ଘରେ ଅକ୍ସିଜେନ୍ ପହଞ୍ଚାଇବ ବିଏମ୍‌ସି

ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଆଗୁଆ ଟିକା, ଭିଡ଼, ମାର୍କେଟରେ ହେବ ମୋବାଇଲ୍‌ ଟେଷ୍ଟିଂ

ଭୁବନେଶ୍ବର : ଏବେ ଭୁବନେଶ୍ବରରେ ଅକ୍ସିଜେନ୍‌ର ଅଭାବ ନାହିଁ। ତଥାପି ବି ଗୃହ ସଙ୍ଗରୋଧରେ ରହୁଥିବା ଲୋକଙ୍କୁ ଅକ୍ସିଜେନ୍ ମିଳିବାରେ କିଛି ସମସ୍ୟା ହେଉଥିବା ଅଭିଯୋଗ ହେଉଛି। ଏହାକୁ ନଜରରେ ରଖି ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ଘ‌ରେ ବିଏମ୍‌ସି ଅକ୍ସିଜେନ୍ କନସେଣ୍ଟ୍ରେଟର୍‌ ପହଞ୍ଚାଇବ। ଏଥିପାଇଁ ଏକ ସ୍ବତନ୍ତ୍ର ଆପ୍ ପ୍ରସ୍ତୁତ ହୋଇଛି। ଏହା ରବିବାର କିମ୍ବା ସୋମବାର ଲୋକାର୍ପିତ ହେବ। ଏହି ଆପ୍‌ରେ ଲୋକମାନେ ସବିଶେଷ ତଥ୍ୟ ଦେଇ ବୁକିଂ କଲେ ତାଙ୍କ ଘରେ ଅକ୍ସିଜେନ୍ କନସେଣ୍ଟ୍ରେଟର ପହଞ୍ଚାଇ ଦିଆଯିବ। ଏହାକୁ କିପରି ଜଣେ ବ୍ୟବହାର କରିବ ସେ ତଥ୍ୟ ଉକ୍ତ ଆପ୍‌ରେ ଉପଲବ୍ଧ ହେବ। ଏହାବାଦ୍‌ ଏକ ଲିଫ୍‌ଲେଟ୍‌ ମଧ୍ୟ ଦିଆଯିବ। ଆକ୍ରାନ୍ତଙ୍କ ଘରେ ଅକ୍ସିଜେନ୍ କନସେଣ୍ଟ୍ରେଟର ପହଞ୍ଚାଇବା ପାଇଁ ରାଜ୍ୟ ସରକାର ବିଏମ୍‌ସିକୁ ୧୦୦ଟି କନସେଣ୍ଟ୍ରେଟର ଦେଇଛନ୍ତି ବୋଲି ବିଏମ୍‌ସି କମିସନର ସଞ୍ଜୟ ସିଂହ କହିଛନ୍ତି।

ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଆଗୁଆ ଟିକା
ରାଜଧାନୀର ବହୁ ଛାତ୍ରଛାତ୍ରୀ ବିଦେଶରେ ପଢ଼ୁଛନ୍ତି। ବାହାର ଦେଶରେ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିଯାଇଥିବାରୁ ଏବେ ଏଠାରୁ ଛାତ୍ରଛାତ୍ରୀ ବିଦେଶକୁ ଯିବେ। ହେଲେ ସେଠାରେ ଟିକା ସାର୍ଟିଫିକେଟ୍‌ ଦେଖାଇବା ବାଧ୍ୟତାମୂଳକ କରାଯାଇଥିବାରୁ ଏବେ ବହୁ ଛାତ୍ରଛାତ୍ରୀ ଟିକା ପାଇଁ ଅଟକିଯିବାର ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ନଜରରେ ରଖି ବିଏମ୍‌ସି କମିସନର କହିଛନ୍ତି ଯେ, ବିଦେଶରେ ପଢ଼ିବାକୁ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଆମେ ଅଗ୍ରାଧିକାର ଭିତ୍ତିରେ ଟିକା ଦେବୁ। ଏଥିପାଇଁ ଆମେ ସ୍ବତନ୍ତ୍ର ବ୍ୟବସ୍ଥା କରିବୁ। ସୋମବାରଠାରୁ ସେମାନଙ୍କୁ ୧୯୨୯ ନମ୍ବରରେ ଫୋନ୍‌ କରି ନାମ ପଞ୍ଜୀକରଣ କରିବାକୁ ପଡ଼ିବ। ଯେଉଁମାନେ ଟିକା ନେବାକୁ ଆସିବେ, ସେମାନଙ୍କୁ ବିଦେଶୀ ବିଶ୍ବବିଦ୍ୟାଳୟର କନଫର୍ମେସନ ଚିଠି ଅାଣିବାକୁ ପଡ଼ିବ।

ଭିଡ଼, ମାର୍କେଟରେ ହେବ ମୋବାଇଲ୍‌ ଟେଷ୍ଟିଂ
ଯେଉଁମାନେ ଏବେ ହାଟ, ବଜାରରେ ନିୟମ ମାନୁନାହାନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଆଗକୁ ସେମାନଙ୍କୁ କୋଭିଡ ପରୀକ୍ଷା କରାଯିବ। ବିଏମ୍‌ସିର ଯୋଜନା ଅନୁଯାୟୀ, ଲୋକଙ୍କୁ ହାତପାହନ୍ତାରେ ଟେଷ୍ଟିଂ ସୁବିଧା ଯୋଗାଇଦେବା ପାଇଁ ବିଭିନ୍ନ ମାର୍କେଟ୍ ଓ ହାଟରେ ମୋବାଇଲ୍‌ ଟେଷ୍ଟିଂ କରାଯିବ। ଏଥିରେ ଉଭୟ ଆଣ୍ଟିଜେନ୍ ଓ ଆର୍‌ଟି-ପିସିଆର୍ ଟେଷ୍ଟିଂ କରାଯିବ। ଏହାଦ୍ବାରା ଲୋକଙ୍କୁ ଟେଷ୍ଟିଂ ପାଇଁ ପୁଣି ଘରୁ ବାହାରିବାକୁ ପଡ଼ିବନି।

ସମ୍ବନ୍ଧିତ ଖବର