ବିଏମ୍ସିର ବିଜ୍ଞାପନ କେଳେଙ୍କାରୀ: ଘରୋଇ ହୋର୍ଡିଂ ବାବଦକୁ ୪ କୋଟି ବାକି
ଏଥର ରସିଦ୍ରେ ଲେଖିବେ ମାପ
ଭୁବନେଶ୍ବର: ବିଏମ୍ସିର ପ୍ରମୁଖ ରାଜସ୍ବ ଆଦାୟର ମାଧ୍ୟମ ବିଜ୍ଞାପନ। ସରକାରୀ ବା ବେସରକାରୀ ଜାଗାରେ ଲାଗୁଥିବା ହୋର୍ଡିଂରୁ ବିଏମ୍ସି ରାଜସ୍ବ ଆଦାୟ କରୁଛି। ସରକାରୀ ଜାଗାରେ ଲାଗୁଥିବା ହୋର୍ଡିଂ ଏକପ୍ରକାର ଶୃଙ୍ଖଳା ରହିଥିବା ବେଳେ ଆବାସିକ ଜାଗାରେ ଲାଗୁଥିବା ହୋର୍ଡିଂରେ ଦୀର୍ଘ ଦିନ ଧରି କେଳେଙ୍କାରୀ ଚାଲିଛି। ବର୍ଷ ବର୍ଷ ଧରି କେତେକ କର୍ମଚାରୀ ଓ ଅଧିକାରୀ ଏ ବାବଦରେ ମାଲେମାଲ ହେଉଥିବା ବେଳେ ବିଏମ୍ସି ରାଜସ୍ବ ହରାଉଛି।
ନିକଟ ଅତୀତରେ ଏ ବାବଦରେ ଖୋଳତାଡ଼ ଆରମ୍ଭ ହୋଇଛି। ପୂର୍ବରୁ ଏ ବାବଦକୁ ଆସୁଥିବା ରାଜସ୍ବର ହିସାବ ରହୁନଥିବା ବେଳେ ଗତ ବର୍ଷ ଏ ବାବଦରେ ମାତ୍ର ୨ କୋଟି ୪ ଲକ୍ଷ ୪ ହଜାର ୯୦୬ ଟଙ୍କା ଆସିଥିବା ବେଳେ ୪ କୋଟି ୭୦ ଲକ୍ଷ ୫ ହଜାର ୯ ଟଙ୍କା ବାକି ପଡ଼ିଛି। କାହା ସ୍ବାର୍ଥରେ ଘରୋଇ ସଂସ୍ଥାଙ୍କୁ ଛାଡ଼ି ଦିଆଯାଇଛି? ବିଏମ୍ସିର ରାଜସ୍ବ ବୃଦ୍ଧି ଦିଗରେ ଅଧିକାରୀମାନେ କାହିଁକି ତତ୍ପର ହେଉ ନାହାନ୍ତି? ଏହା ପଛରେ ମୋଟା ଅଙ୍କର ହାତଗୁଞ୍ଜା କାରବାର ହୋଇଥିବା ଅଭିଯୋଗ ହୋଇଛି।
ପୂର୍ବରୁ ମୋଟା ଅଙ୍କର ହାତଗୁଞ୍ଜା ନେଇ ହୋର୍ଡିଂର ମାପ କମାଇ ଦିଆଯାଉଥିବା ଅଭିଯୋଗ ହୋଇଥିଲା। ଯେତିକି ମାପର ହୋର୍ଡିଂ ଲାଗିଛି, ତା’ର ଅଧା ଦେଖାଇ ସଂସ୍ଥାଠାରୁ ଲକ୍ଷଲକ୍ଷ ଟଙ୍କା ହାତଗୁଞ୍ଜା ନିଆଯାଉଥିବା ଅଭିଯୋଗ ହୋଇଥିଲା। ଏହା ପରେ ଖୋଳତାଡ଼ ହୋଇଥିଲା। ଖୋଳତାଡ଼ ବେଳେ ଜଣାପଡ଼ିଥିଲା କି ଭୁବନେଶ୍ବରରେ ୧ ଲକ୍ଷ ୫୫ ହଜାର ୭୭୧ ବର୍ଗଫୁଟ୍ ଅଞ୍ଚଳରେ ଘରୋଇ ହୋର୍ଡିଂ ଲାଗିଛି। କିନ୍ତୁ କେତେ ଟଙ୍କା ଆସୁଛି ତାହାର ହିସାବ ନାହିଁ। ଅର୍ଥାତ୍ ଘରୋଇ ହୋର୍ଡିଂ ଲଗାଉଥିବା ସଂସ୍ଥା ଓ ଦାୟିତ୍ବରେ ଥିବା ବିଏମ୍ସି ଅଧିକାରୀ ହାତ ମିଶାଇ ଏହି ଅର୍ଥ ହରିଲୁଟ୍ କରୁଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ତନାଘନା ହେବା ସହ ଗତ କର୍ପୋରେସନ ବୈଠକରେ କର୍ପୋରେଟରମାନେ ଏହାର ହିସାବ ମାଗିଥିଲେ। ଜଣେ କର୍ପୋରେଟରଙ୍କ କହିବା କଥା, ହୋର୍ଡିଂରେ ବ୍ୟାପକ ହରିଲୁଟ୍ ଚାଲିଛି। ମାପ କମାଇଦେଇ କର୍ମଚାରୀମାନେ ଲକ୍ଷ ଲକ୍ଷଟଙ୍କା ହାତଗୁଞ୍ଜା କାରବାର କରୁଛନ୍ତି। ସଂସ୍ଥା ହୋର୍ଡିଂ ଲଗାଇବାକୁ ଆବେଦନ କରିବା ପରେ ଏହାକୁ ମାପି ଦେୟ ଧାର୍ଯ୍ୟ କରିବା କଥା। କିନ୍ତୁ ଇଞ୍ଜିନିୟର ଘଟଣାସ୍ଥଳକୁ ଯାଉନାହାନ୍ତି। ଏଣୁ ଏଥର ରାଜସ୍ବ କେତେ କେଉଁ ହୋର୍ଡିଂରୁ ଆଦାୟ କରାଯାଉଛି ତାହାର ରସିଦ୍ରେ ମାପ(ବର୍ଗଫୁଟ୍) ଲେଖିବାକୁ କୁହାଯାଇଛି। ଏହା ସର୍ବସମ୍ମତିକ୍ରମେ ଅନୁମୋଦିତ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ହୋର୍ଡିଂରେ ଚାଲିଥିବା କେଳେଙ୍କାରୀକୁ ନେଇ ଅଭିଯୋଗ ବଢ଼ିବା ପରେ ବିଏମ୍ସି ମାନସମନ୍ଥନ କରିଥିଲା। ହୋର୍ଡିଂଗୁଡ଼ିକରେ ଜିପିଏସ୍ ଲାଗିବାକୁ ଯୋଜନା ହୋଇଥିଲା। ମୋବାଇଲ୍ ଆପ୍ ଜରିଆରେ ଅଫିସ୍ରେ ବସି ହରିଲୁଟ୍ ରୋକିବାକୁ ଯୋଜନା ହୋଇଥିଲା। ସର୍ଭେ କରି ଜିପିଏସ୍ ଲଗାଇବାକୁ ଟେଣ୍ଡର ଜରିଆରେ ସାଇବର ସ୍ବିଫ୍ଟ ଇନ୍ଫୋଟେକ୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାକୁ ଚୟନ କରାଯାଇଥିଲା। ଏଥିପାଇଁ ୩୫ ଲକ୍ଷ ୩୮ ହଜାର ୯୦୭ ଟଙ୍କା ଖର୍ଚ୍ଚ ହେବାକୁ ଯୋଜନା ହୋଇଥିଲା। ମୋବାଇଲ୍ ଆପ୍ଲିକେସନ ତିଆରି କରିବା ସହ ସଂସ୍ଥା ୧ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ଦାୟିତ୍ବ ନେବାକୁ ସ୍ଥିର କରାଯାଇଥିଲା। ଜିପିଏସ୍ ଲାଗିବା ପରେ ହୋର୍ଡିଂର ମାପ ବଦଳାଯାଇ ପାରିବ ନାହିଁ ବା ମାପ ବଦଳାଗଲେ ବିଏମ୍ସି ଜାଣି ପାରିବ। ଖୁବ୍ଶୀଘ୍ର ଏହି ପଦକ୍ଷେପ ଆରମ୍ଭ ହେବ ବୋଲି ବିଏମ୍ସି କହିଛି। କିନ୍ତୁ ଘରୋଇ ହୋର୍ଡିଂ ବାବଦକୁ ବାକି ପଡ଼ିଥିବା ୪ କୋଟିରୁ ଅଧିକ ଟଙ୍କା କେବେ ଆଦାୟ ହେବ ବା କାହା ଉପରେ କାର୍ଯ୍ୟାନୁଷ୍ଠାନ ହେବ, ସେ ନେଇ କାହା ପାଖରେ ଉତ୍ତର ନାହିଁ।