିସିସ୍ ପଦ୍ଧତିରେ ଜରିକୁ ଜଳାଇ ସେଥିରୁ ବାହାରୁ ଥିବା ତେଲକୁ ଡିଜେଲ ଭାବେ ବ୍ୟବହାର କରାଯାଇପାରିବ। ରାସ୍ତା କାମରେ ଜରି ବ୍ୟବହାର କଲେ, ଏହା ଅଧିକ ସୁଦୃଢ଼ ହେଉଥିବାରୁ ପିଡବ୍ଲୁଡି ଏହାକୁ ନେଇ ଜରିର ଛୋଟ ଛୋଟ ଖଣ୍ଡ ପସ୍ତୁତ କରି ରାସ୍ତା କାମରେ ବ୍ୟବହାର କରିପାରିବ। ବର୍ତ୍ତମାନ ନିକୋ ପାର୍କ ଅଞ୍ଚଳରେ ଏମ୍ଆର୍ଏଫ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଆଗାମୀ ଦିନରେ ମହିଷାଖାଲ, ବଡ଼ଗଡ଼, ଲିଙ୍ଗରାଜ ଷ୍ଟେସନ୍, ପୋଖରୀପୁଟ, ବରମୁଣ୍ଡା, ୧୧ନଂ ୱାର୍ଡରେ ଦୁଇଟି ଓ ୧୬ନଂ ୱାର୍ଡରେ ଗୋଟିଏ ଏମ୍ଆର୍ଏଫ୍ କେନ୍ଦ୍ର ନିର୍ମାଣ କରାଯିବ। ୨୦୧୯ ଅକ୍ଟୋବର ୨ରେ ଓଡ଼ିଶା ସରକାର ‘ପ୍ଲାଷ୍ଟିକ୍ମୁକ୍ତ ଅଭିଯାନ’ କରିଥିଲେ। ଏଥିନିମନ୍ତେ ପରିବେଶ ପ୍ରଦୂଷିତ କରୁଥିବା ଜରି ଏବଂ ପ୍ଲାଷ୍ଟିକ୍ର ବ୍ୟବହାରକୁ ବଜାରରେ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ତଥାପି ବଜାରରେ ଜରି ଏବଂ ନିମ୍ନମାନର ପ୍ଲାଷ୍ଟିକ୍ ଉବଲବ୍ଧ ହେବା ବନ୍ଦ ହେଉନାହିଁ। ଏହାର ନିରାକରଣ ନିମନ୍ତେ ଏମ୍ଆର୍ଏଫ୍ କେନ୍ଦ୍ର ସହାୟକ ହେବ ବୋଲି ଆଶା କରାଯାଉଛି।
ସ୍ବପ୍ନାରାଣୀ ଷଡ଼ଙ୍ଗୀ (ଅଧ୍ୟାପିକା):
ବର୍ଜ୍ୟବସ୍ତୁଗୁଡ଼ିକୁ ଏକାଠି କରି ଫିଙ୍ଗା ଯାଉଥିବାରୁ ପରବର୍ତ୍ତୀ ସମୟରେ ନବୀକରଣଯୋଗ୍ୟ ଓ ଅଯୋଗ୍ୟ ବସ୍ତୁଗୁଡ଼ିକୁ ଅଲଗା କରିବା କଷ୍ଟକର ବ୍ୟାପାର। ପରିବେଶକୁ ସ୍ବଚ୍ଛ ରଖିବା ନିମନ୍ତେ ଏହା ଉତ୍ତମ ପଦକ୍ଷେପ। ପ୍ରତି ଘରେ ସଚେତନତା ସୃଷ୍ଟି ହେଲେ ଆଗାମୀ ଦିନରେ ଏକ ସ୍ବଚ୍ଛ ଓ ସୁସ୍ଥ ସମାଜ ଗଢ଼ି ହେବ।
ନାରାୟଣ ସାହୁ (ହେଡ୍ କ୍ଲର୍କ):
ବିଏମ୍ସିର ଏହି କାର୍ଯ୍ୟକ୍ରମକୁ ଆମେ ସ୍ବାଗତ କରୁଛୁ। ଏହି ପକ୍ରିୟା ଦ୍ବାରା ବର୍ଷବର୍ଷ ଧରି ଜମି ରହୁଥିବା ଅଳିଆ ଗଦାରୁ ମୁକ୍ତି ମିଳିବ। ଅସ୍ବାସ୍ଥ୍ୟକର ପରିବେଶ ହେବାରୁ ରକ୍ଷା ପାଇବ। ଏହାସହ ଜୈବ ବିଘଟନ ଅଯୋଗ୍ୟ ବର୍ଜ୍ୟବସ୍ତୁଗୁଡ଼ିକୁ ଅନେକ ସମୟରେ ପ୍ରାଣୀମାନେ ଖାଇ ଦେଉଥିବାରୁ ତାଙ୍କର ମୃତ୍ୟୁ ଘଟୁଥିଲା। ଏହି ପ୍ରକ୍ରିୟା ଦ୍ବାରା ତାହାର ମଧ୍ୟ ସମାଧାନ ହୋଇପାରିବ।