ସରିଲା ବିଏମ୍‌ସିର ଆତ୍ମମନ୍ଥନ, କଂଜରଭେନ୍ସି ଲେନ୍‌ରୁ ହଟିବ ଜବରଦଖଲ

ଭୁବନେଶ୍ୱର: ଭୁବନେଶ୍ବରକୁ ୧ ନମ୍ବର କରିବାରେ ବିଏମ୍‌ସିର ପରିମଳ ବ୍ୟବସ୍ଥାରେ ସଂଶ୍ଳିଷ୍ଟ କର୍ମଚାରୀ, ଲୋକପ୍ରତିନିଧିମାନଙ୍କୁ ନେଇ ତିନିଦିନ ଧରି ଚାଲିଥିବା ‘ଆତ୍ମ ମନ୍ଥନ’ର ଗୁରୁବାର ଶେଷ ହୋଇଛି। ସ୍ବଚ୍ଛତାକୁ ନେଇ ରହିଥିବା ଆହ୍ବାନକୁ ସାମ୍ନା କରିବା ସହ ସମାଧାନ ପନ୍ଥା ବାହାର କରିବା ପାଇଁ ଏଠାରେ ମାନସମନ୍ଥନ ହୋଇଛି। ଆଜି ଶେଷ ଦିନରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସହରରେ ଥିବା କଂଜରଭେନ୍ସି ଲେନ୍‌କୁ ଜବରଦଖଲମୁକ୍ତ କରାଯିବ। ଏହି ଜାଗାରେ ପେଭର୍‌ ବ୍ଲକ୍‌ ପକାଯାଇ ସଫା ରଖାଯିବ। ଯେଉଁମାନେ ଏଠାରେ ଆବର୍ଜନା ଫିଙ୍ଗିବେ, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କର୍ପୋରେଟର୍‌ମାନେ ଏହା ଉପରେ ନିଜ ନିଜ ସ୍ତରରେ ନଜର ରଖିବେ। ଏହି ଲେନ୍‌ଗୁଡ଼ିକରେ ଆବର୍ଜନା ଗଦା ହେଉଥିବା ବେ‌ଳେ କେତେକ ଜାଗାରେ ଚାଳିଘର କରି ଜବରଦଖଲ ହୋଇଛି।

ଫଳରେ ସହର ସ୍ବଚ୍ଛ ହୋଇପାରୁନାହିଁ। ଏଣିକି ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଭବନେଶ୍ୱରକୁ ଏକ ନମ୍ବର କରିବା ପାଇଁ କର୍ପୋରେଟର୍‌ମାନେ ଶପଥ ନେଇଛନ୍ତି। ଆସନ୍ତା ୧ ମାସ ମଧ୍ୟରେ ଆବର୍ଜନା ଉଠାଇବା ପାଇଁ ମହାନଗର ନିଗମ ଆହୁରି ୧୫୦ଟି ଗାଡ଼ି ଯୋଗାଇ ଦେବେ ବୋଲି ମେୟର ସୁଲୋଚନା ଦାସ ଘୋଷଣା କରିଛନ୍ତି। ଏହାବ୍ୟତୀତ ମାନବ ସମ୍ବଳ, ମେସିନ ଓ ଆବଶ୍ୟକ ସଂରଜାମ ମଧ୍ୟ ଯୋଗାଇ ଦିଆଯିବ। ଅଳିଆ ପକାଉଥିବା ସ୍ଥାନର ସୌନ୍ଦର୍ଯ୍ୟୀକରଣ ଓ ବିଭିନ୍ନ ୱାର୍ଡକୁ ସ୍ୱଚ୍ଛସାଥୀ ଯୋଗାଇଦେବା ଭଳି ପଦକ୍ଷେପ ଖୁବଶୀଘ୍ର ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ସହରକୁ ସଫା ରଖିବାକୁ କର୍ପୋରେଟର୍‌ଙ୍କ ସମେତ ସମସ୍ତ ଅଫିସର ଶପଥ ନେଇଛନ୍ତି। ମେୟର ଶ୍ରୀମତୀ ଦାସଙ୍କ ସମେତ କମିସନର୍‌ ବିଜୟ ଅମୃତ କୁଲାଙ୍ଗେ, ଅତିରିକ୍ତ କମିସନର ସୂର୍ଯ୍ୟବଂଶୀ ମୟୂର ବିକାଶ ଉପସ୍ଥିତ ଥିଲେ। ଡେପୁଟି କମିସନର୍‌ (ପରିମଳ) ଶୁଭେନ୍ଦୁ କୁମାର ସାହୁ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜେଡ୍‌ଡିସି ପ୍ରିୟବ୍ରତ ପାଢ଼ୀ ଓ ଏସ୍‌ବିଏ ସେଲର ଟିମ୍‌ ଲିଡର୍‌ ମନୋରଂଜନ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର