ଟିଟିଏସ୍‌ରେ ଆବର୍ଜନା ପାହାଡ଼: ସ୍ୱଚ୍ଛ ସର୍ବେକ୍ଷଣରେ ଫସିବ ବିଏମ୍‌ସି!

ଭୁବନେଶ୍ବର : ସୈନିକ ସ୍କୁଲ ପଛରେ ଥିବା ଟେମ୍ପରାରି ଟ୍ରାଞ୍ଜିଟ୍‌ ଷ୍ଟେସନ (ଟିଟିଏସ୍‌) ବନ୍ଦ ପଡ଼ିଛି। ବିଏମ୍‌ସି ବକେୟା ଅର୍ଥ ପ୍ରଦାନ କରୁନଥିବାରୁ ସେଠାରେ ଆବର୍ଜନା ପରିଚାଳନା ହେଉନାହିଁ। ଫଳରେ ଟିଟିଏସ୍‌ରେ ପାହାଡ଼ ଭଳି ଆବର୍ଜନା ଗଦା ହୋଇରହିଛି। ସହରରେ ଥିବା ଅନ୍ୟ ପ୍ଲାଣ୍ଟଗୁଡ଼ିକ କାର୍ଯ୍ୟକ୍ଷମ ଥିଲେ ମଧ୍ୟ ଦୈନିକ ବାହାରୁଥିବା ଆବର୍ଜନା ତୁଳନାରେ ପରିଚାଳନା ପରିମାଣ ଯଥେଷ୍ଟ କମ୍‌। ଏଣୁ ସବୁ ପରିଚାଳନା କେନ୍ଦ୍ର(ଏମ୍‌ସିସି)ରେ ଆବର୍ଜନା ଗଦା ହୋଇରହିଛି। ଏମ୍‌ସିସିରେ ଆବର୍ଜନା ପରିଚାଳନା ହେଉନଥିବାରୁ ଓ ଗଦା ହୋଇ ରହୁଥିବାରୁ ଏବେ ରାଜଧାନୀର ସବୁ ଜାଗାରୁ ଆବର୍ଜନା ଉଠୁନାହିଁ। ନଜର ପଡ଼ିବା ଭଳି କେତେକ ଜାଗାରୁ ବାଛି ବାଛି ଆବର୍ଜନା ଉଠାଯାଉଛି। ଏବେ ସ୍ବଚ୍ଛ ସର୍ବେକ୍ଷଣ ପ୍ରତି‌ଯୋଗିତା ଚାଲିଛି। ଜାତୀୟସ୍ତରରେ କେବଳ ସ୍ବଚ୍ଛତାକୁ ନେଇ ହେଉଥିବା ଏହି ପ୍ରତିଯୋଗିତା ଏବେ ଟିଟିଏସ୍‌ ଓ ଏମ୍‌ସିସି ରେ ହେଉଥିବା ପରିଚାଳାନଗତ ଅବ୍ୟବସ୍ଥା ପାଇଁ ପ୍ରଭାବିତ ହେବାକୁ ଯାଉଛି। ଅତି କମ୍‌ରେ ୩ ନମ୍ବର ରୢାଙ୍କ ନ ପାଇଲେ, କେନ୍ଦ୍ରୀୟ ଅନୁଦାନ ବନ୍ଦ ହେବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଥିବାରୁ ବିଏମ୍‌ସି ଚିନ୍ତାରେ ପଡ଼ିଛି।

ଏହି ସମସ୍ୟା ବିଏମ୍‌ସିରେ ନୂଆ ନୁହେଁ। ନିକଟ ଅତୀତରେ ମଧ୍ୟ ଏହି ସମସ୍ୟା ଉପୁଜିଥିଲା। ଟଙ୍କା ବାକି ପଡ଼ିଥିବାରୁ ସଂସ୍ଥା କାମ ବନ୍ଦ କରି ଦେଇଥିଲା। ଫଳରେ ରାଜଧାନୀର ବହୁ ଅଞ୍ଚଳରୁ ଆବର୍ଜନା ଉଠିନଥିଲା ଓ ଗନ୍ଧମୟ ପରିବେଶକୁ ନେଇ ଲୋକେ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ। ବାକି ପଡ଼ିଥିବା ଟଙ୍କାରୁ କିଛି ପରିମାଣରେ ବିଏମ୍‌ସି ପରିଶୋଧ କରିବା ପରେ ପୁଣି କାମ ଆରମ୍ଭ ହେବାରୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ବାକି ଟଙ୍କା ପରିଶୋଧ କରିବା ପାଇଁ ବିଏମ୍‌ସି ସମୟ ଧାର୍ଯ୍ୟ କରିଥିଲା। ହେଲ ଧାର୍ଯ୍ୟ ସମୟ ମଧ୍ୟରେ ବକେୟା ପରିଶୋଧ ନ କରିବାରୁ ପୁଣି ଥରେ ଏହି ଅଚଳାବସ୍ଥା ଉପୁଜିଛି। ଅନ୍ୟପଟେ ସଂସ୍ଥା ବିରୋଧରେ ମଧ୍ୟ ଅନେକ ଅଭିଯୋଗ ଥିବା ଜଣାପଡ଼ିଛି। ବିଭିନ୍ନ ସମୟରେ କର୍ତ୍ତବ୍ୟରେ ଅବହେଳା କରୁଥିବା ନେଇ ଅଭିଯୋଗ ଥିବାରୁ ବିଏମ୍‌ସି ସଂସ୍ଥାର ପ୍ରାପ୍ୟ ପ୍ରଦାନ କରିନାହିଁ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ଜଣେ ବିଏମ୍‌ସି ଅଧିକାରୀଙ୍କ କହିବା ମୁତାବକ, ଅନେକ ବଡ଼ ବଡ଼ ସଂସ୍ଥା ଏଭଳି ପ୍ଲାଣ୍ଟ କରିବା ନେଇ ଆଗ୍ରହ ପ୍ରକାଶ କରୁଛନ୍ତି। ଦୈନିକ ବାହାରୁ ଥିବା ଆବର୍ଜନା ଆଧାରରେ ପ୍ରତି ୱାର୍ଡରେ ପରିଚାଳନା ପ୍ରକଳ୍ପ ହୋଇପାରିବ। ଏବେ ଅନ୍ୟ ଏମ୍‌ସିସିଗୁଡ଼ିକ କାର୍ଯ୍ୟକ୍ଷମ ଅଛି। ଆବର୍ଜନା ଗଦା ହେବା ଭଳି ପରିସ୍ଥିତି ହୋଇନାହିଁ। ଉଲ୍ଲେଖଯୋଗ୍ୟ, ସହରରୁ ଦୈନିକ ବାହାରୁଥିବା ଆବର୍ଜନାକୁ ଆଧାର କରି ୬୭ଟି ୱାର୍ଡରେ ୪୧ଟି ଏମ୍‌ସିସି ସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଏଥିରେ ସଫଳ ହୋଇପାରିନାହିଁ ବିଏମ୍‌ସି। ୪୧ରୁ ଅଦ୍ୟାବଧି ମାତ୍ର ୨୩ଟି କାର୍ଯ୍ୟକ୍ଷମ ହୋଇଛି। ସହରରୁ ଏବେ ଦୈନିକ ୫ଶହ ଟନ୍‌ ଆବର୍ଜନା ବାହାରୁଛି। ୨୩ଟି ଏମ୍‌ସିସିରେ ଶହେରୁ ଦେଢ଼ଶହ ଟନ୍‌ ଆବର୍ଜନା ପରିଚାଳନା ହୋଇପାରୁଛି। ତେଣୁ ଏବେ ୩୫୦ ଟନ୍‌ ଆବର୍ଜନା ଗଦା ହୋଇ ରହୁଛି। ଏବେ ପୁଣି ଟିଟିଏସ୍‌ ବନ୍ଦ ହୋଇଯିବା ଫଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର