କୋଭିଡ୍‌ କଟକଣା ନିଶ୍ଚିତ କରିବାକୁ ମଲ୍‌ମାନଙ୍କୁ ନିର୍ଦ୍ଦେଶ

ନିଯୁକ୍ତ ହେବେ କୋଭିଡ୍‌-୧୯ ମନିଟର

ଭୁବନେଶ୍ୱର: କୋଭିଡ୍‌ ସଂକ୍ରମଣକୁ ଆଖି ଆଗରେ ରଖି କୋଭିଡ୍‌ କଟକଣା ନିଶ୍ଚିତ କରିବାକୁ ବିଏମ୍‌ସି ମଲ୍‌ମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛି। ମଲ୍‌ରେ କଟକଣା ପାଳନ ହେଉଛି ନିଶ୍ଚିତ କରିବାକୁ ଜଣେ ସ୍ବତନ୍ତ୍ର କର୍ମଚାରୀ ବା କୋଭିଡ୍‌-୧୯ ମନିଟର୍‌ ନିୟୋଜିତ କରିବେ। ମନିଟର ଗ୍ରାହକମାନଙ୍କୁ କଟକଣା ବାବଦରେ ସଚେତନ କରି‌ବେ। ଶତପ୍ରତିଶତ ଗ୍ରାହକ ଯେଭଳି ମାସ୍କ ପିନ୍ଧିବେ, ସାମାଜିକ ଦୂରତା ରକ୍ଷା କରିବେ, ମଲ୍‌ରେ ପ୍ରବେଶ ପୂର୍ବରୁ ହାତ ସାନିଟାଇଜ୍‌ କରିବେ ସେ ବାବଦରେ ମନିଟର ନିଶ୍ଚିତ କରିବେ। ଗହଳି ଯେଭଳି ନ ହେବ ସେ ନେଇ ସତର୍କ ରହିବେ। ଏନେଇ ଆଜି ଟ୍ବିଟ୍‌ ଜରିଆରେ ବିଏମ୍‌ସି ଏଭଳି ପରାମର୍ଶ ଦେଇଛି। ଗତକାଲି ମେୟର ସୁଲୋଚନା ଦାସ ମଧ୍ୟ କୋଭିଡ୍‌ କଟକଣା ପାଳନ କରିବାକୁ ରାଜଧାନୀବାସୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ କାର୍ଯ୍ୟାନୁଷ୍ଠାନ ପାଇଁ ବିଏମ୍‌ସି କୌଣସି ଯୋଜନା କରିନାହିଁ। ଏଣୁ କେହି କଟକଣା ମାନୁନାହାନ୍ତି।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦ ଥିବା ବେଳେ ଗତକାଲି ୨୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ୧୮୫ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ତୁଳନାରେ କମ୍‌ ସୁସ୍ଥ ହେଉଥିବାରୁ ଭୁବନେଶ୍ବରରେ ୮୪୫ଆକ୍ରାନ୍ତ ସକ୍ରିୟ ଅଛନ୍ତି। ଦୁଇ ଦିନ ଧରି ପଟିଆ ଅଞ୍ଚଳରେ ଅଧିକାଂଶ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଆଜି ଖଣ୍ଡଗିରି ଓ ପୁରୁଣା ଭୁବନେଶ୍ବର ଅଞ୍ଚଳ‌ରେ ୧୬ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର