ବିଏମ୍‌ସିର ରାଜସ୍ବ ଚିନ୍ତା: ଟାର୍ଗେଟ୍‌ରେ ସରକାରୀ ଅଫିସ୍‌

ଭୁବନେଶ୍ବର: ରାଜସ୍ବ ବର୍ଷ ସରିବାକୁ ବସିଥିବା ବେଳେ ବିଏମ୍‌ସିକୁ ରାଜସ୍ବ ଚିନ୍ତା ଘାରିଛି। ବିଶେଷକରି ହୋଲ୍ଡିଂ ଟ୍ୟାକ୍ସ ଉପରେ ଗୁରୁତ୍ବ ଦେଇଛି ବିଏମ୍‌ସି। ପ୍ରତିଦିନ ଘରକୁ ଘର ବୁଲି ୱାର୍ଡ ଅଫିସର୍‌ ବକେୟା କର ଆଦାୟ କରୁଥିବା ବେଳେ ନିୟମିତ ସମୀକ୍ଷା ଚାଲିଛି। କିନ୍ତୁ ସରକାରୀ ଅଫିସ୍‌ରୁ ହୋଲ୍ଡିଂ ଟ୍ୟାକ୍ସ ଆଦାୟ ହେଉନାହିଁ କିମ୍ବା ଅଫିସ୍‌ ମଧ୍ୟ ଆପଣାଛାଏଁ ଏହି କର ଦେଉନାହିଁ। ଏଣୁ ସରକାରୀ ଅଫିସ୍‌କୁ ବିଏମ୍‌ସି ଟାର୍ଗେଟ୍‌ କରିଛି। ନିକଟ ଅତୀତରେ ଟିପିସିଓଡିଏଲ୍‌ଠାରୁ ବକେୟା ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବା ପାଇଁ ସେସୁ (ଏବେ ଟିପିସିଓଡିଏଲ୍‌) ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ବିଏମ୍‌ସି ଓପିଡିଆର୍‌ (ଓଡ଼ିଶା ପବ୍ଲିକ୍‌ ଡିମାଣ୍ଡ ରିକଭରି) ଆଇନ ବଳରେ ମାମଲା ରୁଜୁ କରିଥିବା ବେଳେ ଏବେ ଦୁଇ ସରକାରୀ ଅଫିସ୍‌କୁ ନୋଟିସ୍‌ କରିଛି। ଅସନ୍ତା ୩ ଦିନ ମଧ୍ୟରେ ଆଉ ୧୫ଟି କାର୍ଯ୍ୟାଳୟକୁ ନୋଟିସ୍‌ କରାଯିବାକୁ ଯୋଜନା ରହିଛି।

ଦୁଇ ଅଫିସ୍‌କୁ ନୋଟିସ୍‌
୫୦ ଲକ୍ଷରୁ ଊର୍ଦ୍ଧ୍ବ ବାକି ପଡ଼ିଛି ହୋଲ୍ଡିଂ ଟ୍ୟାକ୍ସ

ଟିପିସିଓଡିଏଲ୍‌ ବିଦ୍ୟୁତ୍‌ ଯୋଗାଣ ଦାୟିତ୍ବ ନେବା ପୂର୍ବରୁ ସେସୁ ରହିଥିଲା। ସେତେବେଳୁ ବିଭିନ୍ନ ଅଫିସ୍‌ରୁ ହୋଲ୍ଡିଂ କର ଆଦାୟ ହେଉ ନଥିଲା। ବିଏମ୍‌ସି କେବଳ ଡିମାଣ୍ଡ ନୋଟିସ୍‌ ପଠାଉଥିଲା। ଏହି କର ବଢ଼ି ବଢ଼ି ୧ କୋଟି ୭୩ ଲକ୍ଷ ୬ ହଜାର ୩୭୯ ଟଙ୍କାରେ ପହଞ୍ଚିଥିଲା। ଶେଷରେ ବିଏମ୍‌ସି ଓପିଡିଆର ଆକ୍ଟରେ ମାମଲା ରୁଜୁ କରିଥିଲା। ସେହିଭଳି ଜଳ ସମ୍ପଦ ବିଭାଗର ହୋଲ୍ଡିଂ ଟ୍ୟାକ୍ସ ବାବଦକୁ ୧୪ ଲକ୍ଷ ୭୯ ହଜାର ୫୭୨ ଟଙ୍କା ବାକି ପଡ଼ିଛି। ୱାର୍ଡ ନମ୍ବର ୪୮ରେ ଥିବା ପ୍ରାଚୀ ଡିଭିଜନ୍‌ର ୭୪ ହଜାର ୫୭୧ ଟଙ୍କା ବାକି ପଡ଼ିଥିବା ବେଳେ ରାଜୀବ ଭବନ ପ୍ରାଚୀ ଡିଭିଜନ୍‌ର ୩ ଲକ୍ଷ ୫୦ହଜାର ୮୬୧, ୱାଟର ପ୍ଲାନିଂ ଅର୍ଗାନାଇଜେସନ୍‌ର ୮୪ ହଜାର ୨୪, ଡାଟା ଆର୍କାଇଭିଂ ଆଣ୍ଡ ପବ୍ଲିସିଂର ୮ ଲକ୍ଷ ୯୪ ହଜାର ୧୪୪ ଓ ଆଗ୍ରୋନୋମିଷ୍ଟ ମାଇନର ଇରିଗେସନର ୭୫ ହଜାର ୯୭୨ଟଙ୍କା ବାକି ପଡ଼ିଛି। ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବିଏମ୍‌ସି ନୋଟିସ୍‌ ଦେଇଛି। ସେହିଭଳି ୱାର୍ଡ ନମ୍ବର ୩୦ ଖାରବେଳ ନଗରରେ ଥିବା ସମବାୟ ଟ୍ରିବ୍ୟୁନାଲ୍‌ର ୧ ଲକ୍ଷ ୮୪ ହଜାର ୪୬୪ ଟଙ୍କା ବାକି ପଡ଼ିଛି। ଏ ନେଇ ବିଏମ୍‌ସି ସମବାୟ ବିଭାଗକୁ ନୋଟିସ୍‌ ଦେଇଛି।

ଚଳିତ ଆର୍ଥିକ ବର୍ଷ (୨୦୨୨-୨୩) ପାଇଁ ୧୨୦ କୋଟି ୨୪ ଲକ୍ଷ ୧୧ ହଜାର ୮୭୭ ଟଙ୍କା ରାଜସ୍ବ ଆୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଜାନୁଆରି ସୁଦ୍ଧା ମାତ୍ର ୩୦ କୋଟି ୫୯ ଲକ୍ଷ ୭୫ ହଜାର ୨୩୭ ଟଙ୍କା ଆଦାୟ ହୋଇଥିଲା। ଏହା ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ଚଉଠେ ହୋଇଥିବାରୁ ତନାଘନା ହୋଇଥିଲା। କେବଳ ଅନ୍‌ଲାଇନ୍‌ରେ ଆଦାୟ ପାଇଁ ବ୍ୟବସ୍ଥା ଥିବାରୁ ଲୋକମାନେ ସ୍ବତଃପ୍ରବୃତ୍ତ ଭାବେ କର ଦେଉନଥିଲେ। ଏଣୁ ଜାନୁଆରି ୧୩ତାରିଖରୁ ୱାର୍ଡ ଅଫିସରମାନେ ପିଓଏସ୍‌ ମେସିନ୍‌ ଧରି ଘରକୁ ଘର ବୁଲି ଟ୍ୟାକ୍ସ ଆଦାୟ କରିବା ଆରମ୍ଭ କରିଥିଲେ। ବିଭିନ୍ନ ଜାଗାରେ ସ୍ବତନ୍ତ୍ର ଶିବିର ମଧ୍ୟ କରାଯାଉଥିଲା। ଏବେ ଏଥିରେ ଦିନକୁ ୫ ଲକ୍ଷରୁ ୬ଲକ୍ଷ ଟଙ୍କା ଆଦାୟ ହେଉଛି। ପ୍ରାୟ ୬୦ ଟି ନୂଆ ଓ ୧୦ରୁ ଊର୍ଦ୍ଧ୍ବ ପୁନଃ ଆକଳନ ହେଉଛି। ବର୍ଷ ପୂରିବାକୁ ୫ ଦିନ ବାକି ରହିଛି। ଏଣୁ ଟାର୍ଗେଟ ପୂରଣ ହେବା ତ’ ଦୂରର କଥା, ଅଧା ମଧ୍ୟ ପୂରଣ ହେବ ନାହିଁ ବୋଲି ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର