ଶୁକଶାରି ମନ୍ଦିର ପାଖ ଖୋଳିବନି ବିଏମ୍‌ସି

ଭୁବନେଶ୍ୱର : ତ୍ରୟୋଦଶ ଶତାବ୍ଦୀର ଶୁକଶାରି ମନ୍ଦିର ଚାରିକଡ଼କୁ ଆଉ ବିଏମ୍‌ସି ଖୋଳିପାରିବ ନାହିଁ। ଐତିହ୍ୟ ସମ୍ପନ୍ନ ତଥା ପ୍ରଚୀନ କୀର୍ତ୍ତିରାଜିର ପ୍ରତୀକ ଶୁକଶାରି ମନ୍ଦିରର ସୁରକ୍ଷାକୁ ଗମ୍ଭୀରତାର ସହ ନିଆଯାଇଛି। ଏକାମ୍ର ପ୍ରକଳ୍ପ ଯୋଜନାରେ ଚାଲିଥିବା ସୌନ୍ଦର୍ଯ୍ୟୀକରଣ କାମ ଯୋଗୁଁ ଶୁକଶାରି ମନ୍ଦିରର ଯେମିତି କୌଣସି କ୍ଷତି ନ ହୁଏ, ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଆଜି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଓ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏହି ଆଲୋଚନା ହୋଇଛି।

ଏକାମ୍ର ପ୍ରକଳ୍ପ ଠିକାସଂସ୍ଥା ଦ୍ବାରା ଖନନ ହେବା ପରେ ଶୁକଶାରି ମନ୍ଦିରର କିଛି ଅଂଶ ପଦାକୁ ବାହାରି ଆସିଛି। ପଞ୍ଚାୟତନ ଢ଼ାଞ୍ଚାରେ ନିର୍ମିତ ହୋଇଥିବା ଏହି ପ୍ରାଚୀନ ମନ୍ଦିର ମାଟି ତଳେ ପୋତି ହୋଇଥିଲା। ଖନନ ବେଳେ ମାଟି ତଳେ ଥିବା ବହୁ ଅପୂର୍ବ ଭାସ୍କର୍ଯ୍ୟ ନଷ୍ଟ ହୋଇଯାଇଛି ବୋଲି ଅଭିଯୋଗ ହୋଇଛି। ତେଣୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ) ଏକାମ୍ର ପ୍ରକଳ୍ପ ଠିକା ସଂସ୍ଥା ଓବିସିସି ଓ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଏମ୍‌ସି ଡେପୁଟି କମିସନର କମଲ୍‌ଜିତ ଦାସ ଆଜି ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏକାମ୍ର ପ୍ରକଳ୍ପର କାମ ଦେଖିବା ସହ ଏଏସ୍ଆଇ ଅଧୀକ୍ଷକଙ୍କ ସହ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ ବିଏମ୍‌ସି ଓ ଓବିସିସି ପକ୍ଷରୁ ଲିଙ୍ଗରାଜ ମନ୍ଦିର ନିକଟ ଗୋପଳତୀର୍ଥ ମଠର ମନ୍ଦିର ଚାରିପଟେ ଏବେ ଫ୍ଲେବର୍‌ ବ୍ଲକ୍‌ ପକାଯାଉଛି। ମଠର ପୂଜକଙ୍କ ଗୃହ ଓ ଶୌଚାଳୟ ନବୀକରଣ କାମ ମଧ୍ୟ କରାଯାଉଛି। ଏଥିସହିତ ଗୋପାଳ ତୀର୍ଥ ମଠରୁ ବିନ୍ଦୁସାଗର ପର୍ଯ୍ୟନ୍ତ ପୁନରୁଦ୍ଧାର କାର୍ଯ୍ୟ କରାଯାଉଛି। ତେଣୁ ଆଜି ବିଏମ୍‌ସି ଡେପୁଟି କମିସନର ଶ୍ରୀ ଦାସ ଗୋପାଳତୀର୍ଥ ମଠ ନିକଟ କାମର ତଦାରଖ କରିଥିଲେ। ଗୋପାଳ ତୀର୍ଥ ମଠରୁ ବିନ୍ଦୁସାଗର ଓ ଶୁକଶାରି ମନ୍ଦିର ଅଞ୍ଚଳର କିପରି ସୌନ୍ଦର୍ଯ୍ୟୀକରଣ କରାଯିବ, ସେନେଇ ଏଏସ୍ଆଇ ଅଧୀକ୍ଷକଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ବେଳେ ଏଏସ୍ଆଇ ଅଧୀକ୍ଷକ ଅରୁଣ କୁମାର ମଲ୍ଲିକ ତାଙ୍କୁ ଶୁକଶାରି ମନ୍ଦିରର କାରୁକାର୍ଯ୍ୟ ନଷ୍ଟ ହେଉଛି ବୋଲି ଅଭିଯୋଗ କରିଥିଲେ। ଓବିସିସି ପକ୍ଷରୁ ଖନନ ବେଳେ ବହୁ କୀର୍ତିରାଜି ନଷ୍ଟ ହୋଇଛି ବୋଲି ସେ କହିଥିଲେ। ସେହିଭଳି ଏହି ମନ୍ଦିରର ଆହୁରି ବହୁତ କୀର୍ତିରାଜି ମାଟି ତଳେ ପୋତି ହୋଇ ରହିଛି ବୋଲି ସେ ଜଣାଇଥିଲେ। ତେଣୁ ଉକ୍ତ ମନ୍ଦିର ପ୍ରାଚୀନ କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟର ସୁରକ୍ଷା ନିତାନ୍ତ ଦରକାର ବୋଲି ସେ କହିଥିଲେ। ସାବଧାନତାର ସହ ଖନନ ନ କଲେ, କୀର୍ତ୍ତିରାଜି ନଷ୍ଟ ହୋଇଯିବ ବୋଲି ସେ କହିଥିଲେ। ତେଣୁ ଏବେ ଏହି ଅଞ୍ଚଳକୁ ନ ଖୋଳିବାକୁ ଏଏସ୍‌ଆଇ ଅଧୀକ୍ଷକ ଶ୍ରୀ ମଲ୍ଲିକ ପରାମର୍ଶ ଦେଇଥିଲେ। ତେଣୁ ବିଏମ୍‌ସି ଡେପୁଟି କମିସନର ଶ୍ରୀ ଦାସ ତାଙ୍କ କଥାକୁ ସ୍ବୀକାର କରିଥିଲେ ଓ ଏବେ ସେହି ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ଆଉ ଖନନ କାର୍ଯ୍ୟ କରାଯିବ ନାହିଁ ବୋଲି କହିଥିଲେ। କେବଳ ଫ୍ଲେବର ବ୍ଲକ୍‌ ପକାଯିବା ଓ ଲାଇଟ୍‌ ଲଗାଯିବା ଯୋଜନା ରହିଛି ବୋଲି ସେ ସୂଚନା ଦେଇଥିଲେ। ତେବେ ଆଗକୁ ମହାଶିବରାତ୍ରୀ ଥିବାରୁ ଶୁକଶାରି ମନ୍ଦିର ନିକଟ ଅଞ୍ଚଳକୁ ଛାଡ଼ି ଅନ୍ୟ ସବୁଆଡ଼େ ଫ୍ଲେବର୍‌ ବ୍ଲକ୍‌ ପକାଯିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର