ଭୁବନେଶ୍ବର: ଗୃହ ଓ ନଗର ଉନ୍ନୟନ ବିଭାଗ ସ୍ବୀକୃତି କ୍ରମେ ବିଏମ୍‌ସିର ୬୭ ୱାର୍ଡକୁ ୧୦ ଭାଗ କରି ୧୦ ପ୍ୟାକେଜ୍ ବିଶିଷ୍ଟ ପରିମଳ ଟେଣ୍ଡରରେ ରହିଥିବା ଗୁରୁଚଣ୍ଡାଳ ଦୋଷ ଯୋଗୁ ସହର ସଫା ହେଲା ନାହିଁ। ପ୍ରବଳ ଅସନ୍ତୋଷ ପ୍ରକାଶ ପାଇବାରୁ ବିଏମ୍‌ସି ନିଜେ ଟେଣ୍ଡର ସର୍ତ୍ତ ଖିଲାପ କରି ସଫେଇ ସଂସ୍ଥାମାନଙ୍କୁ ଗାଡ଼ି ଓ ମାନବସମ୍ବଳ ଯୋଗାଇଲା। ଏଥିରେ ଅତିରିକ୍ତ କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା। ହେଲେ ଏବେ ବି ଆବର୍ଜନା ଉଠି ପାରୁ ନାହିଁ। ଫଳରେ ସହରବାସୀ ଭୋଗୁଛନ୍ତି। ଏ ନେଇ କର୍ପୋରେସନ ବୈଠକରେ ହୋ ହଲ୍ଲା ହେବା ପରେ ଏହି ତ୍ରୁଟିପୂର୍ଣ୍ଣ ଟେଣ୍ଡର ବାତିଲ କରିବାକୁ ସରକାରଙ୍କୁ ଅନୁରୋଧ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି। ଏଣେ ତ୍ରୁଟିପୂର୍ଣ୍ଣ ପ୍ୟାକେଜ୍‌ ଟେଣ୍ଡର ବ୍ୟବସ୍ଥା କରିବାର ମୁଖ୍ୟ କାର୍ପଟଦାର କୁହାଯାଉଥିବା ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାଥନନ୍‌ଙ୍କର ବଦଳି ହୋଇଥିବା ବେଳେ ମୁଖ୍ୟଯନ୍ତ୍ରୀ ପ୍ରଶାନ୍ତ ମାହପାତ୍ର ମଧ୍ୟ ଅବସର ନେଇ ସାରିଲେଣି। ହେଲେ ଟେଣ୍ଡର ବାତିଲ ହେଉନି। ବରଂ କୋର୍ଟରେ ପଡ଼ିରହିଥିବା ମାମଲା ଯୋଗୁ ପ୍ୟାକେଜ୍‌-୫ ଓ ୮ ତଥା ୧୭ଟି ୱାର୍ଡ ପାଇଁ ପୁନଃ ଟେଣ୍ଡର ଡାକିବାକୁ ବିଏମ୍‌ସି ସଜବାଜ ହେଉଛି। ଗୋଟିଏ ପଟେ ତ୍ରୁଟିପୂର୍ଣ୍ଣ ଟେଣ୍ଡର ବାତିଲ ହେଲା ନାହିଁ ଅନ୍ୟପଟେ ପୁରୁଣା ଢାଞ୍ଚାରେ ନୂଆ ଟେଣ୍ଡର ହେବାକୁ ଯାଉଥଇବାରୁ ଆଉ ୧୭ ୱାର୍ଡବାସୀ ଅକଥନୀୟ ଅତ୍ୟାଚାରର ଶିକାର ହେବା ଥୟ ହୋଇଛି।

Advertisment

ଗୁରୁ ଚଣ୍ଡାଳ ଦୋଷ ପାଇଁ ତଣ୍ଡ ଗଣୁଛି ବିଏମ୍‌ସି, ଭୋଗୁଛନ୍ତି ଲୋକେ
ଟେଣ୍ଡର ବାତିଲ୍‌ ହଉନି

ପୂର୍ବରୁ ୩ଟି ସଂସ୍ଥା ପୁରା ୬୭ ୱାର୍ଡରେ ସଫେଇ କରୁଥିଲେ। ଓଜନ ହିସାବରେ ଦେୟ ଧାର୍ଯ୍ୟ ହୋଇଥିବାରୁ ସବୁ ଆବର୍ଜନା ସଂସ୍ଥାମାନେ ଉଠାଇ ନେଉଥିଲେ। କିନ୍ତୁ ଏହି ବ୍ୟବସ୍ଥାକୁ ବାତିଲ କରି ଗୃହ ଓ ନଗର ଉନ୍ନୟନ ବିଭାଗ ୧୦ ପ୍ୟାକେଜ୍‌ କରିବାକୁ ନିର୍ଦ୍ଦେଶ ଦେଲା। ଏଥିପାଇଁ ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ବିଏମ୍‌ସିରେ ମୁଖ୍ୟଯନ୍ତ୍ରୀ(ପରିମଳ) ଭାବରେ ନିଯୁକ୍ତି ମଧ୍ୟ ଦେଲା। ଯେଉଁ ପ୍ୟାକେଜ୍‌ ବ୍ୟବସ୍ଥାରେ ତ୍ରୁଟି ରହିଲା। ପୂର୍ବରୁ ଯେଉଁ ୱାର୍ଡରେ ତିନିଟି ଗାଡ଼ି ଲାଗୁଥିଲା ସେଠାରେ ଗୋଟିଏ ଗାଡ଼ିର ପଇସା ଦିଆଗଲା। ଯେଉଁଠି ୧୦ ଜଣ ଲୋକ ଲାଗୁଥିଲେ ସେଠାରେ ୪ ଜଣଙ୍କର ପଇସା ଦିଆଗଲା। ଯେଉଁଠି ୫୦ କିମି ରାସ୍ତା ଥିଲା ସେଠାରେ ୩୫ କିମି ରାସ୍ତା ହିସାବ ଦିଆଗଲା। କଞ୍ଜରଭାନ୍‌ସି ଲେନ୍‌ ସଫା ବ୍ୟବସ୍ଥା ରହିଲା ନାହିଁ। ଗ୍ରିନ୍‌ ଗାର୍‌ବେଜ୍‌, ନିର୍ମାଣ ବର୍ଜ୍ୟ ଓ ହାଟରୁ ଆବର୍ଜନା ଉଠାଇବା ବ୍ୟବସ୍ଥା ରହିଲା ନାହିଁ। ଏହି ସବୁ ବ୍ୟବସ୍ଥା ଟେଣ୍ଡର ଦେଇ ଦିଆଯିବା ପରେ ବିଏମ୍‌ସି ନିଜ ହାତରୁ ଖର୍ଚ୍ଚ କରି କଲା ଏବଂ ଏବେ ବି କରୁଛି।

ଅନ୍ୟପଟେ ପ୍ୟାକେଜ୍‌ ୫ରେ ୱାର୍ଡ ନଂ ୨୪, ୨୫, ୨୭, ୩୭, ୩୮, ୩୯, ୪୭, ୪୮, ୪୯, ୫୦ ଓ ୫୧ ରହିଥିବା ବେଳେ ପ୍ୟାକେଜ୍‌-୮ରେ ୩୧, ୩୨, ୩୩, ୪୨, ୪୩ ଓ ୪୫ ରହିଛି। ଏହି ଦୁଇଟି ପ୍ୟାକେଜ୍‌ ଟେଣ୍ଡର ମଞ୍ଜୁ ସର୍ଭିସ୍‌କୁ ମିଳିଥିଲା। ବିଏମ୍‌ସି ଚୁକ୍ତିନାମା କରିସାରିଥିଲା। କିନ୍ତୁ ଆଉ ଏକ ସଂସ୍ଥା ମଞ୍ଜୁ ସର୍ଭିସ୍‌କୁ ଅଯୋଗ୍ୟ ଦର୍ଶାଇ ଚୁକ୍ତି ବାତିଲ କରିବାକୁ କୋର୍ଟର ଦ୍ବାରସ୍ଥ ହୋଇଥିଲା। ହାଇକୋର୍ଟଙ୍କ ଆଦେଶ ବଳରେ ବିଏମ୍‌ସି ଏହି ଦୁଇ ପ୍ୟାକେଜ୍‌ର ଚୁକ୍ତିନାମା ରଦ୍ଦ କରିଥିଲା। ଏହାକୁ ମଞ୍ଜୁ ସର୍ଭିସ୍‌ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ମାମଲା କୋର୍ଟରେ ଥିବାରୁ ଏହାକୁ ଟେଣ୍ଡର କରାଯାଇ ପାରୁନଥିଲା। ଏହି ସବୁ ୱାର୍ଡରେ ଓଜନ ଆଧାରରେ ସଫେଇ କରାଯାଉଥିବାରୁ ଆବର୍ଜନା ପରିଚାଳନା କରିବାରେ ବିଏମ୍‌ସି ନାକେଦମ୍‌ ହେଉଥିଲା। ତେବେ ସୁପ୍ରିମକୋର୍ଟଙ୍କର ରହିତାଦେଶ ନଥିବାରୁ ଏହି ଦୁଇଟି ପ୍ୟାକେଜ୍‌ରେ ଟେଣ୍ଡର କରିବାକୁ ଗତ କର୍ପୋରେସନ ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି। ଖୁବ୍‌ଶୀଘ୍ର ବିଏମ୍‌ସି ଟେଣ୍ଡର ଆହ୍ବାନ କରିବାକୁ ଯାଉଛି।

ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କ ପୁନଃ ନିଯୁକ୍ତି ବାତିଲ
ବିଏମ୍‌ସିରେ ୧୦ ପ୍ୟାକେଜ୍‌ ବିଶିଷ୍ଟ ପରିମଳ ଟେଣ୍ଡରରେ ଗୁରୁଚଣ୍ଡାଳ ଦୋଷ ରହିଥିବା କାରଣରୁ ବିବାଦରେ ଫସିଥିବା ତତ୍‌କାଳୀନ ମୁଖ୍ୟଯନ୍ତ୍ରୀ(ପରିମଳ) ପ୍ରଶାନ୍ତ କୁମାର ମହାପାତ୍ରଙ୍କ ପୁନଃ ନିଯୁକ୍ତି ବାତିଲ ହୋଇଛି। ସେ ଅବସର ନେବା ପରେ ତାଙ୍କୁ ପାନୀୟ ଜଳ ଓ ସ୍ବେରେଜ୍‌ ବୋର୍ଡର ଉପଦେଷ୍ଟା ଭାବରେ ୬ ମାସ ପାଇଁ ନିଯୁକ୍ତି ମିଳିଥିଲା। ଚଳିତ ମାସ ୧୫ ତାରିଖରୁ ଆସନ୍ତାବର୍ଷ ଜାନୁଆରି ୧୪ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିଥାନ୍ତେ। କିନ୍ତୁ ତାଙ୍କ ନାମରେ ଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ହୋଇଥିଲା। ଏହା ପରେ ବିଭାଗ ଓ ବିଭାଗୀୟ ମନ୍ତ୍ରୀ ବଦନାମ ହେବା ଭୟରେ ତାଙ୍କର ନିଯୁକ୍ତି ତୁରନ୍ତ ବାତିଲ କରାଯାଇଥିବା କୁହାଯାଉଛି। ଯଦିଓ ବାତିଲ କରିବା ବାବଦରେ ଗୃହ ଓ ନଗର ଉନ୍ନୟନ ବିଭାଗ କୌଣସି କାରଣ ଦେଖାଇ ନାହିଁ।

ମୁଖ୍ୟ ଯନ୍ତ୍ରୀ( ପରିମଳ) ପ୍ରଶାନ୍ତ କୁମାର ମହାପାତ୍ରଙ୍କର ଏ ବାବଦରେ କୌଣସି ଅଭିଜ୍ଞତା ନଥିବା ବେଳେ ରାଜ୍ୟ ବାହାରର ତିନିଟି ସଂସ୍ଥା ଭୁବନେଶ୍ୱରର ଭୌଗଳିକ ଅବସ୍ଥିତି ବିଷୟରେ ଜାଣି ନଥିଲେ। ବହୁ ୱାର୍ଡରେ ଯେତିକି ଲମ୍ବାର ରାସ୍ତା ରହିଛି ତା’ ଠାରୁ ଢେର୍‌ କମ୍‌ ଦର୍ଶାଇ ସମ୍ପୃକ୍ତ ସଂସ୍ଥାମାନେ ଟେଣ୍ଡର ଆବେଦନ କରିଥିଲେ। ଏହାକୁ ମୁଖ୍ୟ ଯନ୍ତ୍ରୀ ଅନୁମୋଦନ କରି ସରକାରଙ୍କ ଅନୁମୋଦନ ପାଇଁ ପଠାଇଥିଲେ। ଉଦାହାଣ ସ୍ବରୂପ ଆୱର୍ ଲ୍ୟାଣ୍ଡ ସଂସ୍ଥା ରାଉରକେଲା ମ୍ୟୁନିସିପାଲ କର୍ପୋରେସନର ପରିମଳ ଟେଣ୍ଡରରେ ଅଯୋଗ୍ୟ ହୋଇଥିବା ବେଳେ ବିଏମ୍‌ସିରେ ଯୋଗ୍ୟ ବିବେଚିତ ହୋଇଥିଲା।

ସହିଦନଗରରେ ଆବର୍ଜନା ପାହାଡ଼, କମିସନରଙ୍କୁ ଚିଠି

ସହିଦନଗର ଭଳି ଏକ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳରେ ଆବର୍ଜନା ଗଦା ହୋଇ ରହୁଛି। ଏ ନେଇ ସୁପ୍ରିମକୋର୍ଟ ଆଇନଜୀବୀ ରାଜେନ୍‌ ମହାପାତ୍ର ବିଏମ୍‌ସି କମିସନରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏଠାରେ ଆୱାରଲ୍ୟାଣ୍ଡ ସଂସ୍ଥା ସଫେଇ ଦାୟିତ୍ବ ନେଇଛି। କିନ୍ତୁ ଆବର୍ଜନା ଗଦା ହୋଇ ରହୁଥିଲେ ମଧ୍ୟ ଉଠାଉ ନାହିଁ। ଅଭିଯୋଗ ପରେ ବି ଏହି ଅଞ୍ଚଳ ଦାୟିତ୍ବରେ ଥିବା ସାନିଟାରି ଇନ୍‌ସ୍‌ପେକ୍ଟର ଘଟଣାସ୍ଥଳକୁ ଯାଉ ନାହାନ୍ତି। ଫଳରେ ଏଠାରେ ପ୍ରବଳ ଦୁର୍ଗନ୍ଧ ସହ ଏକ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ପରିମଳ ବ୍ୟବସ୍ଥାରେ ବା ସହରକୁ ସ୍ବଚ୍ଛ ରଖିବାରେ ବିଏମ୍‌ସି ଶହେ କୋଟି ଖର୍ଚ୍ଚ କରୁଥିଲେ ମଧ୍ୟ ଏଭଳି ସ୍ଥିତି ବିଏମ୍‌ସିର ଆବର୍ଜନା ମୁକ୍ତ ସହର ଘୋଷଣାକୁ ପରିହାସ କରିଛି।

ପ୍ଳଟ୍‌ ନଂ ୩୬ ପାଚେରିକୁ ଲାଗି ଆବର୍ଜନା ଗଦା ହେଉଛି। ବିଏମ୍‌ସି କଲ୍ୟାଣମଣ୍ଡପ ଓ ବିଷ୍ଣୁମନ୍ଦିରକୁ ଯାଉଥିବା ରାସ୍ତା କଡ଼ରେ ଏଭଳି ସ୍ଥିତି ରହିଛି। ରାସ୍ତା ମାତ୍ର ୪୦ ଫୁଟ୍‌ ଓସାର। ଗୋଟିଏ ଜାଗାରେ ଆବର୍ଜନା ଜମା ହୋଇଯିବା ଫଳରେ ରାସ୍ତା ସଙ୍କୁଚିତ ହୋଇଯାଉଛି। ଆବର୍ଜନାରୁ ଦୁର୍ଗନ୍ଧ ପାଣି ବାହାରି ରାସ୍ତା ଉପରେ ଭାସୁଛି। ଚାଲି ଚାଲି କିମ୍ବା ଗାଡ଼ିରେ ମଧ୍ୟ ଯିବା ସମ୍ଭବ ହେଉ ନାହିଁ। ଆବର୍ଜନା ଭିତରେ ଥିବା ଖାଦ୍ୟପଦାର୍ଥ ଖୋଜି କୁକୁରମାନେ ରାସ୍ତା ଉପରକୁ ନେଇ ଆସୁଥିବାରୁ ବିଚିତ୍ର ସ୍ଥିତି ହେଉଛି। ଏଠାରେ ନିୟମିତ ଆବର୍ଜନା ଗଦା କରାଯାଉଛି। ଦୀର୍ଘ ସମୟ ପଡ଼ି ରହିବା ପରେ ଏହାକୁ ଉଠାଯାଉଛି। ଏହାର କଡ଼କୁ ଲାଗି ଉଭୟ ପ୍ଲଟ୍‌ ମଧ୍ୟରେ ରହିଥିବା କଞ୍ଜରଭାନ୍‌ସି ଲେନ୍‌ରେ ପେଭର ବ୍ଲକ୍‌ ପଡ଼ି ସୁନ୍ଦର କରାଯାଉଥିବା ବେଳେ ଏଠାରେ ଆବର୍ଜନା ଗଦା କରି ସୌନ୍ଦର୍ଯ୍ୟ ନଷ୍ଟ କରଯାଉଛି। ଏଣୁ ଏହାକୁ ତୁରନ୍ତ ହଟାଇବାକୁ ସେ ଦାବି କରିଛନ୍ତି।