ଦୁଗ୍ଧଚାଷୀଙ୍କୁ ଗାଈ ଦେଇଦେବ ବିଏମ୍‌ସି

ବାହାରକୁ ଗାଈ ଛାଡ଼ୁଥିଲେ ସାବଧାନ!

ତିନି ଜିଲ୍ଲାପାଳଙ୍କୁ ଦୁଗ୍ଧଚାଷୀଙ୍କ ତାଲିକା ମଗାଗଲା
ଦିନକୁ ହଜାରେ ଟଙ୍କା ହିସାବରେ ଜରିମାନା ହେବ
ତିନି ଦିନ ପରେ ଗାଈ ଦୁଗ୍ଧଚାଷୀଙ୍କୁ ‌ଦିଆଯିବ

ଭୁବନେଶ୍ବର : ବାହାରକୁ ଗାଈଗୋରୁ ନ ଛାଡ଼ିବାକୁ ବିଏମ୍‌ସି ବାରମ୍ବାର କହିବା ପରେ ବି ରାଜଧାନୀବାସୀ ମାନୁନାହାନ୍ତି। ରାସ୍ତାରେ ମାଳମାଳ ଗାଈ, ମଇଁଷି ବୁଲୁଛନ୍ତି। ଏହାଦ୍ବାରା ଫଳରେ ରାଜଧାନୀରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ବେଳେ ଟ୍ରାଫିକ୍ ଜାମ୍ ହେଉଛି। ତେଣୁ ରାସ୍ତାରେ ବୁଲୁଥିବା ଗାଈକୁ ବିଏମ୍‌ସି ରାଜଧାନୀ ନିକଟବର୍ତ୍ତୀ ଅଞ୍ଚଳରେ ଦୁଗ୍ଧ ଚାଷ କରୁଥିବା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ଦେଇଦେବାକୁ ନିଷ୍ପତ୍ତି ନେଇଛି।

ସୋମବାର ଏ ନେଇ ବିଏମ୍‌ସି ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ ଖୋର୍ଦ୍ଧା, ପୁରୀ, କଟକର ଜିଲ୍ଲାପାଳ ଏବଂ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ସେମାନଙ୍କ ଜିଲ୍ଲା‌ରେ ଦୁଗ୍ଧଚାଷ କରୁଥିବା ମହିଳା ଏସ୍‌ଏଚ୍‌ଜି ତାଲିକା ଓ ଠିକଣା ମାଗିଛନ୍ତି।

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ରାଜଧାନୀ ରାସ୍ତାରେ ବହୁ ଗାଈ ଓ ଷଣ୍ଢ ବୁଲୁଥିବାରୁ ବହୁ ସମସ୍ୟା ହେଉଛି। ତେଣୁ ଏହି ଗୋରୁଙ୍କୁ ରାସ୍ତାକୁ ନ ଛାଡ଼ିବାକୁ ଏବଂ ରାସ୍ତା ଛାଡ଼ିଲେ କାଞ୍ଜିଆହୁଦାରେ ରଖି ଜରିମାନା ଆଦାୟ କରିବାକୁ ୨୦୧୮ରେ ନିଷ୍ପତ୍ତି ହୋଇଥିଲା। ପରେ ୧୦.୧୧.୨୦୨୦ରେ ନିଷ୍ପତ୍ତି ହୋଇଥିଲା ଯେ ଗାଈକୁ ଯଦି ମାଲିକ ତିନି ଦିନ ଭିତରେ ନ‌ ନେବେ, ତେବେ ଏହାକୁ ଦୁଗ୍ଧଚାଷୀଙ୍କୁ ଦେଇ ଦିଆଯିବ। ଏବେଠୁ ଏହାକୁ ଲାଗୁ କରାଯିବ। ଯେଉଁ ଗାଈ ରାସ୍ତାରେ ବୁଲୁଥିବେ ତାଙ୍କୁ ବିଏମ୍‌ସି ସ୍କ୍ବାଡ୍‌ ଉଠାଇ ଆଣି ୟୁନିଟ-୩ସ୍ଥିତ କାଞ୍ଜିଆହୁଦାରେ ରଖିବ। ସେମାନଙ୍କ କାନରେ ଲାଗିଥିବା ଟ୍ୟାଗ୍‌ରୁ ମାଲିକଙ୍କ ନମ୍ବର ସଂଗ୍ରହ କରି ଗାଈ ନେବାକୁ ଫୋନ୍‌ କରାଯିବ। ଦିନକୁ ହଜାରେ ଟଙ୍କା ହିସାବରେ ଜରିମାନା ଆଦାୟ କରାଯିବ। ତିନି ଦିନ ଭିତରେ ଯଦି କେହି ଗାଈକୁ ଜରିମାନା ଦେଇ ନ ନେବେ କିମ୍ବା ଏହି ସମୟରେ ଯଦି କେହି ଜରିମାନା ଦେବେନି, ତେବେ ଗାଈକୁ ନିକଟସ୍ଥ ବ୍ଲକର ବିଡିଓଙ୍କ ମାଧ୍ୟମରେ ଦୁଗ୍ଧ ଚାଷ କରୁଥିବା ମହିଳା ଏସ୍‌ଏଚ୍‌ଜିକୁ ହସ୍ତାନ୍ତର କରାଯିବ। ଏହା ଆଇନଗତ ଉପାୟରେ କରାଯିବ। ଥରେ ଗାଈ ହସ୍ତାନ୍ତର ହେବା ପରେ ମାଲିକ ଏହାକୁ ଫେରି ପାଇବେନି। ଅତିରିକ୍ତ କମିସନର କହିଛନ୍ତି; ଆଜି ଆମେ ତିନି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଶୀଘ୍ର ତାଲିକା ଦେବାକୁ କହିଛୁ। ତାଲିକା ମିଳିବା ପରେ ଆମେ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବୁ। ସେହିପରି ଷଣ୍ଢଗୁଡ଼ିକୁ ଜାମୁକୋଳିସ୍ଥିତ କାଞ୍ଜିଆହୁଦାରେ ରଖାଯିବ।

ସମ୍ବନ୍ଧିତ ଖବର