କରୋନା ଆକ୍ରାନ୍ତଙ୍କ ବର୍ଜ୍ୟ ସଂଗ୍ରହ କରିବ ବିଏମ୍ସି
ଭୁବନେଶ୍ୱର : ରାଜଧାନୀରେ ଆଜି ସୁଦ୍ଧା ୧୪,୯୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧୩୦ଜଣ ଚିକିତ୍ସାଧୀନ ଅଛନ୍ତି। ଏଥିରୁ ପ୍ରାୟ ୩ହଜାରରୁ ଅଧିକ ଆକ୍ରାନ୍ତ ଗୃହ ପୃଥକବାସରେ ରହି ଚିକିତ୍ସିତ ହେଉଛନ୍ତି। ହେଲେ ଘରେ ରହି ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କର ଜୈବ ଭେଷଜ ବର୍ଜ୍ୟ ବିଏମ୍ସି ପୃଥକ ଭାବେ ସଂଗ୍ରହ କରୁନଥିଲା। ଫଳରେ ଆକ୍ରାନ୍ତମାନେ ତାଙ୍କ ଆବର୍ଜନାକୁ ବିଏମ୍ସି ଡଷ୍ଟବିନ୍ରେ ପକାଉଥିଲେ। ଏହାଦ୍ବାରା ବହୁ ସଫେଇ କର୍ମଚାରୀ, ଆକ୍ରାନ୍ତଙ୍କ ସମ୍ପର୍କୀୟ, ପାଖପଡ଼ୋଶୀ ଆକ୍ରାନ୍ତ ହେଲେ। ତେଣୁ ବିଏମ୍ସି ସବୁ ଆକ୍ରାନ୍ତଙ୍କ ଘରୁ ଜୈବ ଭେଷଜ ବର୍ଜ୍ୟ ସଂଗ୍ରହ କରିବ ବୋଲି ନିଷ୍ପତ୍ତି ନେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିଏମ୍ସି ପକ୍ଷରୁ ସଫେଇସଂସ୍ଥା ଜାଗୃତି ୱେଲଫେୟାର ଅର୍ଗାନାଇଜେସନ୍କୁ ଦାୟିତ୍ବ ଦିଆଯାଇଛି। କରୋନା ଆକ୍ରାନ୍ତଙ୍କ ବର୍ଜ୍ୟ ସଂଗ୍ରହ କରିବା ପାଇଁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍ ଅନୁଯାୟୀ ବର୍ଜ୍ୟ ସଂଗ୍ରହ କରାଯିବ।
ସିପିସିବି ଦ୍ବାରା ସ୍ଥିରୀକୃତ ନିୟମ ଅନୁଯାୟୀ ସ୍ବତନ୍ତ୍ର ପ୍ୟାକେଟ ଓ ସ୍ବତନ୍ତ୍ର ଗାଡ଼ିରେ ଏହି ବର୍ଜ୍ୟ ପରିବହନ ହେବ। ସଂଗୃହୀତ ବର୍ଜ୍ୟକୁ ଖୋର୍ଦ୍ଧାର ଟାଙ୍ଗିଆପଡ଼ାସ୍ଥିତ ବର୍ଜ୍ୟ ନଷ୍ଟ କେନ୍ଦ୍ରକୁ ନିଆଯିବ। ଏଠାରେ ସାନି କ୍ଲିନ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ବାରା କରୋନା ଆକ୍ରାନ୍ତଙ୍କ ବର୍ଜ୍ୟ ଓ କୋଭିଡ୍ ହସ୍ପିଟାଲରୁ ସଂଗୃହୀତ ହେଉଥିବା ବର୍ଜ୍ୟକୁ ବିଶୋଧନ କରାଯାଉଛି। ସେହିପରି ବର୍ଜ୍ୟ ରଖିବା ପାଇଁ ଆବଶ୍ୟକ ଦୁଇଟି ଆସ୍ତରଣ ଥିବା ନନ୍ କ୍ଲୋରିନେଟେଡ୍ ଡିସ୍ପୋଜେବୁଲ୍ ପ୍ଲାଷ୍ଟିକ୍ ବ୍ୟାଗ୍ ଜାଗୃତି ଯୋଗାଇଦେବ। ଏଥିରେ କରୋନା ଆକ୍ରାନ୍ତ ତାଙ୍କର ଜୈବଭେଷଜ ବର୍ଜ୍ୟ ଯଥା ବ୍ୟବହୃତ ସିରିଞ୍ଜ, ଅବଧି ଶେଷ ହୋଇଥିବା ଔଷଧ, ବ୍ୟବହୃତ ମାସ୍କ, ଗ୍ଲୋବ୍ସ, ପରିସ୍ରାଥଳୀ, ରକ୍ତ ଏବଂ ସ୍ବାବ୍ଭିଜା କପଡ଼ା ଆଦି ରଖିବେ। ଏବେ ୪ଟି ଗାଡ଼ିରେ ବର୍ଜ୍ୟ ସଂଗ୍ରହ ହେବ। ପ୍ରତି ଗାଡ଼ିରେ ଥରକରେ ୧୦୦ଟି ପରିବାରରୁ ବର୍ଜ୍ୟ ସଂଗ୍ରହ କରାଯାଇପାରିବ। ଗୃହ ପୃଥକବାସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଲେ ବିଏମ୍ସି ପକ୍ଷରୁ ଅଧିକ ଗାଡ଼ି ନିୟୋଜିତ କରାଯିବ ବୋଲି କୁହାଯାଇଛି। ଏବେ ଆବର୍ଜନା ପରିବହନ କରିବାକୁ ଥିବା କର୍ମଚାରୀ ଓ ଡ୍ରାଇଭର୍ ପିପିଇ କିଟ୍ ପିନ୍ଧି ଏହାକୁ ପରିବହନ କରିବେ। ଏହାସହ ପ୍ରତିଥର ନିଷ୍କାସନ ପରେ ୧%ସୋଡିୟମ ହାଇପୋକ୍ଲୋରାଇଟ୍ ସଲ୍ୟୁସନ୍ରେ ଗାଡ଼ିକୁ ବିଶୋଧନ କରିବେ। ଜାଗୃତି ସହିତ ବିଏମ୍ସି କରିଥିବା ଚୁକ୍ତି ଅନୁଯାୟୀ, ପ୍ରତି ଗାଡ଼ି ପିଛା ୫୭୫୦ ଟଙ୍କା ଦିଆଯିବ।