ଟିକା ନେବେ ସଫେଇ କର୍ମଚାରୀ

ଭୁବନେଶ୍ୱର: ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀଙ୍କ ଟିକାକରଣ କରାଯିବ। ଅସ୍ୱାସ୍ଥ୍ୟକର ପରିବେଶ କାର୍ଯ୍ୟ କରୁଥିବା ସେମାନଙ୍କୁ ଟିଟାନସ୍‌ ଓ ହେପାଟାଇଟିସ୍‌-ବି ଟିକା ଦିଆଯିବ। ଏହାସହ ସେମାନଙ୍କୁ ସୁରକ୍ଷା ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ପ୍ରାୟ ୨ହଜାର ସଫେଇ କର୍ମଚାରୀ ରହିଛନ୍ତି। ବର୍ଷ ବର୍ଷ ଧରି ସେମାନେ ଅସ୍ୱାସ୍ଥ୍ୟକର ପରିବେଶରେ କାର୍ଯ୍ୟ କରି ଆସୁଛନ୍ତି। ତେଣୁ ସେମାନଙ୍କୁ ବିଭିନ୍ନ ରୋଗର ଆଶଙ୍କା ରହିଛି। ଏ ଦୃଷ୍ଟିରୁ ସେମାନଙ୍କୁ ହେପାଟାଇଟିସ୍‌-ବି ଓ ଟିଟାନ୍‌ସର ଟିକା ଦେବାକୁ ନିଷ୍ପତ୍ତି ନିଆଯାଇଛି। ବିଏମ୍‌ସି ସହରାଞ୍ଚଳ ସ୍ୱାସ୍ଥ୍ୟ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କ ସୂଚନା ଅନୁଯାୟୀ, ଟିକାକରଣ ସହ ସଫେଇ କର୍ମଚାରୀଙ୍କୁ ଗ୍ଲୋଭ୍‌ସ, ଆପ୍ରନ୍‌, ଚଷମା ଓ କ୍ୟାପ୍‌ ମଧ୍ୟ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଯାହାଫଳରେ ସେମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇପାରିବେ। ଏଥିପାଇଁ ବିଏମ୍‌ସି କମିସନରଙ୍କ ନିକଟକୁ ପ୍ରସ୍ତାବ ଦିଆଯାଇଛି। ଖୁବଶୀଘ୍ର ଟିକାକରଣ ସହିତ ସୁରକ୍ଷା ସାମଗ୍ରୀ ବଣ୍ଟନ କରାଯିବ। ସେହିପରି ବିଏମ୍‌ସି ଅଧୀନରେ ଥିବା ହୋଟେଲଗୁଡ଼ିକର ଲାଇସେନ୍ସ ଓ ରାସ୍ତାକଡ଼ର ଖାଦ୍ୟ ବିକ୍ରେତାଙ୍କ ପଞ୍ଜୀକରଣ କରାଯିବ। ଏଥିରେ ରାଜଧାନୀର ବଡ଼ ହେଟେଲ ସମେତ ଛୋଟ ହୋଟେଲ ଓ ରାସ୍ତାକଡ଼ର ଖାଇବା ଦୋକାନୀ ରହିଛନ୍ତି। ରାଜଧାନୀରେ କେବଳ ୪ହଜାରରୁ ଅଧିକ ରାସ୍ତାକଡ଼ ଠେଲା ଦୋକାନୀ ସହିତ ୧ହଜାରରୁ ଅଧିକ ଛୋଟ ବଡ଼ ହୋଟେଲ ରହିଛନ୍ତି। ବାର୍ଷିକ ୧୨ଲକ୍ଷ ଟଙ୍କାରୁ କମ୍‌ ବ୍ୟବସାୟ କରୁଥିବା ହୋଟେଲମାନେ ପଞ୍ଜୀକରଣ କରିବା ସହିତ ଏହାଠାରୁ କମ୍‌ ବ୍ୟବସାୟ କରୁଥିବା ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକ କେବଳ ଲାଇସେନ୍ସ ନେବାକୁ କୁହାଯିବ। ଯାହଫଳରେ ଖାଦ୍ୟ ବିକ୍ରି କରୁଥିବା ପ୍ରତିଷ୍ଠାନଗୁଡ଼ିକଙ୍କର ଉତ୍ତରଦାୟିତ୍ୱ ବଢ଼ିବା ସହିତ ସେମାନେ ଖାଦ୍ୟ ପ୍ରସ୍ତୁତିରେ ଉନ୍ନତି କରିବେ। ଦୀର୍ଘଦିନ ପର୍ଯ୍ୟନ୍ତ ଯେପରି ବଳକା ଖାଦ୍ୟ ରହିବ ନାହିଁ, ଗ୍ରାହକଙ୍କୁ ଭଲ ପିଇବା ପାଣି ମିଳିବ ଓ ରାସ୍ତା ଅବରୋଧ କରିବେ ନାହିଁ ସେ ବାବଦରେ ସେମାନଙ୍କୁ ବୁଝାଯିବ। ଯଦି ପରବର୍ତୀ ସମୟରେ ସେମାନଙ୍କ ବିରୋଧରେ କୌଣସି ଅଭିଯୋଗ ଆସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ରାଉତ କହିଛନ୍ତି। ରାଜଧାନୀକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଆଗାମୀ ଦିନରେ ଏକ ଟେଲିଫୋନ୍‌ ନମ୍ବର ଜାରି କରାଯିବ। ସ୍ଥାନୀୟ ଲୋକମାନେ ନିଜ ଅଞ୍ଚଳରେ ରହିଥିବା ସମସ୍ୟା ସଂପର୍କରେ ଏହି ଟେଲିଫୋନ୍‌ ନମ୍ବରରେ ଯୋଗାଯୋଗ କରିବେ। ଏଥିପାଇଁ ସମୟସୀମା ଧାର୍ଯ୍ୟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛ। ଯାହାଫଳରେ କେତେ ସମୟ ମଧ୍ୟରେ ଲୋକଙ୍କ ସମସ୍ୟାର ସମାଧାନ କରାଯିବ ତାହା ଲୋକଙ୍କୁ ଜଣାଇ ଦିଆଯିବ ବୋଲି ଶ୍ରୀ ରାଉତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର