ରାଜଧାନୀବାସୀଙ୍କୁ ବିଏମ୍‌ସିର ଅପିଲ୍ : ୬ ରାଜ୍ୟରୁ କେହି ଆସିଥିଲେ ଜଣାଅ, ସମସ୍ତଙ୍କ କରୋନା ପରୀକ୍ଷା ହେବ

ଭୁବନେଶ୍ବର : ରାଜଧାନୀରେ ଯେପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଣାୟତ୍ତ ନ ହୁଏ ସେଥିପାଇଁ ବିଏମ୍‌ସି ପକ୍ଷରୁ ରାଜଧାନୀବାସୀଙ୍କୁ ଆହ୍ବାନ ଦିଆଯାଇଛି। ଯଦି କେହି ମହାରାଷ୍ଟ୍ର, ପଞ୍ଜାବ, ଗୁଜୁରାଟ, ମଧ୍ୟପ୍ରଦେଶ, କେରଳ, କର୍ଣ୍ଣାଟକ ଆଦି ୬ଟି ରାଜ୍ୟରୁ ଆସିଛନ୍ତି ତେବେ ତୁରନ୍ତ ବିଏମ୍‌ସିକୁ ଜଣାନ୍ତୁ। ଏହି ୬ଟି ରାଜ୍ୟ ଏବେ ରେଡ୍‌ ଜୋନ୍‌ରେ ଥିବାରୁ ସେଠାରୁ ଆସୁଥିବା ସମସ୍ତ ଆକ୍ରାନ୍ତଙ୍କର କୋଭିଡ୍‌ ପରୀକ୍ଷା କରିବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି।

ବିଏମ୍‌ସି ପକ୍ଷରୁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ସଚେତନତା ରଥ ବୁଲି ଏହି କଥା ପ୍ରଚାର କରୁଛି। ଏହି ରାଜ୍ୟଗୁଡ଼ିକରୁ ଯେଉଁମାନେ ଆସୁଛନ୍ତି ସେମାନଙ୍କର କୌଣସି କରୋନା ଲକ୍ଷଣ ଥିଲେ କିମ୍ବା ଥଣ୍ଡା ଜ୍ବର ଥିଲେ ସେମାନେ ସଙ୍ଗରୋଧରେ ରୁହନ୍ତୁ ଏବଂ କରୋନା ପରୀକ୍ଷା କରନ୍ତୁ। ଯଦି କେହି ଲୁଚାଉଥାନ୍ତି ତେବେ ପଡ଼ୋଶୀମାନେ ଏ ନେଇ ବିଏମ୍‌ସିକୁ ଖବର ଦେବାକୁ କୁହାଯାଇଛି। ରାଜଧାନୀରେ ସ୍ଥାନୀୟ ସଂକ୍ରମଣ ବଢ଼ୁଥିବାବେଳେ ଉପରୋକ୍ତ ୬ଟି ରାଜ୍ୟରୁ ଫେରିଥିବା କିଛି ଲୋକ ସଙ୍ଗରୋଧରେ ରହିବା ପରେ କରୋନା ଆକ୍ରାନ୍ତ ହୋଇଛନ୍ତି। ତେଣୁ ସେମାନେ ବାହାରେ ବୁଲାବୁଲି କରିବା ପରେ ଯଦି କରୋନା ରିପୋର୍ଟ ପଜିଟିଭ୍ ଆସିବ ତେବେ ସ୍ଥାନୀୟ ସଂକ୍ରମଣ ବଢ଼ିଯିବ। ଏହାକୁ ନଜରରେ ରଖି ବିଏମ୍‌ସି ପକ୍ଷରୁ ୬ ରାଜ୍ୟ ଫେରନ୍ତା ଉପରେ ନଜର ରଖିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର