ଚନ୍ଦ୍ରଶେଖରପୁର: ୱାର୍ଡ ନଂ-୧୩ ବିଡିଏ କଲୋନିରୁ ଆରମ୍ଭ ହୋଇଥିବା ଡେଙ୍ଗୁ ଥମିବାର ନାଁ ନେଉନି। ଏପଟେ ସ୍ୱାସ୍ଥ୍ୟ ବିଭାଗ ଓ ବିଏମ୍ସି ମଧ୍ୟ ଚେଷ୍ଟା କରି ଏହି ମାରାତ୍ମକ ରୋଗକୁ ରୋକିବାରେ ସଫଳ ହୋଇ ନାହାନ୍ତି। ତେଣୁ ଏହାକୁ ଅଟକାଇବାକୁ ଯାଇ ଆଜି ବିଏମ୍ସି ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ବିଭିନ୍ନ କଲୋନି ଓ ବସ୍ତିରେ ଅଦରକାରୀ ଭାବେ ପାଣି ଭର୍ତି କରି ରଖୁଥିବା କୁଣ୍ଡ, ମାଟି ପାତ୍ର ଓ ବିଭିନ୍ନ ସ୍ଥାନକୁ ଆଜି ବିଏମ୍ସି ସ୍ୱତନ୍ତ୍ର ସ୍କ୍ଵାଡ ଭାଙ୍ଗିଛି। ଏହି ପାଣି ଭର୍ତି ସ୍ଥାନଗୁଡ଼ିକ ଡେଙ୍ଗୁ ବାହକ ଏଡିଶ୍ ମଶାର ଜନ୍ମ ଲାଭ କରିବାର ପ୍ରମୁଖ ସ୍ଥାନ ପାଲଟିଛି। ଯେତେ ସଚେତନ କଲେ ମଧ୍ୟ ଲୋକମାନେ ଏଗୁଡ଼ିକୁ ଘର ନିକଟରେ ରଖୁଛନ୍ତି। ଫଳରେ ଡେଙ୍ଗୁ କମୁନି। ତେଣୁ ଏନେଇ ବିଏମ୍ସି ପକ୍ଷରୁ ଆଗକୁ ନୋଟିସ୍ ଦେବା ସହିତ ଜରିମାନା ଆଦାୟ ଭଳି ଆହୁରି ଶକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଆଜି ବିଏମ୍ସି ଉତ୍ତର ଜୋନ୍ ଡେପୁଟି କମିସନର୍ ଶୁଭ୍ରାଂଶୁ ମିଶ୍ରଙ୍କ ନେତୃତ୍ୱରେ ଏହି ଚଢ଼ଉ କରାଯାଇଥିଲା। ଏହି କ୍ରମରେ ସିଅନ୍ ଶ୍ରମିକ ବସ୍ତି, ନୀଳମାଧବ ବସ୍ତିରୁ ବିଏମ୍ସି ସ୍କ୍ଵାଡ୍, ୱାର୍ଡ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏଡିଶ୍ ମଶା ବଢ଼ିବାର ଉତ୍ସ ୮ଟି ପାଣି ଭର୍ତି ଟାଙ୍କି, ପାତ୍ର ଆଦିକୁ ଭଙ୍ଗାଯାଇଥିଲା। ସେହିପରି ଏହି ଅଞ୍ଚଳରେ ବେଆଇନ୍ ଭାବେ ଗୁହାଳ କରି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଥିବା କିଛି ପରିବାରକୁ ମଧ୍ୟ ନୋଟିସ୍ ଜାରି କରାଯାଇଥିଲା। ଗୁହାଳରୁ ବାହାରୁଥିବା ଆବର୍ଜନାକୁ ସଫା ନକଲେ ଆଗକୁ ଜରିମାନା ମଧ୍ୟ କରାଯିବାର ଯୋଜନା ରହିଛି। ଏହି ଚଢ଼ଉ ଚନ୍ଦ୍ରଶେଖରପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ କରାଯିବାର ଯୋଜନା ରହିଥିବା ବିଏମ୍ସି ପକ୍ଷରୁ ସୂଚନା ମିଳିଛି।
ଆଉ ୫ ନୂଆ ରୋଗୀ ଚିହ୍ନଟ
ଆଜି ଚନ୍ଦ୍ରଶେଖରପୁର ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରୁ ଆଉ ୫ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସରକାରୀ ଭାବରେ ଡେଙ୍ଗୁ ରୋଗୀ ୫୦ ଟପି ନଥିଲେ ମଧ୍ୟ ବେସରକାରୀ ଭାବରେ ଏହା ୧୦୦ ଟପିଲାଣି। ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ କେବଳ ଲୋକଦେଖାଣିଆ ଡେଙ୍ଗୁ ରୋକିବା ଅଭିଯାନ କରୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।